37.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶକ୍ଲାସ୍‌ରୁମ୍‌କୁ ଛାତ୍ରୀଛାତ୍ରଙ୍କୁ ମୋବାଇଲ ମନା

କ୍ଲାସ୍‌ରୁମ୍‌କୁ ଛାତ୍ରୀଛାତ୍ରଙ୍କୁ ମୋବାଇଲ ମନା

ସିଓଲ: ସ୍କୁଲ ଯାଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଢ଼ୁଥିବା ସ୍ମାର୍ଟଫୋନ୍‌ ନିଶା ଚିନ୍ତାର ବିଷୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଅଷ୍ଟ୍ରେଲିଆ ଛାତ୍ରୀଛାତ୍ରଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିଥିଲା। ଏବେ ଦକ୍ଷିଣ କୋରିଆ ମଧ୍ୟ ସମାନ ନିଷ୍ପତ୍ତି ନେଇ କ୍ଲାସ୍‌ରୁମ୍‌ ମୋବାଇଲ ଏବଂ ଡିଜିଟାଲ ଡିଭାଇସ ନେବାକୁ ନିଷେଧ କରିଛି। ଏହି ନିଷ୍ପତ୍ତି ଦେଶର ବିଭିନ୍ନ ସ୍କୁଲରେ କାର୍ଯ୍ୟକାରୀ ହେବ। ଏଠାକାର ନେତାମାନେ କହିଛନ୍ତି ଯେ, ଯୁବପିଢ଼ିଙ୍କ ମଧ୍ୟରେ ସୋସିଆଲ ମିଡିଆ ନିଶା ଏକ ବଡ଼ ସଙ୍କଟର ରୂପ ନେଉଛି। ଦକ୍ଷିଣ କୋରିଆର ସଂସଦ ଦ୍ୱାରା ଗୃହୀତ ଏହି ନିଷ୍ପତ୍ତି ଆସନ୍ତା ବର୍ଷ ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ। ଏହି ନିୟମ ପ୍ରସ୍ତାବ ଦେଇଥିବା ନେତା ଚୋ ଜଙ୍ଗ-ହୁନ କହିଛନ୍ତି, ପିଲାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମ ଚଲାନ୍ତି। ପ୍ରତିଦିନ ସକାଳେ ସେମାନଙ୍କର ଆଖି ଲାଲ ଥାଏ ଏବଂ ସେମାନେ ରାତି ୨-୩ଟା ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମରେ ରୁହନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡରେ ମଧ୍ୟ ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି।

ଦକ୍ଷିଣ କୋରିଆର ୯୮ ପ୍ରତିଶତ ଜନସଂଖ୍ୟାର ସ୍ମାର୍ଟଫୋନ ଅଛି ଏବଂ ଏଠାକାର ପ୍ରାୟ ୯୯ ପ୍ରତିଶତ ଜନସଂଖ୍ୟା ଇଣ୍ଟରନେଟ୍‌ ବ୍ୟବହାର କରନ୍ତି। ଗତ ବର୍ଷ ଏଠାକାର ଶିକ୍ଷା ମନ୍ତ୍ରଣାଳୟ ଏକ ସର୍ଭେ କରିଥିଲା। ଏଥିରେ, ୩୭ ପ୍ରତିଶତ ମଧ୍ୟମା ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର କହିଥିଲେ ଯେ, ସୋସିଆଲ ମିଡିଆ ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ସର୍ଭେରେ ଅଂଶଗ୍ରହଣ କରିଥିବା ୨୨ ପ୍ରତିଶତ ଛାତ୍ରୀଛାତ୍ର କହିଛନ୍ତି, ଯେତେବେଳେ ସେମାନେ ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ, ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। ଏହି କାରଣରୁ ଅନେକ ସ୍କୁଲରେ ସ୍ମାର୍ଟଫୋନ ପୂର୍ବରୁ ନିଷିଦ୍ଧ କରାଯାଇଥିଲା ଏବଂ ବର୍ତ୍ତମାନ ଏହି ନିୟମ ସାରା ଦେଶର ସ୍କୁଲଗୁଡ଼ିକରେ ଲାଗୁ କରାଯାଇଛି। ତଥାପି ଏହି ନିୟମରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଏହା ସହିତ ପାଠପଢ଼ା ପାଇଁ ସ୍ମାର୍ଟଫୋନ ବ୍ୟବହାର ଉପରେ କୌଣସି ନିଷେଧ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking