ନୂଆଦିଲ୍ଲୀ: ନିଜ ବାପାଙ୍କୁ ହତ୍ୟା କଲା ନିଜ ରକ୍ତର ପୁଅ । ନୋଏଡା ସେକ୍ଟର -୧୧୩ ଥାନା ଅଞ୍ଚଳର ସରଫାବାଦ ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । ରବିବାର ବିଳମ୍ବିତ ରାତିରେ ୧୯ ବର୍ଷର ପୁଅ ନିଜ ବାପାଙ୍କୁ ଇଟାରେ ଛେଚି ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।ସୂଚନା ଅନୁସାରେ ଶନିବାର ରାତିରେ ବାପା ଏବଂ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ପୁଅ ନିଶାଗ୍ରସ୍ତ ଅବସ୍ଥାରେ ଇଟାରେ ତାଙ୍କ ବାପଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ସାରା ରାତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କ ମୃତଦେହକୁ ଜଗିଥିଲା ଅଭିଯୁକ୍ତ । ଏଭଳି ଅମାନୁଷିକ କାଣ୍ଡ ଘଟାଇ ଅଭିଯୁକ୍ତ ଜଣଙ୍କ ତାଙ୍କ ମାମୁ ଘରକୁ ଯାଇ ବାପାଙ୍କୁ ହତ୍ୟା କରିଥିବା କଥା ବଖାଣିଥିଲେ । ହେଲେ ମାମୁ ଅଭିଯୁକ୍ତର କଥାକୁ ବିଶ୍ୱାସ କରିନଥିଲେ । ନିଶାଗ୍ରସ୍ଥ ଅବସ୍ଥାରେ କହୁଥିବାରୁ ଏହାକୁ ଏଡାଇ ଦେଇଥିଲେ । ଗାଁ ଲୋକେ ମୃତ ବାପାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ତାଙ୍କୁ କେହି ହତ୍ୟା କରିଛନ୍ତି ବୋଲି ସନ୍ଦେହ କରିଥିଲେ । ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମରଶରୀରକୁ ଜବତ କରି ଶବ ବ୍ୟବଚ୍ଚେଦ ପାଇଁ ପଠାଇଛି । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଇଟାକୁ ଜବତ କରିଥିଲା । ଅଭିଯୁକ୍ତକୁ ପଚରାଉଚାରା କରି ଗିରଫ କରିଥିଲେ । ପରେ ପୋଲିସ ପାଖରେ ଅଭିଯୁକ୍ତ ନିଜେ କାଣ୍ଡ ଘଟାଇଛି ବୋଲି ସ୍ୱୀକାର କରିଥିଲା ।










