22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ: କାଉଡି ଯାତ୍ରା ମାର୍ଗରେ ଥିବା ଭୋଜନାଳୟ ଓ ଅନ୍ୟ ଫାଷ୍ଟଫୁଡ ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ବାଧ୍ୟ କରିପାରିବନି ପୋଲିସ କିମ୍ବା ପ୍ରଶାସନ । ଆଜି ଏହି ରାୟ ସହ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ସର୍ବୋଚ୍ଚ କୋର୍ଟରୁ ଝଟକା ଖାଇଛନ୍ତି । ଉଭୟ ସରକାର ଦ୍ୱାରା ଜାରି ନିର୍ଦ୍ଦେଶରେ ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଏହି ଆଦେଶକୁ କାର୍ଯ୍ୟକାରୀ ନକରିବାକୁ ଖଣ୍ଡପୀଠ କହିଛନ୍ତି । ଆଜି ଠାରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ହେଲେ କୌଣସି ପରିସ୍ଥିତିରେ ଦୋକାନୀଙ୍କୁ ସ୍ଥାନୀୟ ପୋଲିସ ଏପରି କରିବାକୁ ବାଧ୍ୟ କରିପାରିବ ନାହିଁ କିମ୍ବା ରାଜ୍ୟ ସରକାର ପୋଲିସକୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ଆଜି ଶୁଣାଣିରେ ସ୍ପଷ୍ଟ କରିଛନ୍ତି । କିଛି ସ୍ଥାନରେ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ ପୋଲିସ ଓ ପ୍ରଶାସନ ଦୋକାନୀଙ୍କୁ ଏପରି କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ନାମ ଓ ଦୋକାନର ନାମ ସହ ବିକ୍ରେତାଙ୍କ ମୋବାଇଲ ନମ୍ବର ମଧ୍ୟ ଲେଖିବାକୁ ମଧ୍ୟ ବାଧ୍ୟ କରାଯାଉଥିବା ଅଭିଯୋଗ ସହ ମାମଲା କୋର୍ଟରେ ପହଞ୍ଚିଥିଲା ।

ଆଜି କୋର୍ଟ ଏହି ରାୟ ସହ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ପ୍ରଥମେ ଉତ୍ତର ପ୍ରଦେଶ ସରକାର ଏହି ନିର୍ଦ୍ଦେଶ ଜାରି କରିବା ପରେ ଏହାକୁ କିଛି ବର୍ଗ ସ୍ୱାଗତ କରିଥିବା ବେଳେ ଅନ୍ୟ କିଛି ବିରୋଧ ମଧ୍ୟ କରିଥିଲେ । ଏକାଧିକ ସାମାଜିକ ସଂଗଠନ ଯୋଗୀ ସରକାରର ଏହି ନିଷ୍ପତ୍ତିକୁ ଧାର୍ମିକ ଭେଦଭାବ ସୃଷ୍ଟିକାରୀ ଓ ସାମାଜିକ ସଂହତି ନଷ୍ଟ କରିବା ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ । ଏହା ପରେ ମାମଲା ସିଧା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଆଜି ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ଏସ.ଭି.ଏମ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲେ । ଆଜି ଶୁଣାଣିରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ପକ୍ଷ ରଖିଥିଲେ । ସରକାର ଖାଦ୍ୟ ନିରାପତ୍ତା ନିୟମ ବାହାରକୁ ଯାଇ ଏହି ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣର ନିୟମାବଳି ଅନୁସାରେ ବଜାରରେ ବିକ୍ରି ହେଉଥିବା କୌଣସି ଖାଦ୍ୟର ଇନଗ୍ରିଡିଏଣ୍ଟସ ଓ ଏହା ଆମିଷ କିମ୍ବା ନିରାମିଷ ବୋଲି ଉଲ୍ଲେଖ କରିବାର ନିୟମ ରହିଛି । ମାତ୍ର କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଥିବା ଦୋକାନ ସମ୍ପର୍କରେ ଉଲ୍ଲେଖ କରାଯିବା ନିଷ୍ପତ୍ତି ଉଚିତ ନୁହେଁ ବୋଲି କହିଥିଲେ । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିର୍ଦ୍ଦେଶରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking