ବର୍ଲିନ: ଉତ୍କଣ୍ଠାପୂର୍ଣ୍ଣ ୟୁରୋ କପ୍ର ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡକୁ ନାଟକୀୟ ଢ଼ଙ୍ଗରେ ୨-୧ ଗୋଲ୍ରେ ହରାଇବାରେ ସଫଳ ହୋଇଛି ସ୍ପେନ୍ । ଏହି ବିଜୟ ସହ ସ୍ପେନ୍ ୪ର୍ଥ ଥର ପାଇଁ ୟୁରୋ କପ୍ ଟ୍ରଫି ଜିତିବାର ଏକ ବିରଳ କୃତୀତ୍ୱ ମଧ୍ୟ ହାସଲ କରିଛି । ଅନ୍ୟପକ୍ଷେ ଇଂଲଣ୍ଡ୍ ଦଳ, ସ୍ପେନ୍ ଠାରୁ ପରାସ୍ତ ହୋଇ ନିଜ ଅଭିଯାନ ଶେଷ କରିଛି । ଏହି ପରାଜୟ ସହ ଇଂଲଣ୍ଡ ପୁରୁଷ ଫୁଟ୍ବଲ ଟିମ୍ ୨ୟ ଥର ପାଇଁ ୟୁରୋ କପ୍ ଫାଇନାଲ୍ରେ ପହଞ୍ôଚଥିଲେ ମଧ୍ୟ ଶେଷରେ ପରାଜୟ ବରଣ ପୂର୍ବକ ଉପବିଜେତା ହେବାରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି । ୨୦୧୬ରେ ଇଟାଲୀ ଠାରୁ ଏବଂ ଏବେ ୨୦୨୪ରେ ସ୍ପେନ୍ ଠାରୁ ଫାଇନାଲ୍ ମ୍ୟାଚ୍ରେ ପରାଜିତ ହୋଇଛି ଇଂଲଣ୍ଡ ଫୁଟବଲ୍ ଟିମ୍ ।
ବର୍ଲିନର ଅଲିମ୍ପିଆ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ପେନ୍ ସମସ୍ତଙ୍କ ଫେଭରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା । ଟ୍ରଫି ଜିତିବା ସଂଖ୍ୟା ଠାରୁ ଫାଇନାଲ୍ ଖେଳିବାର ଅଭିଜ୍ଞତା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ଇଂଲଣ୍ଡଠୁ ଯଥେଷ୍ଟ ଆଗୁଆ ଥିଲା ସ୍ପେନ୍ । ଏହାର ପ୍ରତିଫଳନ ମଧ୍ୟ ପୂରା ମ୍ୟାଚ୍ରେ ଦେଖିବାକୁ ମିଳିଥିଲା । ତଥାପି ଇଂଲଣ୍ଡ ଫୁଟବଲ୍ରମାନେ ମଧ୍ୟ ସ୍ପେନ୍ର ସମସ୍ତ ଚାଲ୍କୁ ବିଫଳ କରିବାରେ ଯଥାସାଧ୍ୟ ଉଦ୍ୟମ କରିବା ଦେଖିବାକୁ ମିଳିଥିଲା । ସିଧା ଅର୍ଥରେ କହିଲେ ଲଗାତାର ଦ୍ୱିତୀୟ ଥର ପାଇଁ ୟୁରୋ କପ୍ ଫାଇନାଲ୍ ଖେଳୁଥିବା ଇଂଲଣ୍ଡ ମଧ୍ୟ ବିପକ୍ଷ ଶକ୍ତିଶାଳୀ ଟିମ୍ ସ୍ପେନ୍କୁ କଡ଼ା ଟକ୍କର ଦେଇଥିଲା । ଯାହାଦ୍ୱାରା ଫାଇନାଲ ମ୍ୟାଚ୍ ଅଧିକ ରୋମାଞ୍ôଚତ ହୋଇଯାଇଥିଲା । ତେବେ ଗୋଲ୍ ପାଇଁ ପ୍ରୟାସ ନକରି ଅଧିକ ସମୟ ବଲ୍କୁ ନିଜ ନିୟନ୍ତ୍ରଣରେ ରଖିବା ରଣନୀତି (ରକ୍ଷଣାତ୍ମକ ରଣନୀତି) ଇଂଲଣ୍ଡକୁ ଅଡ଼ୁଆରେ ପକାଇଥିଲା । ଅନ୍ୟପକ୍ଷେ ସ୍ପେନ୍ କିନ୍ତୁ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ଏସବୁ ସତ୍ତ୍ୱେ ପ୍ରଥମାର୍ଦ୍ଧ ସୁଦ୍ଧା ସ୍ପେନ୍ର ଆଟାକ୍କୁ ଅଟକାଇବାରେ ଇଂଲଣ୍ଡ ଦଳ କିଛି ମାତ୍ରାରେ ସଫଳ ହୋଇଥିଲେ । ଯାହାଦ୍ୱାରା ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳର ଗୋଲ୍ ସ୍ଥିତି ୦-୦ ରହିଥିଲା । ମଧ୍ୟାନ୍ତର ପରେ କିନ୍ତୁ ସ୍ପେନ୍ ରଣନୀତି ବଦଳାଇ ଆକ୍ରମଣକୁ ଆହୁରି ତୀବ୍ର କରିଥିଲା । ଯାହାର ଫଳ ଦ୍ୱିତୀୟାର୍ଦ୍ଧର ଦ୍ୱିତୀୟ ମିନିଟ୍ରେ ଦଳକୁ ମିଳିଥିଲା । ୪୭ ମିନିଟ୍ରେ ୧୬ ବର୍ଷୀୟ ଲାମିନ ୟାମଲଙ୍କଠୁ ପାଇଥିବା ପାସ୍କୁ ସଫଳତାର ସହ ଇଂଲଣ୍ଡ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ନିକୋ ୱିଲିୟମ୍ସ ସ୍ପେନ୍କୁ ଆଗୁଆ କରି ଦେଇଥିଲେ । ସେହିପରି ୭୩ ମିନିଟ୍ରେ ଇଂଲଣ୍ଡର ତାରକା ଖେଳାଳି କୋଲ୍ ପାଲମର୍ ଏକ ଗୋଲ୍ କରିବାରେ ସଫଳ ହୋଇଥିଲେ, ଯାହାଦ୍ୱାରା ମ୍ୟାଚ୍ ବରାବର ସ୍ଥିତି (୧-୧)କୁ ଚାଲିଆସିଥିଲା । ତେବେ ସ୍ପେନ୍ର ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ମିକେଲ ଓୟାରଜବଲ୍ ୮୬ ମିନିଟ୍ରେ ଦେଇଥିବା ଗୋଲ୍ ସ୍ପେନ୍କୁ ୨-୧ର ଅଗ୍ରଣୀ ଦେଇଥିଲା । ଏଠାରୁ ଇଂଲଣ୍ଡ୍ ଆଉ ମ୍ୟାଚ୍କୁ ଫେରିପାରିନଥିଲା ।
ୟୁରୋ କପ୍-୨୦୨୪ ଫୁଟ୍ବଲ୍ ପ୍ରତିଯୋଗିତାରେ ସ୍ପେନ୍ ବିଜେତା ଆଖ୍ୟା ଅର୍ଜନ କରିଛି । ଶେଷ ଥର ପାଇଁ ସ୍ପେନ୍ ୨୦୧୨ରେ ୟୁରୋ କପ୍ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା । ସେହିପରି ୧୯୬୪, ୨୦୦୮ ମଧ୍ୟ ସ୍ପେନ୍ ୟୁରୋ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ତେବେ ୧୯୮୪ରେ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାର ସୁଯୋଗ ମିଳିଥିଲେ ମଧ୍ୟ ସ୍ପେନ୍ ପରାଜିତ ହୋଇଯାଇଥିଲା ଏବଂ ରନର୍ସଅପ୍ରେ ସନ୍ତୁଷ୍ଟ ରହିଥିଲା । ତେବେ ୨୦୨୪ ୟୁରୋ ଟ୍ରଫିକୁ ମିଶାଇ ସ୍ପେନ୍ ୪ର୍ଥ ଥର ପାଇଁ ୟୁରୋ କପ୍ ଟାଇଟଲ୍ ଜିତିଛି । ସ୍ପେନ୍ରେ ଏବେ ଚାରିଆଡେ ଉତ୍ସବ ପାଳନ କରାଯାଉଛି । ସ୍ପେନ୍ବାସୀ ଅତ୍ୟଧିକ ଉତ୍ସବ ମୁଖରିତ ହୋଇପଡିଛନ୍ତି । ଅନ୍ୟପକ୍ଷେ ଦୁଇ ଥର ୟୁରୋ କପ୍ର ଫାଇନାଲ୍ରେ ପରାସ୍ତ ହେବା ପରେ ଇଂଲଣ୍ଡ ଫୁଟବଲ୍ ଦଳର ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।










