ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଦେଶ ଯୁବ କଂଗ୍ରେସ କାର୍ଯ୍ୟକରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଥିଲେ ଯେ ଯୁବ କଂଗ୍ରେସର ବୃଥସ୍ତରୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ରମ ଗ୍ରହଣ କରାଯାଉ । କ୍ଷମତାସୀନ ସରକାର ବିରୁଦ୍ଧରେ ଯୁବ କଂଗ୍ରେସ ବୁଥସ୍ତରରୁ ଆନ୍ଦୋଳନ କରିବ । ଓଡ଼ିଶାର ଯୁବକମାନେ ଦୀର୍ଘ ୨୫ ବର୍ଷ ଧରି ଅତ୍ୟାଚାରିତ, ଉପେକ୍ଷିତ ଏବଂ ନିଷ୍ପେଷିତ ହୋଇଆସୁଛନ୍ତି । ସେମାନଙ୍କର କର୍ମସଂସ୍ଥାନ ପାଇଁ କ୍ଷମତାସୀନ ସରକାର ଚିନ୍ତା କରୁନାହାନ୍ତି । ଓଡ଼ିଶାର ୧୧ ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ରାଜରାସ୍ତାରେ ଚିତ୍କାର କରୁଛନ୍ତି । ବିଜେପି ସରକାର ଯେଉଁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥୁଲା, ସରକାର ଗଢ଼ିବାର ଏକ ବର୍ଷ ପୁରିଗଲା ପରେ ସେ ଦିଗରେ ପ୍ରଚେଷ୍ଟା କରୁନାହାନ୍ତି । ଗ୍ରାମାଂଚଳର ଯୁବକମାନେ ନିଯୁକ୍ତି ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଯୁବ କଂଗ୍ରେସ ଯୁବକ ମାନଙ୍କର କର୍ମସଂସ୍ଥାନ, ରାଜ୍ୟ ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର, ମହଙ୍ଗାମାଡ, ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ସରକାରକୁ ଥରହର କରିବ ଏବଂ ବୁଥ ସ୍ତରରୁ ଯୁବକ ମାନଙ୍କୁ ଜାଗ୍ରତ କରିବ। ଭୋଟ ଚୋରୀ ବାବଦରେ ବୁଥ ସ୍ତରରେ ଭୋଟରମାନଙ୍କୁ ସଚେତନ କରାଇବା ।
ଅତ୍କଳ ଭାରତ ଯୁବ କଂଗ୍ରେସର ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ମହେଶ ଦେଷମୁଖ୍ ଆଗାମୀ ୩ ମାସର କାର୍ଯ୍ୟକ୍ରମ ପାଇଁ ଖସଡା ପ୍ରସ୍ତୁତ କଲେ । ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ଯୁବ କଂଗ୍ରେସର ଆନ୍ଦୋଳନ, ସଚେତନତା କାର୍ଯ୍ୟକ୍ରମ କିଭଳି ଭାବରେ ଆୟୋଜିତ ହେବ ସେ ସଂପର୍କରେ ଦିଗ୍ଦର୍ଶନ ଦେଇଥିଲେ । ରାଜ୍ୟ ପ୍ରଭାରୀମାନେ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଅଧୂକ ସମୟ ଦେବା ପାଇଁ ଉପଦେଶ ଦେଇଥିଲେ। ଏହି ବୈଠକରେ ଭୋଟ ଚୋରୀକୁ ନେଇ ଜନନାୟକ ରାହୁଲ ଗାନ୍ଧୀଙ୍କର ଦୁର୍ବାର ଆନ୍ଦୋଳନ, ଶାଣିତ ସ୍ୱର ଏବଂ ଅନନ୍ୟ ଆହ୍ବାନ ପ୍ରତି ଦୃଢ଼ ସମର୍ଥନ ଦିଆଯାଇଥିଲା। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଯୁବ କଂଗ୍ରେସ ଏ ରାଜ୍ୟର ଉପେକ୍ଷିତ ଯୁବକ ମାନଙ୍କର ସ୍ବର ଭାବେ କାର୍ଯ୍ୟ କରୁଛି । ଓଡ଼ିଶାର ସରକାରୀ ଓ ବେସରକାରୀ ଶିଳ୍ପମାନଙ୍କରେ ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରାଯାଉଛି । ଏହି ପ୍ରସଙ୍ଗରେ ଯୁବ କଂଗ୍ରେସ ଖୁବ୍ଶୀଘ୍ର ଆନ୍ଦୋଳନ କରିବ । ଏହି କାର୍ଯ୍ୟକ୍ରମରେ କୃଷ୍ଣ ମହାନ୍ତି, ଗଣେଷ ସାହୁ, ନିହାର ରଞ୍ଜନ ବେହେରା, ସୁଦିପ ସାମଲ, ଗୋପନ ମାର୍ଥା, ଅଭିଜିତ ଜେନା, ଜାଭେଦ ଅଖତର, ମହମ୍ମଦ ଗୁଲଫାମ୍, ଆଲୋକ ଦାସ, ରଞ୍ଜନ କୁମାର ଦାସ, ଲିପ୍ସା ନାୟକ, କେଦାର ଦଳେଇ, ଶିବ୍ ଅଗ୍ରୱାଲ, ବଳରାମ ନନ୍ଦ, ସୁରଜ ରାଉତ, ମହମ୍ମଦ ପରଭେଜ, ନଳୀନକାନ୍ତ ନାୟକ, ଶ୍ରୀଜନିକା ରାଉତ, ଓ ଜ୍ଞାନରଞ୍ଜନ ରାଉତ ପ୍ରମୁଖ ଯୁବ କଂଗ୍ରେସର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି ଓ ବିଧାନସଭା ସଭାପତି ଅଂଶ ଗ୍ରହଣ କରିଥିଲେ ।










