ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ବଡ ଅଘଟଣ। ଏକ ବାଳିକା ବିଦ୍ୟାଳୟର ଦ୍ୱିତୀୟ ମହଲାରୁ ପଡି ଜଣେ ଛାତ୍ରୀ ମୃତ୍ୟୁବରଣ କରିଛି। ମୃତକଙ୍କୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ରାମଦୀପ କୌର ବୋଲି ଚିହ୍ନଟ କରାଯାଇଛି। ଏହି ଦୁର୍ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଛି। ସୂଚନା ଅନୁସାରେ, ପୁରୁଣା ଆବାଡି ଟାୱାର ରୋଡ୍ ଅଞ୍ଚଳର ବାସିନ୍ଦା ରାମଦୀପ କୌର ତାଙ୍କ ଜୀବବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷା ଦେବା ପାଇାଁ ବିଦ୍ୟାଳୟକୁ ଯାଇଥିଲେ। ଛାତ୍ରୀ ଜଣକ ଅସୁସ୍ଥ ଅନୁଭନ କରିବା ସତ୍ତ୍ୱେ ମଧ୍ୟ ପରୀକ୍ଷା ଦେଇଥିଲେ। ତାଙ୍କ ମାଆ ଏବଂ ଭାଇ ଲାବୋରେଟୋରୀ ବାହାରେ ଅପେକ୍ଷା କରିଥିଲେ। ସେ ପରୀକ୍ଷା ପରେ ଫେରୁଥିବା ସମୟରେ ସେ ଦ୍ୱିତୀୟ ମହଲାରୁ ଖସି ପଡ଼ିଥିଲେ। ଏହା ପରେ ସ୍କୁଲ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ତୁରନ୍ତ ତାଙ୍କୁ ସ୍କୁଲ ବସ୍ ଯୋଗେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ରାମଦୀପଙ୍କ ଗୁରୁତର ଅବସ୍ଥା ଦେଖି, ଡାକ୍ତରଖାନାର ଡାକ୍ତରମାନେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହି ଘଟଣାରେ ପୋଲିସ ଘଟଣାର କାରଣ ଜାଣିବା ପାଇଁ ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ ଆରମ୍ଭ କରିଛି।










