16.1 C
Bhubaneswar
Sunday, December 7, 2025
Homeଓଡିଶାକର୍ଣ୍ଣାଟକ ଗସ୍ତରେ ବାଚସ୍ପତି ସୁରମା ପାଢ଼ୀ

କର୍ଣ୍ଣାଟକ ଗସ୍ତରେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ୱର: କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆୟୋଜିତ ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ‘ବିଧାନସଭା ଗୃହରେ ବିତର୍କ ଓ ଆଲୋଚନା: ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସଭାଜନରେ ସହାୟକ’ ଶୀର୍ଷକ ଆଲୋଚନାରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି । ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ବିଧାନସଭା ହେଉଛି ଗଣତନ୍ତ୍ରର କେନ୍ଦ୍ର, ପବିତ୍ର ସ୍ଥାନ, ଯେଉଁଠାରେ ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସମସ୍ୟାର ସମାଧାନ ଓ ଏହାର ନିରାକରଣ ସମ୍ଭବ ହୋଇଥାଏ । ବିତର୍କ ମାଧ୍ୟମରେ ସହମତି ପ୍ରକାଶ ପାଏ, ସଂଶୋଧନ ହୁଏ ଓ ଏଠାରେ ସାଧାରଣ ଲୋକଙ୍କର ସ୍ୱର ପ୍ରତିଫଳିତ ହୁଏ ।

ସଂସଦୀୟ ପରମ୍ପରାରେ ବିତର୍କ ଓ ଆଲୋଚନା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଗଣତନ୍ତ୍ରର ଜୀବନରେଖା । ଜନପ୍ରତିନିଧିମାନଙ୍କର ଉତ୍ତରଦାୟିତ୍ୱବୋଧ ଏଥିରେ ପ୍ରତିଫଳିତ ହୋଇଥାଏ । ବାଚସ୍ପତି ଶ୍ରୀମତୀ ପାଢ଼ୀ ପୁଣି କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ବିଧାନସଭାରେ ବିଭିନ୍ନ ବିଷୟରେ ଦୀର୍ଘ ସମୟ ଧରି ବିତର୍କ ହୋଇଛି । ୨୦୦୩ ମସିହାରେ ଓଡ଼ିଶା ସହରାଞ୍ଚଳ ପୋଲିସ ବିଲ୍‌ ଉପରେ ୬ ଘଣ୍ଟା ଧରି ଆଲୋଚନା ହୋଇଥିବାବେଳେ ଏହି ନିକଟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୪ ଉପରେ ରାତିସାରା ବିତର୍କ ଜାରି ରହିଥିଲା । ଏହି ବିତର୍କଗୁଡ଼ିକ ଆମର ଭାବପ୍ରବଣତା ସହିତ ବିଷୟର ଗମ୍ଭିରତା ଏବଂ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ଧୈର୍ଯ୍ୟର ସହ ଚିନ୍ତନର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିଥାଏ । ଓଡ଼ିଶା ଚଳିତ ବିଧାନସଭାରେ ୬୨ଟି ବୈଠକ ଦିବସ ପରିଚାଳନା କରିବାର ରେକର୍ଡ ମଧ୍ୟ ସ୍ଥାପନ କରିଛି, ଯାହାକି ଜାତୀୟ ହାରଠାରୁ ବହୁତ ଅଧିକ।

୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତିନିଦିନିଆ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ର ଓମ୍‌ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରମେୟା, ବାଚସ୍ପତି ଶ୍ରୀ ୟୁ. ଟି, ଖାଦେର ଫରିଦ୍‌, ବିଭିନ୍ନ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗଦେଇଛନ୍ତି । ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ସମ୍ମିଳନୀ ଅବସରରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ଅଧ୍ୟକ୍ଷତା କରିବା ପାଇଁ ୫ଟି ରାଜ୍ୟର ବାଚସ୍ପତିଙ୍କୁ ମନୋନୀତ କରିଥିବାବେଳେ ସେଥି ମଧ୍ୟରେ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ଥାନୀତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ । ସମ୍ମିଳନୀରେ ଅଂଶଗ୍ରହଣ କରି ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ କହିଛନ୍ତି ଯେ ବିଧାନସଭା ଭିତରେ ଅର୍ଥପୂର୍ଣ୍ଣ ବିତର୍କ ଏବଂ ଆଲୋଚନା ମାଧ୍ୟମରେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ । ଆମର ଗୃହ ହେଉଛି ଗଣତନ୍ତ୍ରର ମନ୍ଦିର । ବିଧାନସଭାର ପ୍ରକୃତ ଶକ୍ତି ବିଚାରବିମର୍ଶର ଗୁଣବତ୍ତା ଏବଂ ମର୍ଯ୍ୟାଦା ଉପରେ ପର୍ଯ୍ୟବେଶିତ । ଆମେ ସବୁବେଳେ ଏହା ଉପରେ ଗୁରୁତ୍ୱ ଦେବା ଉଚିତ ଯେ ଆମର ଅଧିକାର ଲୋକଙ୍କଠାରୁ ଆସିଥାଏ, ସେମାନଙ୍କର ବିଶ୍ୱାସ ସର୍ବଦା ଆମର ବିତର୍କକୁ ମାର୍ଗଦର୍ଶନ କରିବା ଉଚିତ ।

ଏଠାରେ ସୂଚନାଯୋଗ୍ୟ ଯେ ଗତମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ଦୁଇଦିନିଆ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଥିଲା । ଲୋକସଭାର ବାଚସ୍ପତି, ରାଜ୍ୟସଭାର ଉପାଧ୍ୟକ୍ଷ ଓ ସମସ୍ତ ରାଜ୍ୟର ବାଚସ୍ପତିମାନେ ଏହି ଆୟୋଜନର ସଫଳତା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ଅବସରରେ ଅତିଥିମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶାର ଆତିଥ୍ୟତାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସମ୍ମିଳନୀରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ମଧ୍ୟ ଯୋଗଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking