– ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଭଡ଼ା ଆଦାୟ ରୋକିବା ଉପରେ ପଦକ୍ଷେପ
– ତାଳବଣିଆରୁ ଜିଲ୍ଲା ହାଇସ୍କୁଲ୍ ନିଃଶୁଳ୍କ ନେବା ଆଣିବା ପାଇଁ ୧୦୦ ଅଟୋ ବ୍ୟବସ୍ଥା
– ମାଳତୀପାଟପୁର ଓ ତାଳବଣିଆରେ ଅସ୍ଥାୟୀ ବିଶ୍ରାମାଗାର ସହ ମିଳିବ ମୌଳିକ ସୁବିଧାକୁ
କଟକ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଏଣୁ ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୁଲିସ କର୍ତ୍ତୃପକ୍ଷ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏତେ ସଂଖ୍ୟକ ଶ୍ରଦ୍ଧାଳୁ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ଗ୍ରହଣ କରାଯାଇଛି। ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ରଥଯାତ୍ରା ନିମନ୍ତେ ଅନ୍ୟ ରୁଟ୍ ଗାଡ଼ିଗୁଡ଼ିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ। ଆଗ୍ରହୀ ବସ୍ ମାଲିକମାନେ ଏଥିନିମନ୍ତେ କିଭଳି ସୁବିଧାରେ ଆବେଦନ କରିବେ ଓ ଅନୁମତି ପାଇବେ ସେ ଦିଗରେ ଆଲୋଚନା କରାଯାଇଥିଲା।
ବିଶେଷକରି, କଟକ-ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ବସ୍ ପୁରୀ ଚଳାଚଳ କରିବା ଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ନିର୍ଦ୍ଧାରିତ ବସ୍ ଭଡ଼ାଠାରୁ କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରିବାର ଅଭିଯୋଗ ଯେଭଳି ନ ଆସେ ସେ ଦିଗରେ ବସ ମାଲିକ ସଂଘ ଧ୍ୟାନଦେବାକୁ କହିଛନ୍ତି ପରିବହନ ଆୟୁକ୍ତ। ପୁରୀ ଯାଉଥିବା ଓ ପୁରୀରେ ଚଳାଚଳ କରୁଥିବା ସମସ୍ତ ବସ୍ ଓ ଅଟୋରେ ଭଡ଼ା ସଂପର୍କିତ ତଥ୍ୟ ପ୍ରଦର୍ଶିତ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି। ଯେଭଳି କେହି ମନଇଚ୍ଛା ଭଡ଼ା ଆଦାୟ କରି ଯାତ୍ରୀଙ୍କୁ ହଇରାଣ ନ କରନ୍ତି ସେ ଦିଗରେ ପୁରୀ ପୁଲିସ ଓ ପୁରୀ ଆର୍ଟିଓ ବିଶେଷ ଧ୍ୟାନଦେବାକୁ ନିଷ୍ପତ୍ତି ହୋଇଛି । ବସ୍ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନ ତରଫରୁ ମୌଳିକ ସୁବିଧା ଉପଲବ୍ଧ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ବସ୍ ଷ୍ଟପ୍ରେ ଯେଭଳି ଯାତ୍ରୀମାନଙ୍କ ସୁରକ୍ଷାକୁ ମଧ୍ୟ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯିବ। ଅସାମାଜିକମାନଙ୍କ ଉପରେ କଡ଼ା ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ୱତନ୍ତ୍ର ଟିମ୍ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରର ବସ୍ଷ୍ଟାଣ୍ଡ୍ରେ ମନିଟର କରାଯିବ।
ଏହା ସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ। ବସ୍ଗୁଡ଼ିକରେ ଫାଷ୍ଟଏଡ୍ କିଟ୍ ଓ ପର୍ଯ୍ୟାପ୍ତ ପରିମାଣର ଓଆର୍ଏସ୍ ମହଜୁଦ୍ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ। ଯାତ୍ରୀ ଓ ଯାତ୍ରୀବାହୀ ଗାଡ଼ିମାନଙ୍କ ସୁବିଧା ନିମନ୍ତେ ରଥଯାତ୍ରା ସମୟରେ ପୁରୀରେ ଆର୍ଟିଓଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ। ଏହାସହ ଗାଡ଼ି ମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ବୁଲାନ୍ସ ସୁବିଧା ମଧ୍ୟ କରାଯିବ। ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ। ଜାତୀୟ ରାଜପଥରେ ଗହଳି ଆଶଙ୍କା ଥିବା ସ୍ଥାନଗୁଡ଼ିକରେ ସ୍ୱତନ୍ତ୍ର ଟିମ୍ ଦାୟିତ୍ୱରେ ରହିବେ। କୋଣାର୍କ- ପୁରୀ ରୁଟ୍ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଲାଗୁହେବ। ସମସ୍ତ ବିଭାଗ, ଗାଡ଼ିମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ଆୟୁକ୍ତ। ତାଳବଣିଆରୁ ଜିଲ୍ଲା ହାଇସ୍କୁଲ ନିଃଶୁଳ୍କ ନେବା ଆଣିବା ପାଇଁ ପ୍ରଶାସନ ୧୦୦ ଅଟୋ ବ୍ୟବସ୍ଥା କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ପୁରୀ ଏସ୍ପି, କଟକ ଡିସିପି, ଟ୍ରାଫିକ୍ ଡିସିପି, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ବସ୍ ମାଲିକ ସଙ୍ଘ ପ୍ରତିନିଧି ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।