31.1 C
Bhubaneswar
Tuesday, March 24, 2026
Homeଓଡିଶାଆଜିଠାରୁ ଆରମ୍ଭ ‘ସୁଭଦ୍ରା ଶକ୍ତି ମେଳା’

ଆଜିଠାରୁ ଆରମ୍ଭ ‘ସୁଭଦ୍ରା ଶକ୍ତି ମେଳା’

ଭୁବନେଶ୍ବର: ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ମାନଙ୍କୁ ନେଇ ଜନତା ମଇଦାନରେ ଆସନ୍ତାକାଲି ଠାରୁ ଆୟୋଜିତ ହେବାକୁ ଯାଉଛି ‘ସୁଭଦ୍ରା ଶକ୍ତି ମେଳା’। ଯେଉଁଥିରେ ଏସ୍‌ଏଚ୍‌ଜିର ହଜାର ହଜାର ମହିଳା ସଦସ୍ୟା ଯୋଗଦେଇ ନିଜ ନିଜର ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରିବେ। ମିସନ ଶକ୍ତି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଏହି ମିସନ ଶକ୍ତି ମହିଳାମାନଙ୍କୁ ନେଇ ପୂର୍ବରୁ ଆୟୋଜିତ ହେଉଥିବା ମେଳାର ନାମ ‘ମିସନ ଶକ୍ତି ମେଳା’ରହିଥବା ବେଳେ ଏଥର ଏହି ମେଳାର ନାମକୁ ‘ସୁଭଦ୍ରା ଶକ୍ତି ମେଳା’ ରଖାଯାଇଛି। ଏଥିରେ ‘ମିସନ ଶକ୍ତି’ର କୌଣସି ଚିହ୍ନବର୍ଣ୍ଣ ନାହିଁ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ‘ଏସ୍‌ଏଚ୍‌ଜିର ପୁନର୍ଗଠନ ହେବ। ପର୍ୟ୍ୟାୟକ୍ରମେ ନୂଆ ନେତୃତ୍ବ ସୃଷ୍ଟି ହେବେ।’ ତାଙ୍କର ଏଭଳି ଘୋଷଣା ପରେ ବିବାଦ ଦେଖାଦେଇଛି। ଚର୍ଚ୍ଚା ହେଉଛି, ଆଗକୁ ହୁଏତ ମିସନ ଶକ୍ତି ବନ୍ଦ ହୋଇ ନୂଆ ନାଁରେ ଆସିବ। ଉପମୁଖ୍ୟମନ୍ତ୍ରୀଙ୍କ ଏଭଳି ସୂଚନା ପରେ ବିରୋଧୀ ବିଜେଡି ଓ କଂଗ୍ରେସ ନେତାମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଗକୁ ‘ସୁଭଦ୍ରା ଶକ୍ତି’ ଶକ୍ତିଶାଳୀ ହୋଇପାରେ ଏବଂ ‘ମିସନ ଶକ୍ତି’ ସତ୍ତା ହରାଇପାରେ ବୋଲି ଆଲୋଚନା ହେଉଛି। ନୂଆ ସରକାରରେ ‘ସୁଭଦ୍ରା ଶକ୍ତି’ ମେଳାର ଆବିର୍ଭାବକୁ ସହଜରେ ସେମାନେ ଗ୍ରହଣ କରିପାରିନାହାନ୍ତି। ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ମିସନ ଶକ୍ତିକୁ କାଉଣ୍ଟର କରିବାକୁ ଯେଉଁ ଯୋଜନା ହୋଇଛି ତାହା ସଫଳ ହେବ ନାହିଁ। ଗାଁ ଗହଳିର ମା’ ଭଉଣୀମାନେ କେଉଁ ସରକାର କ’ଣ ତାହା ବୁଝି ସାରିଲେଣି ବୋଲି କହିଛନ୍ତି। ଅନ୍ୟପଟେ କଂଗ୍ରେସ ନେତାମାନେ କଟାକ୍ଷ କରି କହିଛନ୍ତି ଯେ ନୂଆ ସରକାର ପୂର୍ବରୁ ରଙ୍ଗ ପରିବର୍ତ୍ତନ କରୁଥିଲେ, ଏବେ ନାଁ ପରିବର୍ତ୍ତନ କରିବାକୁ ବସିଲେଣି। ସୁଭଦ୍ରା ଶକ୍ତି ମେଳାକୁ ପ୍ରଭାତୀଙ୍କର ପ୍ରାଥମିକତା, ମିସନ ଶକ୍ତି ଅସ୍ତିତ୍ବକୁ ସଙ୍କଟ ଭିତରକୁ ଠେଲି ଦେଇଛି। ସୂଚନାଯୋଗ୍ୟ, ଶନିବାର ବା ଆସନ୍ତାକାଲିଠାରୁ ଜନତା ମଇଦାନରେ ଆରମ୍ଭ ହେବାକୁ ଥିବା ସୁଭଦ୍ରା ଶକ୍ତି ମେଳା ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଏଥି ୩ଶହରୁ ଊର୍ଦ୍ଧ୍ବ ଷ୍ଟଲ୍‌ରେ ସାରା ଓଡ଼ିଶାର ମହିଳା ଉଦ୍ୟୋଗୀମାନେ ଯୋଗଦେବେ। ଏସ୍‌ଏଚ୍‌ଜି ସହ ଉତ୍ପାଦକ ଗୋଷ୍ଠୀ (ପିଜି)ବି ନିଜନିଜର ଉତ୍ପାଦ ଆଣିବେ। ଏଥିରେ ହସ୍ତଶିଳ୍ପ ଓ ଜୈବିକ ଉତ୍ପାଦର ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରି ହେବ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଓ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍- ଭିତ୍ତିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦ ଉପଲବ୍ଧ ହେବ। ସୁଭଦ୍ରା ଶକ୍ତି ମେଳା କେବଳ ଏକ ପ୍ରଦର୍ଶନୀ ନୁହେଁ; ବରଂ ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ କରିବା ସହ, ଆର୍ଥିକ ଅଭିବୃଦ୍ଧି ଏବଂ ନେଟୱର୍କିଂ ସୁଯୋଗ ପାଇଁ ଦ୍ବାର ଖୋଲିବ। ଆତ୍ମନିର୍ଭରଶୀଳତା ଓ ସ୍ଥାୟୀ ଜୀବିକାର ପ୍ରଚାର ପ୍ରସାରରେ ବୃଦ୍ଧି କରିବାରେ ଏକ ବିଶେଷ ସୁଯୋଗ ପ୍ରଦାନ କରିବ। ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସହ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ। ଏକସମୟରେ ପୁରୀ, ମାଲକାନଗିରି, ସମ୍ବଲପୁର ଓ ବଲାଙ୍ଗୀରରେ ଆଞ୍ଚଳିକ ମେଳା ଆୟୋଜିତ ହେବ। ଏହି ଆଞ୍ଚଳିକ ମେଳାଗୁଡ଼ିକ ଏସ୍ଏଚଜିମାନଙ୍କୁ ଉତ୍ପାଦ ବଢ଼ାଇବା ଓ ଜିଲ୍ଲା ବାହାରେ ନିଜର ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ରହିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking