27.1 C
Bhubaneswar
Wednesday, December 24, 2025
Homeଓଡିଶାବିଦ୍ୟୁତ୍‌ଖୁଣ୍ଟରେ କ୍ୟାମେରା ଲଗାଇ ଝିଅବୋହୂଙ୍କ ଅଶ୍ଳୀଳ ଫଟୋ ଉତ୍ତୋଳନ

ବିଦ୍ୟୁତ୍‌ଖୁଣ୍ଟରେ କ୍ୟାମେରା ଲଗାଇ ଝିଅବୋହୂଙ୍କ ଅଶ୍ଳୀଳ ଫଟୋ ଉତ୍ତୋଳନ

ନେମାଳ: ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମପଞ୍ଚାୟତରେ ଜଣେ ବ୍ୟକ୍ତି ବିଦ୍ୟୁତ୍‌ଖୁଣ୍ଟରେ ସିସିଟିଭି କ୍ୟାମେରା ଲଗାଇ ଝିଅବୋହୂଙ୍କର ଅଶ୍ଳୀଳ ଫଟୋ ଉତ୍ତୋଳନ କରୁଥିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ନେଇ ସ୍ଥାନୀୟ ମାହାଳ ହାଟ ଫାଣ୍ଡି ପୁଲିସ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଦେଇ ଚିତ୍ରୋତ୍ପଳା ନଦୀ ପ୍ରବାହିତ ହେଉଛି। ଏହି ବ୍ଲକର ବାବୁଜଙ୍ଗ ଶନିଶ୍ଚର ଗଡ଼ା ନିକଟରେ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଏକ ଚିକେନ୍ ସେଣ୍ଟର୍ ଓ ପାନଦୋକାନ କରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ଚିତ୍ରୋତ୍ପଳା ନଦୀର ଦକ୍ଷିଣପାଶ୍ୱର୍ରେ ଥିବା ଶନିଶ୍ଚର ଗଡ଼ା ନିକଟରେ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଏକ ଉଜ୍ଜ୍ୱଳ ଆଲୋକୀକରଣ ବିଦ୍ୟୁତ ଖୁଣ୍ଟରେ ଚତୁରତାର ସହ ମୁଭିଂ ସିସିଟିଭି କ୍ୟାମେରା ଲଗାଇଥିଲେ।

ଏହି ସ୍ଥାନରେ ଥିବା ନଦୀତୁଠକୁ ଦୈନନ୍ଦିନ ସ୍ଥାନୀୟ ଅଞ୍ଚଳର ଶହ ଶହ ଝିଅବୋହୂ ସ୍ନାନ ଓ ଶୌଚ ନିମନ୍ତେ ଆସିଥାନ୍ତି। ସେମାନଙ୍କ ଅଜାଣତରେ ଯୁବକ ଜଣକ ସିସିଟିଭି କ୍ୟାମେରାରେ ଗାଧୁଆ ଓ ଶୌଚହେବାର ଅଶ୍ଳୀଳ ଫଟୋ କଏଦ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ କଏଦ ହୋଇଥିବା ଏହି ଅଶ୍ଳୀଳ ଫଟୋ ଅସଦ୍ ବ୍ୟବହାର କରୁଥିବାର ଲୋକେ ଜାଣିବାକୁ ପାଇଥିଲେ। ଏହି ଘଟଣା ପ୍ରଘଟ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକଙ୍କୁ ପଚାରିବାରୁ ସେ ଲୋକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇ ଭୟଭୀତ କରିଆସୁଥିଲା।

ଏଥିରେ କ୍ରୋଧାନ୍ୱିତ ହୋଇ ସ୍ଥାନୀୟ ଲୋକେ କିଶନନଗର ଥାନା ଅଧୀନରେ ଥିବା ମାହାଳ ହାଟ ଫାଣ୍ଡିରେ ସ୍ଥାନୀୟ ବାବୁଜଙ୍ଗ, ପାରିକୁସୁମଣ୍ଡଳ ଗ୍ରାମର ସର୍ବଶ୍ରୀ ନୃସିଂହ ଚରଣ ବେଉରା, ସନାତନ ଦାସ, କାର୍ତ୍ତିକ ମହାରଣା, ପୁଷ୍ପାଞ୍ଜଳି ମହାନ୍ତି, ଝିଲି ମହାନ୍ତି ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ମାହାଳ ହାଟ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷରେ ରାଜନୈତିକ ଚାପରେ ପୁଲିସ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବାର ଅଭିଯୋଗ ହୋଇଛି। ରିପୋର୍ଟ ଲେଖାହେଲା ବେଳକୁ ଏହି ଘଟଣା ଉପରେ କିଶନନଗର ଥାନାରେ କୌଣସି ମାମଲା ରୁଜୁ ହୋଇନଥିବାର ଜଣାଯାଇଛି। ତେବେ ପୁଲିସ ପ୍ରଶାସନ ତରଫରୁ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏଠାରେ ବଡ଼ ଧରଣର ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking