ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡଲାଇନ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ଦର୍ଶନ ନେଇ ପରିଚାଳନା କମିଟି ଅନୁମୋଦନ କରିଛନ୍ତି । ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ଗଠନ କରିବାକୁ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯାଇଛି । ଏନେଇ ସବ କମିଟି ସେବାୟତ ନିଯୋଗଙ୍କ ସହ ଆଲୋଚନା କରିବେ । ଯେମିତି ଶ୍ରୀଜିଉଙ୍କ ନୀତିକାନ୍ତି ପ୍ରଭାବିତ ନହେବ ସେ ଅନୁସାରେ ନାଟ ମଣ୍ଡପରେ ଧାଡି ଦର୍ଶନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ । ଏହି ମାର୍ଗଦର୍ଶିକା ଆଧାରରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛି କମିଟି । ଏନେଇ ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।










