15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଆସିଲା ସୁପ୍ରିମକୋର୍ଟଙ୍କ ରାୟ: ବିରୋଧୀଙ୍କୁ ଶକ୍ତ ଝଟ୍‌କା

ଆସିଲା ସୁପ୍ରିମକୋର୍ଟଙ୍କ ରାୟ: ବିରୋଧୀଙ୍କୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ: ବିହାରରେ ଜାରି ରହିବ ଭୋଟର ତାଲିକା ସମୀକ୍ଷାଗତ ସର୍ଭେ ପ୍ରକ୍ରିୟା । ଏନେଇ ସୁପ୍ରିମକୋର୍ଟ ଗୁରୁବାର ନିଜ ରାୟ ସ୍ପଷ୍ଟ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟ, ନିର୍ବାଚନ ଆୟୋଗଙ୍କୁ ସମୀକ୍ଷା ପ୍ରକ୍ରିୟାରେ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ବିରୋଧୀ ଦଳଙ୍କୁ ଜୋରଦାର ଝଟ୍‌କା ଲାଗିଛି, ଯେଉଁମାନେ ଏହି ଭୋଟର ତାଲିକା ସମୀକ୍ଷାଗତ ସର୍ଭେ ପ୍ରକ୍ରିୟାକୁ ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିକୋଣ ସହ ଯୋଡିବା ପୂର୍ବକ ଏହା ବିରୋଧରେ ପିଟିସନ୍ ଦାୟର କରିଥିଲେ । ପ୍ରକାଶ, ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଏପରି ସମୟରେ ଏପ୍ରକାର ଭୋଟର ତାଲିକା ସମୀକ୍ଷାଗତ ସର୍ଭେ ପ୍ରକ୍ରିୟାକୁ ବିରୋଧୀ ଆରଜେଡି, କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ । ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏବଂ ଜଷ୍ଟିସ୍ ଜୟମାଲା ବାଗ୍‌ଚୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ରିପୋର୍ଟ ଅନୁସାରେ ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ (ଏସ୍‌ଆଇଆର୍‌) ବା ସିଧାଅର୍ଥରେ କହିଲେ ଭୋଟର ତାଲିକା ସମୀକ୍ଷା ପ୍ରକ୍ରିୟା ବିରୋଧରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ଅବସରରେ ଆବେଦନକାରୀ ଏବଂ ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷ ଶୁଣିବା ପରେ କୋର୍ଟ ଏସ୍‌ଆଇଆର୍ ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ, ଏପ୍ରକାର ସର୍ଭେ ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉଛି । ଏହାକୁ କେହି ବିରୋଧ କରିବାର କୌଣସି କାରଣ ନାହିଁ । ନିର୍ବାଚନ କମିଶନ ଏକ ସାମ୍ବିଧାନିକ ପ୍ରାଧିକରଣ । ଏପ୍ରକାର ପ୍ରକ୍ରିୟା ଚଳାଇବା ପାଇଁ ଆୟୋଗ ସମ୍ପୂର୍ଣ୍ଣ ମୁକ୍ତ ଏବଂ କ୍ଷମତାସମ୍ପନ୍ନ । ଏପ୍ରକାର ସର୍ଭେ ପ୍ରକ୍ରିୟା ଚଳାଇବାରୁ ନିର୍ବାଚନ ଆୟୋଗକୁ ବାରଣ କରାଯିବା ନ୍ୟାୟସଂଗତ ନୁହେଁ । ତେବେ ଏହି ଅବସରରେ ସୁପ୍ରିମକୋର୍ଟ ଇସିଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଏହି ସମୀକ୍ଷା ସର୍ଭେ ପ୍ରକ୍ରିୟାରେ ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଥିବା ଆଧାର, ରାସନ କାର୍ଡ ଏବଂ ପରିଚୟପତ୍ରକୁ ଭୋଟରଙ୍କ ପରିଚୟ ପୁନଃଯାଞ୍ଚ ପାଇଁ ବୈଧ ଦସ୍ତାବିଜ ଭାବରେ ବିବେଚନା କରାଯିବା ଉଚିତ୍ । ଯଦି ଏହି ତିନୋଟି ଡକ୍ୟୁମେଣ୍ଟକୁ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଏ ତେବେ ଏହା ନ୍ୟାୟର ସ୍ୱାର୍ଥରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଇ ଜୁଲାଇ ୨୮ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଏସ୍‌ଆଇଆର ମାଧ୍ୟମରେ ନିର୍ବାଚନ ଆୟୋଗ ପ୍ରତି ଘରକୁ ଘର ଯାଇ ଭୋଟରଙ୍କ ଯାଞ୍ଚ କରିବେ । ଯାଞ୍ଚ ପରେ ନୂଆ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଯାଞ୍ଚ ସମୟରେ ଭୋଟରମାନେ ଏକ ଫର୍ମ ପୂରଣ କରିବେ । ଯେଉଁଥିରେ ସେମାନେ ନିଜର ପୂର୍ଣ୍ଣ ବାସସ୍ଥାନ ଠିକଣା ସହିତ ଫଟୋ ପରିଚୟପତ୍ର ଦେବେ । ୨୦୦୩ରେ ଯେଉଁ ଭୋଟରମାନେ ତାଲିକାଭୁକ୍ତ ନଥିଲେ ସେମାନଙ୍କୁ ଅତିରିକ୍ତ କାଗଜପତ୍ର ଯେପରି କି ଜନ୍ମ ପ୍ରମାଣପତ୍ର, ପିତାମାତାଙ୍କ ଜନ୍ମସ୍ଥାନ ଠିକଣା ଆଦି ଦେବାକୁ ପଡିବ । ୧୯୮୭ ପରେ ଜନ୍ମ ହୋଇଥିବା ଭୋଟରଙ୍କୁ ସେମାନଙ୍କ ପିତାମାତାଙ୍କ ନାଗରିକତ୍ୱର ପ୍ରମାଣପତ୍ର ଦେବାକୁ ହେବ । ଏହାଦ୍ୱାରା ଅନେକ ଭୋଟର ତାଲିକାରୁ ବାଦ୍ ପଡିବାର ଆଶଙ୍କା ରହିଛି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking