ସମ୍ବଲପୁର: ଗିରଫ ହେଲେ ସିନିୟର୍ ରେଭିନ୍ୟୁ ଆସିଷ୍ଟାଣ୍ଟ (ଏସ୍ଆରଏ) ବାସୁଦେବ ଭୋଇ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରର ମେଜର ସେଟେଲମେଣ୍ଡ ଅଧିକାରୀ କାର୍ଯ୍ୟାଳ୍ୟର ଏସଆରଏଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ। ତାଙ୍କୁ ଆଜି ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯିବ। ଅଧିକାରୀମାନେ କହିଛନ୍ତି ଯେ ଭୋଇଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତରୁ ତାଙ୍କର ଜ୍ଞାତ ଆୟ ଉତ୍ସଠାରୁ ବହୁ ସମ୍ପତ୍ତି ଥିବା ଜଣାପଡିଛି। ତଦନ୍ତକାରୀମାନେ ବରଗଡ଼ ସହରରେ ଗୋଟିଏ ବହୁମହଲା କୋଠା, ସମ୍ବଲପୁର ସହରରେ ଆଉ ଏକ କୋଠା, ୧୬ଟି ମୂଲ୍ୟବାନ ପ୍ଲଟ୍ ଏବଂ ଗୋଟିଏ ଚାରିଚକିଆ ଗାଡ଼ି ସମେତ ଅନ୍ୟାନ୍ୟ ସମ୍ପତ୍ତି ପାଇଛନ୍ତି। ଭୋଇ ଏହି ସମ୍ପତ୍ତି ପାଇଁ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବାସୁଦେବ ଭୋଇଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରିଥିଲା। ଚଢ଼ଉରେ ୨ ଡିଏସପି ଓ ୮ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ। ଏକକାଳୀନ ୪ଟା ସ୍ଥାନ ଯଥା-ବରଗଡ ସ୍ଥିତ ବାସଭବନ, ଚାରଭାଟିସ୍ଥିତ ଘର, ବରଗଡସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର କାର୍ଯ୍ୟାଳୟରେ ରେଡ ହୋଇଥିଲା।










