ବାଲେଶ୍ୱର: ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାର ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ଯେଉଁଦିନ ପୀଡିତାଙ୍କ ଦେହରେ ନିଆଁ ଲାଗିଥିଲା ତା ପର ଦିନ ଶୁଭ୍ର ସମ୍ବିତ ଶିବ ମନ୍ଦିର ଯାଇଥିଲେ । ହୁଏତ ସେ ପଶ୍ଚାତାପ କରିଥାଇପାରନ୍ତି, ସତରେ କଣ ମୁଁ ଭୁଲ କରିଦେଇଛି କି , ଏକୁଟିଆ ମନ୍ଦିର ଯାଇ ମନରେ ଅସଖ୍ୟ ପ୍ରଶ୍ନ ସୃଷ୍ଟି କରି ବିଚଳିତ ହୋଇଯାଇଥିଲେ । ନାଟକ ରଚିଲି ସତ କିନ୍ତୁ ଏତେ ବଡ ଘଟଣା ହୋଇଯିବ ବୋଲି କିଏ ଜାଣିଥିଲା । ମୋ ସାଙ୍ଗର ଶରୀର ୯୦, ୯୫ ପ୍ରତିଶତ ଜଳି ମରିଯିବ ବୋଲି କିଏ ଜାଣିଥିଲା । ସେଥିପାଇଁ ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ପଶ୍ଚାତାପ କରିଥିଲେ ଶୁଭ୍ର ସମ୍ବିତ ନାୟକ । ଏ ଘଟଣାରେ ଆଉ ୨ ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି । ୨୩ ଦିନ ପରେ ଦୁଇ ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀ ମୃତ୍ୟୁ ଘଟଣା ଷଡଯନ୍ତ୍ର ଅଭିଯୋଗରେ ଗିରଫ ହେଲେ ଦୁଇ ଛାତ୍ର। ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ । ଶୁଭ୍ର ସମ୍ବିତ ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି । ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ । ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢେଇ କରୁଥିବା ବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ କିଛି ଛାତ୍ର । ନିକଟରେ ମୋବାଇଲ ଭିଡ଼ିଓ କରିବା ସହିତ ଆତ୍ମହତ୍ୟା ଉଦ୍ୟମ ପାଇଁ ସହଯୋଗ କରିଥିବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ଗିରଫ କରାଯାଇଛି ।










