18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶକୋଟା ଭିତରେ କୋଟା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମତି ଦେବା ପ୍ରସଙ୍ଗ; ସିଜେଆଇଙ୍କୁ ହତ୍ୟା ଧମକ, ମାମଲା...

କୋଟା ଭିତରେ କୋଟା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମତି ଦେବା ପ୍ରସଙ୍ଗ; ସିଜେଆଇଙ୍କୁ ହତ୍ୟା ଧମକ, ମାମଲା ରୁଜୁ

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ହତ୍ୟା ଧମକ ମିଳିଛି । ଜଣେ ବ୍ୟକ୍ତି ନିଜ ଫେସବୁକ୍ ପୋଷ୍ଟରେ ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ଜୀବନରୁ ମାରିଦେବାକୁ ଉଲ୍ଲେଖ ପୂର୍ବକ ଧମକ ଦେଇଛନ୍ତି । ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିବା ପୂର୍ବକ ଅଧିକ ଛାନବିନ୍ ଆରମ୍ଭ କରିଛି ।
ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସ୍‌ସି-ଏସ୍‌ଟି) ସଂରକ୍ଷଣ ଅନ୍ତର୍ଗତ ଜାତିଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ଗତ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ୭ ଜଣିଆ ବିଚାରପତିଙ୍କ ବୃହତର ସାମ୍ବିଧାନିକ ବେଞ୍ଚ କହିଥିଲେ ଯେ, ଏସ୍‌ସି/ଏସ୍‌ଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ୍ କୋଟା ଦିଆଯାଇପାରିବ । ସେହିପରି ରାଜ୍ୟ ସରକାର, ନିଯୁକ୍ତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାରେ ଏସ୍‌ସି/ଏସ୍‌ଟିଙ୍କ ଉପବର୍ଗୀକରଣ କରିପାରିବେ । ଅବଶ୍ୟ ତେବେ ଏଥିପାଇଁ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆଗରେ ୨ଟି ସର୍ତ୍ତ ମଧ୍ୟ ରଖିଥିଲେ । ଖଣ୍ଡପୀଠଙ୍କ ୨ଟି ସର୍ତ୍ତ ମଧ୍ୟରେ ପ୍ରଥମତଃ ଉପବର୍ଗୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ମନମୁଖୀ ନିଷ୍ପତ୍ତି ନେଇପାରିବେ ନାହିଁ । ଅନୁସୂଚୀତ ଜାତି ମଧ୍ୟରେ କୌଣସି ଏକ ନିର୍ଦ୍ଦିଷ୍ଟ ଜାତିକୁ ୧୦୦% ସଂରକ୍ଷଣ ଦିଆଯାଇପାରିବନି । ଦ୍ୱିତୀୟତଃ ଅନୁସୂଚୀତ ଜାତିରେ ସାମିଲ କୌଣସି ଜାତଙ୍କ ପାଇଁ କୋଟା ବା ସଂରକ୍ଷଣ ମାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ଉକ୍ତ ଜାତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ସବିଶେଷ ତଥ୍ୟ ଉପଲବ୍ଧ ଥିବା ଅତ୍ୟନ୍ତ ଜରୁରି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ବହୁମତ (୬:୧) ଅନୁଯାୟୀ ଏହି ରାୟ ଶୁଣାଇବା ସହ ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ମୋହର ଲଗାଇଥିଲେ । ୭ଜଣିଆ ବିଚାରପତି ମଣ୍ଡଳୀଙ୍କ ମଧ୍ୟରୁ କେବଳ ଜଷ୍ଟିସ୍ ବେଲା ତ୍ରିବେଦୀ ବହୁମତ ନିଷ୍ପତ୍ତି ବିରୋଧରେ ରାୟ ଦେଇଥିଲେ ।
ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ଏହି ରାୟରେ ଅସନ୍ତୁଷ୍ଟ ଥିବା ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସିଜେଆଇଙ୍କ ଉଦ୍ଦେଶ୍ୟରେ ଏପ୍ରକାର ହତ୍ୟା ଧମକ ଦେଇଛନ୍ତି । ଅଭିଯୁକ୍ତ ବ୍ୟକ୍ତିଙ୍କ ନାମ ପଙ୍କଜ ଅତୁଲକର ଏବଂ ସେ ମଧ୍ୟପ୍ରଦେଶର ବେତୁଲ ଅଞ୍ଚଳର ସ୍ଥାୟୀ ନିବାସୀ ବୋଲି ଜଣାପଡିଛି । ଅନୁସୂଚିତ ଜାତି ଏବଂ ଜନଜାତି ଲୋକଙ୍କୁ ‘ଦାସତ୍ୱ ପ୍ରଥାରେ ସବୁଦିନ ପାଇଁ ବାନ୍ଧିବା’ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି, ଯାହା ସମ୍ବିଧାନର ଉଲ୍ଲଂଘନ ଅଟେ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ବେତୁଲ ଗଞ୍ଜ ପୁଲିସ ଷ୍ଟେଶନ ଦାୟିତ୍ୱରେ ଥିବା ରବିକାନ୍ତ ଦହେରିଆ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ସମ୍ପୃକ୍ତ ବିଭାଗ ଅନୁଯାୟୀ ଅଭିଯୁକ୍ତ ଅତୁଲକର ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟକୁ ଅନେକ ରାଜନୈତିକ ଦଳ ବିରୋଧ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି ନିଷ୍ପତ୍ତି ବିଷୟରେ ଏକ ବିତର୍କ ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking