କଲମ୍ବୋ: ଆଇସିସି ଟି-୨୦ ବିଶ୍ୱକପ୍ର ଅନ୍ୟତମ ମ୍ୟାଚ୍ରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ଆମ୍ନା ସାମ୍ନା ହେବାକୁ ଯାଉଛନ୍ତି। ତେବେ ଏହା କେବଳ ଏକ ମ୍ୟାଚ୍ ନୁହେଁ ବରଂ ଉଭୟ ଦେଶବାସୀଙ୍କ ଭାବନା ସହ ଜଡିତ ଏକ କ୍ରୀଡା ରୂପୀ ଲଢ଼େଇ ମଧ୍ୟ ସାଜିଥାଏ। ଟି-୨୦ ବିଶ୍ୱକପ୍ର ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଉଭୟ ଦେଶର ଖେଳାଳିମାନେ ନିଜ ଦେଶବାସୀଙ୍କୁ ଖୁସି କରିବା ତଥା ଦେଶକୁ ଗୌରବାନ୍ୱିତ କରିବା ଉଦ୍ଦେଶ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ସୁତରାଂ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ଏବେ ବେଶ୍ ରୋମାଞ୍ଚକ ହୋଇପଡିଛି। ପ୍ରଥମେ ପାକିସ୍ତାନ ଭାରତ ସହ ଖେଳିବାକୁ ମନା କରିବା, ପରେ ଆଇସିସି ଛାଟ ବାଜିବା ପରେ ପୁଣିଥରେ ଖେଳିବାକୁ ରାଜି ହୋଇଥିଲା, ଯାହାକି ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଉପହାସର ପାତ୍ର ସଜାଇଦେଇଛି। ଅନ୍ୟପକ୍ଷେ ଏସିଆ କପ୍ ସମୟରେ ଭାରତୀୟ ଖେଳାଳିମାନେ ହ୍ୟାଣ୍ଡ୍ସେକ୍ ନକରିବା ଯୋଗୁ ନିଜକୁ ଅପମାନିତ ମଣିଥିବା ପାକିସ୍ତାନ ଏହି ମ୍ୟାଚ୍କୁ ପ୍ରତିଶୋଧ ମନୋଭାବ ନେଇ ଖେଳିବାକୁ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷେ ଭାରତ ମଧ୍ୟ ପାକିସ୍ତାନକୁ ହରାଇବାର ପରମ୍ପରା ବଜାୟ ରଖିବା ଉଦ୍ଦେଶ୍ୟରେ ଖେଳିବ। ତେବେ ଏସବୁ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ଟିମ୍ର ଅଧିନାୟକ ସଲମାନ୍ ଅଲି ଆଗା ଏପରି ଏକ ବିବୃତି ଦେଇଛନ୍ତି ଯାହାକି ଆସନ୍ତାକାଲିର ମ୍ୟାଚ୍ ପାଇଁ ସମସ୍ତଙ୍କ ମନରେ ଉତ୍ସୁକତା ଭରିଦେଇଛି। ରିପୋର୍ଟ ଅନୁସାରେ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଶନିବାର କଲମ୍ବୋରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ଏହି ଅବସରରେ କହିଛନ୍ତି ଯେ, ୨୦୨୫ରେ ଅନୁଷ୍ଠିତ ଏସିଆ କପ୍ ସମୟରେ ଭାରତୀୟ ଖେଳାଳି ଆମ ସହ ହାତ ମିଳାଇନଥିଲେ, ଆସନ୍ତା କାଲିର ମ୍ୟାଚ୍ରେ ଆମେ ଏହାର ଉଚିତ୍ ଜବାବ ଦେବୁ। ତେବେ ସଲମାନ୍ ଆଗାଙ୍କ ଏପ୍ରକାର ବିବୃତି ଉପରେ ଭାରତୀୟ ଟି-୨୦ ସ୍କ୍ୱାଡ୍ର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କହିଛନ୍ତି, ୨୪ ଘଣ୍ଟା ପରେ ଆମେ ଏହାର ଉତ୍ତର ପଡ଼ିଆରେ ଦେବୁ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକଙ୍କ ସମ୍ମାନାର୍ଥେ ଭାରତୀୟ ଖେଳାଳି ଏହି ନିଷ୍ପତ୍ତି ନେଇଥିଲେ। ସେହିପରି ସଲମାନ୍ ଆଗା କହିଛନ୍ତି ଯେ, ଆମେ ସର୍ବଶ୍ରେଷ୍ଠ ଭାରତୀୟ ଦଳ ସହ ଖେଳିବାକୁ ଏବଂ ପରାସ୍ତ କରିବାକୁ ପ୍ରସ୍ତୁତ ରହିଛୁ। ସେ ଆହତ ଥିବା ଭାରତୀୟ ବିସ୍ଫୋରକ ଓପନର ଅଭିଷେକ୍ ଶର୍ମା ଆସନ୍ତା କାଲିର ମ୍ୟାଚ୍ ଖେଳନ୍ତୁ ବୋଲି ଆଶା କରୁଥିବା କଥା ମଧ୍ୟ କହିଛନ୍ତି। ଏହାର ଜବାବରେ ସୂର୍ଯ୍ୟ କୁମାର କହିଛନ୍ତି ଯେ, ଯଦି ପାକିସ୍ତାନ ଚାହୁଁଛି ତେବେ ଅଭିଷେକ୍ ନିଶ୍ଚିତ ଖେଳିବେ। ଏହାର ଅର୍ଥ ଆସନ୍ତା କାଲିର ମ୍ୟାଚ୍ରେ ଅଭିଷେକ୍ ଶର୍ମାଙ୍କୁ ଖେଳିବାର ଦେଖିବାକୁ ମିଳିବ। ଏହା ଭାରତୀୟ ପ୍ରଶଂସକଙ୍କୁ ବେଶ୍ ଉତ୍ସାହିତ କରିଛି।
ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା/ସଞ୍ଜୁ ସାମସନ୍, ଈଶାନ କିଶନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ/ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମ୍ରା
ସମ୍ଭାବ୍ୟ ପାକିସ୍ତାନ: ସେୟୁମ ଆୟୁବ, ଶାହବଜାଦା ଫରହାନ, ସଲମାନ ଅଲି ଆଗା (ଅଧିନାୟକ), ବାବର ଆଜମ, ଉସମାନ ଖାନ୍, ଶଦାବ ଖାନ୍, ଫହିମ ଅସ୍ରଫ, ସାହିନ ଶାହ ଆଫ୍ରିଦୀ, ସଲମାନ ମିର୍ଜା, ଅବରାର ଅହମ୍ମଦ, ଉସମାନ୍ ତାରିକ।










