27.1 C
Bhubaneswar
Tuesday, July 15, 2025
Homeଓଡିଶାଜଳ ଓ ଜୀବାଣୁ ବାହିତ ରୋଗ ନିରାକରଣ ପାଇଁ ସ୍ଵତନ୍ତ୍ର ମିଳିତ ଅଭିଯାନ

ଜଳ ଓ ଜୀବାଣୁ ବାହିତ ରୋଗ ନିରାକରଣ ପାଇଁ ସ୍ଵତନ୍ତ୍ର ମିଳିତ ଅଭିଯାନ

ଭୁବନେଶ୍ୱର: ଚଳିତ ବର୍ଷା ଋତୁରେ ସମ୍ଭାବ୍ୟ ଜଳବାହିତ ଏବଂ ଜୀବାଣୁ (ଭେକ୍ଟର) ବାହିତ ରୋଗର ପ୍ରତିରୋଧ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ସ୍ଵତନ୍ତ୍ର ମିଳିତ ଅଭିଯାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଲୋକସଭା ଭବନ ସଭାଗୃହ ଠାରେ ହାଇବ୍ରିଡ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ବର୍ଷାକାଳୀନ ଜନ ସ୍ଵାସ୍ଥ୍ୟ ଜନିତ ରୋଗ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ; ଏବଂ ସମସ୍ତ ଜିଲ୍ଲାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜନ ସ୍ୱାସ୍ଥ୍ୟ ଅଧିକାରୀମାନେ କ୍ଷେତ୍ରସ୍ତରୀୟ ସ୍ଥିତି ଜଣାଇଥିଲେ ।

ବୈଠକରେ ମୁଖ୍ୟତଃ ଡାଇରିଆ, ମ୍ୟାଲେରିଆ ଓ ଡେଙ୍ଗୁ ଆଦି ରୋଗ ନିରାକରଣ ନିମନ୍ତେ ରୋଗ- ନିରୀକ୍ଷଣ, ସଚେତନତା, ରୋଗର ନିୟନ୍ତ୍ରଣ ଆଦି ବିଷୟରେ ଉଭୟ ସ୍ୱଳ୍ପ ଓ ଦୀର୍ଘ ସୂତ୍ରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ଏହି ସବୁ ରୋଗର ଜିଲ୍ଲାୱାରୀ ସ୍ଥିତି ସମୀକ୍ଷା କରି ଚଳିତ ମାସ ୪ ଏବଂ ୧୧ ତାରିଖ ଦିନ କ୍ଷେତ୍ର ସ୍ତରରେ ସ୍ଵତନ୍ତ୍ର ପରିମଳ ଓ ବିଶୋଧନ ଅଭିଯାନ କରିବା ନିମନ୍ତେ ଶାସନ ସଚିବ ଅଶ୍ଵତୀ ଏସ୍ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯାନ ଦିନ ମାନଙ୍କରେ ଗ୍ରାମ, ବିଦ୍ୟାଳୟ, ସରକାରୀ ଚିକିତ୍ସା କେନ୍ଦ୍ର, ହାଟ, ସର୍ବସାଧାରଣ ସ୍ଥାନ ଓ ପାନୀୟ ଜଳ ଉତ୍ସ ମାନଙ୍କରେ ପରିଚ୍ଛନ୍ନତା ଓ ବିଶୋଧନ କାର୍ଯ୍ୟକୁ ସଘନ ଏବଂ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଉଭୟ ବିଭାଗ ଦ୍ଵାରା ଜିଲ୍ଲା ଏବଂ କ୍ଷେତ୍ର ସ୍ତରୀୟ ଅଧିକାରୀମାନଙ୍କୁ ଏକ ମିଳିତ ଗାଇଡଲାଇନ୍ ପଠାଯାଇଥିଲା । ଆଶା କର୍ମୀ, ଏ.ଏନ.ଏମ, ସ୍ଵାସ୍ଥ୍ୟକର୍ମୀ, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରାମ ପଞ୍ଚାୟତ, ପଞ୍ଚାୟତିରାଜ ପ୍ରତିନିଧି, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଓ କର୍ମଚାରୀ ମାନଙ୍କର ସକ୍ରିୟ ସହଯୋଗରେ ଏହି ଅଭିଯାନ କରାଯିବ । ଆଶା ଓ ସ୍ଵାସ୍ଥ୍ୟକର୍ମୀମାନେ ଘରକୁ ଘର ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖୋଲାଯାଇଥିବା ମେଡିକାଲ ରିଲିଫ କେନ୍ଦ୍ରମାନଙ୍କରେ ହାଲୋଜେନ ଟାବଲେଟ୍, ଔଷଧଯୁକ୍ତ ମଶାରୀ ବ୍ୟବହାର, ହାତ ଧୋଇବା, ପାଣି ଫୁଟାଇ ପିଇବା ଏବଂ ଆନୁସଙ୍ଗିକ ସ୍ଵାସ୍ଥ୍ୟ ସୁରକ୍ଷା ବ୍ୟବହାର ଆଦିର ଉପଯୋଗିତା ବିଷୟରେ ଲୋକମାନଙ୍କୁ ଡେମୋ ପ୍ରଦର୍ଶନ ମାଧ୍ୟମରେ ସଚେତନ କରାଇବେ ।

ଖାଦ୍ୟ ନିରାପତ୍ତା ଅଫିସର ଓ କର୍ମଚାରୀ ମାନେ ପାଣି ଓ ଅନ୍ୟାନ୍ୟ ଖାଦ୍ୟ ଦ୍ରବ୍ୟ ପ୍ୟାକିଂ କାରଖାନା, ହୋଟେଲ, ଖାଦ୍ୟ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଆଦି ନିରୀକ୍ଷଣ କରି ନିର୍ଦ୍ଧାରିତ ଏସ.ଓ.ପି ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନେବେ । ଆର୍ଥିକ ଜୋରିମାନା ମଧ୍ୟ ଆଦାୟ କରିବେ । ଏହି ଦିନମାନଙ୍କରେ ରାଜ୍ୟ ସ୍ତରୀୟ ଟିମ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବର୍ତ୍ତମାନ କାର୍ଯ୍ୟରତ ୩୭୭ ଟି ରାପିଡ୍ ଆକ୍ସନ ଟିମ୍ ପ୍ରଭାବିତ ଅଞ୍ଚଳ ବୁଲି କ୍ଷେତ୍ର ସ୍ତରୀୟ କାର୍ଯ୍ୟର ନିରୀକ୍ଷଣ କରିବେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକୀୟ ପରିମାଣର ସାପ କାମୁଡ଼ା ଇଞ୍ଜେକସନ ଓ ଔଷଧ ପତ୍ର ଆଦି ଆଗୁଆ ରଖିବା ପାଇଁ ଶାସନ ସଚିବ ଅଶ୍ୱତୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଭାବିତ ଅଞ୍ଚଳ ଗୁଡିକର ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ସାପ କାମୁଡ଼ା ଇଞ୍ଜେକସନ ମହଜୁଦ, ଏମ.ବି.ବି.ଏସ୍ ଡାକ୍ତରମାନଙ୍କୁ ମୁତୟନ, ଜନ ସ୍ୱାସ୍ଥ୍ୟ ସମ୍ପର୍କିତ ଅଧିକ ସାମ୍ପୁଲ ସଂଗ୍ରହ, ପରୀକ୍ଷା, ଅଞ୍ଚଳୱାରୀ ଗୋଗର ପ୍ରଭାବ ନିରୀକ୍ଷଣ ଆଦିକୁ ବ୍ୟାପକ ଓ ସଘନ କରିବା ଉପରେ ଶାସନ ସଚିବ ଗୁରୁତ୍ଵ ଆରୋପ କରିଥିଲେ ।
ବୈଠକରେ ଆଲୋଚନାରୁ ଜଣାପଡିଥିଲା ଯେ କ୍ଷେତ୍ର ସ୍ତରରେ ଅଧିକରୁ ଅଧିକ ସଚେତନତା ଓ ପ୍ରତିରୋଧ କାର୍ଯ୍ୟକ୍ରମ ଯୋଗୁ କେତେକ ଜାଗାରେ ଦେଖା ଯାଇଥିବା ଡାଇରିଆକୁ ପୂର୍ଣ୍ଣ ନିୟନ୍ତ୍ରଣାଧୀନ କରାଯାଇଛି ।

ବର୍ତ୍ତମାନ ରୋଗର ସଂକେତ ପାଇବା ମାତ୍ରେ ହିଁ ଲୋକମାନେ ପ୍ରାଥମିକ ଅବସ୍ଥାରୁ ହସ୍ପିଟାଲକୁ ଆସୁଛନ୍ତି ଏବଂ ଆରୋଗ୍ୟ ଲାଭ କରୁଛନ୍ତି । ଫଳରେ ମୃତ୍ୟୁ ସଂଖ୍ୟା ସେଇ ୧୩ ରେ ସ୍ଥିର ରହିଛି । ଆଜି ସୁଦ୍ଧା ୫ ଟି ପ୍ରଭାବିତ ଜିଲ୍ଲା ମାନଙ୍କରେ ସମୁଦାୟ ୧୯୦ ଜଣ ଡାଇରିଆ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସେହିପରି ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ସୁବର୍ଣ୍ଣରେଖା, ଜଳକା, ବୁଢାବଳଙ୍ଗ ନଦୀ ଉପକୂଳ ୫ ଟି ବ୍ଲକରେ ବନ୍ୟାପାଣି କମିବା ଆରମ୍ଭ ହୋଇଥିବାରୁ ପ୍ରଭାବିତ ଗ୍ରାମମାନଙ୍କରେ ବିଶୋଧନ ଓ ନମୁନା ପରୀକ୍ଷା, ଔଷଧ ଯୋଗାଣ ଆଦି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ଵାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ କୁମାର ମହାପାତ୍ର, ସ୍ଵାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking