20.1 C
Bhubaneswar
Saturday, December 6, 2025
Homeଓଡିଶାଇଣ୍ଡିଆ ମୋବାଇଲ କଂଗ୍ରେସରେ ସୋଆ ୫ଜି ପର୍ଯ୍ୟବେସିତ ଉଦ୍‌ଭାବନ ସାଜିଲା ଆକର୍ଷଣ

ଇଣ୍ଡିଆ ମୋବାଇଲ କଂଗ୍ରେସରେ ସୋଆ ୫ଜି ପର୍ଯ୍ୟବେସିତ ଉଦ୍‌ଭାବନ ସାଜିଲା ଆକର୍ଷଣ

ନୂଆଦିଲ୍ଲୀ: ନିକଟରେ ନୂଆ ଦିଲ୍ଲୀରେ ଆୟୋଜିତ ହୋଇଯାଇଥିବା ୪-ଦିନିଆ ଇଣ୍ଡିଆ ମୋବାଇଲ କଂଗ୍ରେସ -୨୦୨୫ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି)ରେ ପ୍ରସ୍ତୁତ ୩ଟି ଅଭିନବ ୫ଜି ପର୍ଯ୍ୟବେସିତ ଷ୍ଟାର୍ଟଅପ୍ ଉତ୍ପାଦ ଆକର୍ଷଣ ପାଲଟିଥିଲା। ନୂଆ ଦିଲ୍ଲୀ ସ୍ଥିତ ୟଶୋଭୂମି କନ୍‌ଭେସନ୍ ସେଂଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୧ ରେ ଉଦ୍‌ଯାପିତ ହୋଇଯାଇଛି।
ଇଣ୍ଡିଆ ମୋବାଇଲ କଂଗ୍ରେସ୍‌ରେ ସୋଆ ଷ୍ଟଲ୍‌ରେ ପ୍ରଦର୍ଶିତ ହୋଇଥିବା ୩ଟି ମଡେଲ ସିଆସେନ୍ସ, ସାଇବରନାସ ଏବଂ ଭୂମିକେୟାର ଦର୍ଶକଙ୍କ ସମେତ ଶିଳ୍ପ, ପ୍ରଶାସନ, ଶିକ୍ଷା, ଷ୍ଟାର୍ଟଅପ୍ ଏବଂ ଗବେଷଣାଧର୍ମୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଯୋଗ ଦେଇଥିବା ପ୍ରତିନିଧିମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଭୂୟସୀ ପ୍ରଶଂସା ସାଉଁଟିଥିଲା। ସିଆସେନ୍ସକୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରେଣୁ ଶର୍ମା ପ୍ରସ୍ତୁତ କରିଥିବା ବେଳେ ଏଥିରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଏବଂ ଇନ୍‌ଟରନେଟ ଅଫ୍ ଥିଙ୍ଗସ ବ୍ୟବହାର କରି ମନୁଷ୍ୟ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ ବାରମ୍ବାର ଉପୁଜୁଥିବା ସଂଘାତକୁ ଟାଳିବା ନିମନ୍ତେ ବ୍ୟବସ୍ଥା ଅଛି। ଏହି ଡିଭାଇସରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି ଯାହାକି ମଣିଷ ଏବଂ ଫସଲକୁ ବନ୍ୟ ଜନ୍ତୁଙ୍କ ଠାରୁ ସୁରକ୍ଷା ଦେଇପାରିବ।

ସେହିପରି ସାଇବରନାସ ଏବଂ ଭୂମିକେୟାର ମଡେଲକୁ କମ୍ପ୍ୟୁଟର ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଡକ୍ଟର ଭାରତ ରଞ୍ଜନ ଜ୍ୟୋତି ସାହୁ ପ୍ରସ୍ତୁତ କରିଛନ୍ତି। ଏହା ଅତ୍ୟାଧୁନିକ ସାଇବର ସିକ୍ୟୁରିଟି ନିମନ୍ତେ ପ୍ରସ୍ତୁତ ହୋଇଛି ଯାହା ଡାଟା ସୁରକ୍ଷିତ ରଖିବାରେ ତଥା ତଦନ୍ତ କାର୍ଯ୍ୟରେ ସହାୟକ ହେବ। ସେହିପରି ଭୂମିକେୟାର ମଡେଲ ଦ୍ୱାରା କୃଷକମାନେ ନିଜ ଜମି ମୃତିକାର ଉର୍ବରତାକୁ ପରଖିବା ସହ ଏହା ସେମାନଙ୍କୁ ଉନ୍ନତ କୃଷି ନିମନ୍ତେ ସୂଚନା ପ୍ରଦାନ କରିବାରେ ସହାୟକ ହେବ। ଗବେଷଣା ଏବଂ ବୈଷୟିକ ଉଦ୍ୟୋଗିକରଣକୁ ସୋଆ ବିଶ୍ୱବିଦ୍ୟାଳୟ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ଏହି ୩ଟି ଉଦ୍‌ଭାବନ ସୋଆ ଏଆଇସିର ୫ଜି ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇଛି। ଇଣ୍ଡିଆ ମୋବାଇଲ କଂଗ୍ରେସ୍ ୨୦୨୫ରେ ପ୍ରଦର୍ଶିତ ହୋଇଥିବା ସୋଆ ଷ୍ଟଲ୍‌କୁ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିବା ସହ ଗବେଷଣା କ୍ଷେତ୍ରରେ ସୋଆର ପ୍ରୟାସକୁ ପ୍ରଶଂସା କରିଥିଲେ।

ପ୍ରଦର୍ଶନୀରେ ସୋଆର ଷ୍ଟଲ୍‌କୁ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି.ଜି ସୀତାରାମ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା, ୟୁଏସ୍‌ଏ ସ୍ଥିତ ଜନ୍‌ସ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟର ୫ଜି ଚିଫ୍ ଷ୍ଟ୍ରାଟେଜିଷ୍ଟ ପ୍ରଫେସର ଆଶୁତୋଷ ଦତ, ନ୍ୟାସନାଲ୍ କ୍ୱାଂଟମ୍ ମିଶନ, ଡିଏସ୍‌ଟିର ମିଶନ ଡାଇରେକ୍ଟର ଡକ୍ଟର ଜେ.ବି.ଭି ରେଡ୍ଡୀ, ଟେଲିକମ୍ ସେଂଟର ଅଫ୍ ଏକ୍ସିଲେନ୍ସ (ଟିସିଓଇ)ର ସିଇଓ ଡକ୍ଟର ରାକେଶ ଶର୍ମା ଏବଂ ଟାଲ୍‌ଗୋର ଏମ୍‌ଡି ଶ୍ରୀ ସୁବ୍ରତ ନାଥ ପରିଦର୍ଶନ କରିଥିଲେ। ଏହି ପରିଦର୍ଶକଗଣ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ। ପ୍ରଫେସର ମଲ୍ଲିକ ଉଲ୍ଲେଖ କରିଥିଲେ ଯେ ସୋଆ ଗତ ୩ ବର୍ଷ ହେବ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଭାଗ ନେଉଛି। ଏହି ପ୍ଲାଟଫର୍ମ ଦ୍ୱାରା ତୃଣମୂଳ ସ୍ତରରେ ଉଦ୍‌ଭାବନ ଓ ଗବେଷଣାକୁ ପ୍ରୋତ୍ସାହନ ମିଳୁଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଟିସିଓଇ ଇଣ୍ଡିଆ ପକ୍ଷରୁ ସୋଆକୁ କ୍ୱାଂଟମ୍ କମ୍ପ୍ୟୁଟିଙ୍ଗ ନିମନ୍ତେ ଏକ ସେଂଟର ଅଫ୍ ଏକ୍ସିଲେନ୍ସ ଆରମ୍ଭ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ଶ୍ରୀ ପ୍ରୀତମ ନାୟକ, ଶ୍ରୀ ରାଜୀବ କୁମାର, ଶ୍ରୀ କାଜଲ କିରଣ ପଣ୍ଡା, ଶ୍ରୀ ମନୀଷ କୁମାର ତିରୁୱାର, ଶ୍ରୀମତି ଚେତନା ପ୍ରିୟଦର୍ଶିନୀ ଦାସ, ଶ୍ରୀମତି ସୌମ୍ୟା ଦଣ୍ଡପାଟ ଏବଂ ଶ୍ରୀ ରାଜ ସହସ୍ରାଂଶୁ ବିଶ୍ୱାଳ ସାମିଲ ଥିଲେ ଯେଉଁମାନେ ଚାରି ଦିନିଆ କାର୍ଯ୍ୟକ୍ରମରେ ନବସୃଜନକାରୀ ଏବଂ ନିବେଶକଙ୍କ ସହ ସକ୍ରିୟ ଭାବେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking