23.1 C
Bhubaneswar
Tuesday, February 3, 2026
Homeଓଡିଶାନୟାଗଡ଼ରୁ ଲୋପ୍ ପାଇବ ଆଖୁଚାଷ!

ନୟାଗଡ଼ରୁ ଲୋପ୍ ପାଇବ ଆଖୁଚାଷ!

ନୟାଗଡ: କୃଷି ଓ କୃଷକଙ୍କୁ ସଶସ୍ତ କରିବା ପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଅନେକ ସମୟରେ ଚାଷୀ ତା’ର ପ୍ରକୃତ ନ୍ୟାୟ ପାଉନଥିବା ନେଇ ଅଭିଯୋଗ ହେଉଛି। ଏମିତି ଦେଖିବାକୁ ଗଲେ ନୟାଗଡ଼ର ଚାଷୀମାନଙ୍କ ପେଟକୁ ଜାଣିଶୁଣି ନାତ ମରାଯାଉଥିବା କେତେକ ଚାଷି ଅଭିଯୋଗ କରିଛନ୍ତି। ନୟାଗଡ଼ର ମୁଖ୍ୟ ଫସଲ ଧାନ ହୋଇଥିଲା ବେଳେ ଦ୍ୱିତୀୟ ଅର୍ଥକାରୀ ଫସଲ ହେଉଛି ଆଖୁ। ଅତୀତରେ ନୟାଗଡ଼ର ଚାଷୀମାନେ ଆଖୁଚାଷ ଉପରେ ନିର୍ଭର କରି ସୁରୁଖୁରୁରେ ନିଜ ଗୁଜୁରାଣ ମେଣ୍ଟାଉଥିଲାବେଳେ ମଧ୍ୟବିତ୍ତ ପରିବାରମାନେ ଆଖୁଚାଷ କରି ଭଲ ଉପକୃତ ହେଉଥିଲେ। ନୟାଗଡ଼ ଜିଲାର ଚାଷୀ ମୁଖ୍ୟତଃ ଧାନ, ରବି ଫସଲ ଓ ଆଖୁ ଫସଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି।

ଆଖୁ ଏକ ଅର୍ଥକରୀ ଫସଲ ହେତୁ ଚାଷୀମାନେ ଏହାକୁ ଅଗ୍ରାଧିକାର ଦେଉଥିଲେ। ତତ୍କାଳୀନ ସରକାର ଚାଷୀମାନଙ୍କ ହିତ ପାଇଁ ନୟାଗଡ଼ ଜିଲାରେ ବହୁକୋଟି ଟଙ୍କା ବ୍ୟୟରେ ଏକ ଭାରି ଚିନି ଶିଳ୍ପ ପ୍ରତିଷ୍ଠା କରିଥିଲେ। ଦୀର୍ଘଦିନ ଧରି ଏହି ଚିନି ଶିଳ୍ପ ଏଠାକାର ଜନସାଧାରଣଙ୍କ ସମେତ ଚାଷୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଭାଂଶ ଦେଇଥିଲା। ଧରଣୀ ସୁଗାରର ପରିଚାଳନା ରନ୍ନତମାନର ଥିବାବେଳେ ପରବର୍ତ୍ତୀ କାଳରେ ଘରୋଇ ସଂସ୍ଥା ଏହାକୁ ଠିକ୍‌ଭାବରେ ପରିଚାଳନା କରି ନ ପାରିବାରୁ ଏହା ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଆସିଥିଲା। ଫଳରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଚିନି ଶିଳ୍ପ ଓ ଆଖୁଚାଷ ଏବଂ ଆଖୁଚାଷୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

୨୦୧୪-୧୫ ମସିହାରେ ଏହି କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ଚିନିକଳ ବନ୍ଦ କରିଦେବାରୁ ଆଖୁଚାଷୀମାନେ ସେମାନଙ୍କର ବକେୟା ପ୍ରାପ୍ୟ ମଧ୍ୟ ପାଇପାରି ନଥିଲେ। ଆଖୁ ଚାଷୀମାନେ ବ୍ୟାଙ୍କ ଋଣ ଓ ଧାର କରଜ କରି ଆଣିଥିବା ଟଙ୍କା ପରିଶୋଧ କରି ନ ପାରିବାରୁ ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ଆଖୁଚାଷୀ ଏବଂ ଚିନିଶିଳ୍ପ କର୍ମଚାରୀଙ୍କ ଆନ୍ଦୋଳନ ଦୀର୍ଘଦିନ ହେଲା ଲାଗିରହିଥିଲେ ହେଁ ଏହାର ସମାଧାନ ଆଜି ପର୍ଯ୍ୟନ୍ତ ମଧ୍ୟ ହୋଇପାରିନଥିଲା। ଏଥିପ୍ରତି ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ତଥା ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଆଖୁଚାଷୀ ହତାଶ ଓ ନିରାଶ ମଧ୍ୟରେ ଗତି କରୁଛନ୍ତି। ଏପରିକି ଆଖଚାଷରୁ ବିମୁଖ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। କିଏ କେମିତି ଟିକିଏ ଆଖୁଚାଷ କରି ତାକୁ ଆଖୁ ଶାଳରେ ପେଡ଼ି ଖାଇବା ପାଇଁ ଗୁଡ଼ କରୁଥିବା ବେଳେ ନୟାଗଡ଼ ଜିଲାରେ ପ୍ରାୟତଃ ଆଖୁଚାଷ କ୍ରମେ ଲୋପ ପାଇବାକୁ ବସିଲାଣି।

ଯେଉଁଠି ବା ଚାଷୀ ସ୍ୱଚ୍ଛ କିଛି ଆଖୁଚାଷ କରୁଛି ତାହାକୁ ବାଧ୍ୟହୋଇ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ସରକାରଙ୍କର ଚାଷୀ ପାଇଁ ବିକାଶ ଯୋଜନା ଏଠାରେ ଏକପ୍ରକାର ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ନୟାଗଡ଼ର ଚାଷୀକୂଳ ଏଯାବତ୍ ସେମାନଙ୍କର ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ନଦୀବନ୍ଧ ଯୋଜନା ବା ନଦୀ ସଂଯୋଗୀକରଣ ଯୋଜନା କିଛି ନ ଥିବାରୁ ବିଚରା ଟାଷୀ ବହୁ ସମୟରେ କ୍ଷତିଗ୍ରସ୍ତ ହୋଇ ମୁଣ୍ଡରେ ହାତଦେଇ ବସୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ତତ୍ପରତା ପ୍ରକାଶ କରିବା ସହ ନୟାଗଡ଼ ଚିନିଶିଳ୍ପକୁ ପୁନରୁଦ୍ଧାର କରି କିମ୍ବା ନୂଆ ଚିନି ଶିଳ୍ପ ନିର୍ମାଣ କରି ଚାଷୀମାନଙ୍କ ସମସ୍ୟାକୁ ଦୂରୀକରଣ କରିବା ଦିଗରେ ଉଦ୍ୟମ କରିବା ଆବଶ୍ୟକ ବୋଲି ଦାବି ହେଉଛି। ନୟାଗଡ଼ ଚାଷୀଙ୍କ ଭାତହାଣ୍ଡି କୁହାଯାଉଥିବା ଆଖୁଚାଷ ବୁଡ଼ି ନଯାଉ ବୋଲି ମତପ୍ରକାଶ ପାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking