27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକେରଳ ଓ ପଶ୍ଚିମବଙ୍ଗରେ ରାଜ୍ୟ ସରକାର- ରାଜ୍ୟପାଳ ବିବାଦ

କେରଳ ଓ ପଶ୍ଚିମବଙ୍ଗରେ ରାଜ୍ୟ ସରକାର- ରାଜ୍ୟପାଳ ବିବାଦ

ନୂଆଦିଲ୍ଲୀ:  ଦୀର୍ଘ ସମୟ ଧରି ଦିଲ୍ଲୀ ସମେତ କେରଳ ଓ ପଶ୍ଚିମବଙ୍ଗରେ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଆସୁଛି । ମୁଖ୍ୟତଃ କ୍ଷମତାକୁ ନେଇ ଏହି ବିବାଦର ସୂତ୍ରପାତ ହେଉଥିବା ବେଳେ ଏହି ବିବାଦ ବେଳେବେଳେ ଉଗ୍ରାଭିମୁଖୀ ରୂପ ମଧ୍ୟ ଧାରଣ କରୁଛି । ରାଜ୍ୟ ସରକାରଙ୍କ କେଉଁ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବା ହେଉ କିମ୍ବା ବିଧାନସଭାରେ ପାରିତ ହୋଇଥିବା ବିଲ୍‌କୁ ସ୍ୱୀକୃତି ନଦେବା ହେଉ, ରାଜ୍ୟପାଳଙ୍କ କେତେକ ଆଭିମୁଖ୍ୟ ରାଜ୍ୟ ସରକାରଙ୍କ ସହ ମେଳ ଖାଉନଥିବା କ୍ଷେତ୍ରରେ ବିବାଦ ଦେଖିବାକୁ ମିଳିଥାଏ । ତେବେ ଏସବୁ ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ନ୍ୟାୟ ବ୍ୟବସ୍ଥାରେ ପରିଚାଳିତ ଭାରତ ଭଳି ଦେଶରେ ଅତ୍ୟନ୍ତ ଅଶୋଭନୀୟ ଆଚରଣ ବୋଲି ବିବେଚନା କରାଯାଇଥାଏ । ସୁତରାଂ ଆଜି ଏଭଳି ଏକ ଆବେଦନ ଉପରେ ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିବା ଜଣାପଡିଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ବିଚାର କରିଛନ୍ତି ।
ରିପୋର୍ଟ ଅନୁସାରେ ଉଭୟ କେରଳ ଓ ପଶ୍ଚିମବଙ୍ଗ ସରକାରଙ୍କ ଅଭିଯୋଗ ହେଉଛି ଯେ, ବିଧାନସଭାରେ ବହୁମତ ସହ ଏକାଧିକ ବିଲ୍ ପାରିତ ହୋଇଥିଲେ ମଧ୍ୟ ରାଜ୍ୟପାଳ ସେସବୁକୁ ଉଦ୍ଦେଶ୍ୟମୂଳକ ଭାବେ ଅନୁମୋଦନ ଦେଉନାହାନ୍ତି ଏବଂ ଅନୁଧ୍ୟାନ ଆଳରେ ଦୀର୍ଘ ସମୟ ଧରି ପକାଇ ରଖୁଛନ୍ତି । ଦୀର୍ଘ ୮/୧୦ ମାସ ଧରି ରାଜ୍ୟପାଳ ବିଲ୍‌ସବୁକୁ ଅଟକାଇ ରଖିଥିବା ଏବଂ ଏହି କାରଣରୁ ଏକାଧିକ ଜନହିତକର ଯୋଜନା କାର୍ଯ୍ୟକାରୀ ହୋଇପାରୁନଥିବା ଆବେଦନକାରୀ ରାଜ୍ୟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲମାନେ ଅଭିଯୋଗ କରିଥିଲେ । ତେଣୁ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଉ ବୋଲି ଉଭୟ ରାଜ୍ୟ ସରକାର ଦାବି ଉପସ୍ଥାପନ କରିଥିଲେ । ରାଜ୍ୟପାଳମାନଙ୍କ ଏପରି କାର୍ଯ୍ୟ ସମ୍ବିଧାନ ବିରୋଧୀ ଏବଂ କ୍ଷମତାର ଅପବ୍ୟବହାର ଦର୍ଶାଇବା ପୂର୍ବକ ରାଜ୍ୟ ସରକାର ଏସବୁକୁ ଘୋର ବିରୋଧ କରିଥିଲେ । ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟପାଳମାନଙ୍କ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରକାଶ, ବିଧାନସଭାରେ ବହୁମତ ସହ ଏକାଧିକ ବିଲ୍ ପାରିତ ହୋଇଥିଲେ ବି ରାଜ୍ୟପାଳମାନେ ଅନୁମୋଦନ ଦେଉନଥିବା ଅଭିଯୋଗ ହୋଇଆସୁଛି । ଦିଲ୍ଲୀ ପରେ ଏବେ କେରଳ ଏବଂ ପଶ୍ଚିମବଙ୍ଗ ସରକାର ଏପ୍ରକାର ଅଭିଯୋଗ ଜୋରଦାର କରୁଥିବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking