ଭୁବନେଶ୍ୱର: ଖୁବ୍ଶୀଘ୍ର ରାଜ୍ୟର ସମସ୍ତ ସରକାରୀ ସ୍କୁଲକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ । ତେବେ ଏହି ଅନୁଦାନ ଗତ ଜୁଲାଇ ସୁଦ୍ଧା ପ୍ରଦାନ କରାଯିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ ଦୁର୍ଗାପୂର୍ଜା ପୂର୍ବରୁ ମିଳିବ ବୋଲି ଜଣାପଡ଼ିଛି । ରାଜ୍ୟରେ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ସରକାରୀ ସ୍କୁଲଗୁଡ଼ିକର ଉନ୍ନତି ଲାଗି ସରକାର ବିଭିନ୍ନ ଯୋଜନାରେ ଅନୁଦାନ ପ୍ରଦାନ କରିଥାନ୍ତି । ମାତ୍ର କିଛି ବିଦ୍ୟାଳୟ ସମ୍ପୂର୍ଣ୍ଣ ଅନୁଦାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ସମ୍ପୃକ୍ତ ବିଦ୍ୟାଳୟ ସହ ସବୁ ସରକାରୀ ସ୍କୁଲକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ସ୍ୱତନ୍ତ୍ର ଅନୁଦାନ ଅର୍ଥରାଶିରେ ଗଣିତ, ବିଜ୍ଞାନ ପାଠ୍ୟପୁସ୍ତକ କିଟ୍, ଅନ୍ଲାଇନ୍ ବ୍ୟବସ୍ଥା, କମ୍ପ୍ୟୁଟର ଉପକରଣ ସହ ବିଦ୍ୟାଳୟର ଅନାନ୍ୟ ଆବଶ୍ୟକତା ରହିଥିବା ସାମଗ୍ରୀ କ୍ରୟ କରାଯିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ପ୍ରାୟ ୧୫ହଜାର ପ୍ରାଥମିକ ଏବଂ ୧୭ହଜାର ଉଚ୍ଚପ୍ରାଥମିକ ସ୍କୁଲକୁ ଏହି ଅନୁଦାନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ସ୍କୁଲ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ତେବେ ୧୦ହଜାର ପ୍ରାଥମିକ, ୧୫ହଜାର ଉଚ୍ଚପ୍ରାଥମିକ ଏବଂ ୮ହଜାର ମାଧ୍ୟମିକ ସ୍କୁଲକୁ ଏଥିରେ ସାମିଲ କରାଯାଇଥିବା ଜଣାପଡ଼ିଛି । ସେହିପରି ପ୍ରତି ବିଦ୍ୟାଳୟକୁ ପୂର୍ବରୁ ଯେଉଁ ଅର୍ଥରାଶି ମିଳିବ ବୋଲି ଧାର୍ଯ୍ୟ ହୋଇଥିଲା ସେଥିରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଘଟିଛି । ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ଲାଗି ପ୍ରତି ୩ବର୍ଷକୁ ଥରେ ୨୫ହଜାର ଟଙ୍କା ଏବଂ ମାଧ୍ୟମିକ ସ୍କୁଲକୁ ପ୍ରତି ୫ବର୍ଷକୁ ୨୦ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବିଷୟ ଭିତ୍ତିକ ପ୍ରଶିକ୍ଷଣ ଲାଗି ଟ୍ରେନିଂ-ଏକ୍ସିଲେନ୍ସି ଯୋଜନାରେ ଅତିରିକ୍ତ ୫ହଜାର ଟଙ୍କା ପ୍ରତି ୨ବର୍ଷକୁ ଥରେ ଦିଆଯିବ । ତେବେ ପୂର୍ବରୁ ବିଦ୍ୟାଳୟସ୍ତରରେ ପିଲାଙ୍କୁ ମାଗଣାରେ କମ୍ପ୍ୟୁଟର ପ୍ରଶିକ୍ଷଣ ଦେବାକୁ ଯେଉଁ ଯୋଜନା ହୋଇଥିଲା ତାହା ବନ୍ଦ ହୋଇଯାଇଛି । ପ୍ରାୟ ୪ହଜାର ଶିକ୍ଷକଙ୍କୁ ବାହାର କରିବା ପରେ କମ୍ପ୍ୟୁଟର ପ୍ରଶିକ୍ଷଣ ଯୋଜନା ଅଧାରେ ବନ୍ଦ ହୋଇଯାଇଛି । ଫଳରେ ଲକ୍ଷାଧିକ ଟଙ୍କାରେ କ୍ରୟ କରାଯାଇଥିବା କମ୍ପ୍ୟୁଟର ଉପକରଣ ବିଦ୍ୟାଳୟରେ ପଡ଼ି ନଷ୍ଟ ହେବାକୁ ବସିଛି । ତେଣୁ ସେହି ଯୋଜନା ପୁଣି ଆରମ୍ଭ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ଯେଉଁ ଅନୁଦାନ ପ୍ରଦାନ କରାଯିବ ସେଥିରେ ଆଉଥରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ପିଲାମାନେ କମ୍ପ୍ୟୁଟର ଶିକ୍ଷା ପାଇବେ ବୋଲି ବିଭାଗର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ଇ-ବିଦ୍ୟାଳୟକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଇଥିବା ବେଳେ ପୂର୍ବରୁ ବନ୍ଦ ହୋଇଥିବା ଆଇସିଟି ଯୋଜନା ଆଉଥରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।










