ଭୁବନେଶ୍ୱର : ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଶନିବାର ବଡ ଖୁଲାସା କରିଛନ୍ତି ।ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶୁକ୍ରବାର ଜବତ ହୋଇଥିବା ଏହି ସିମ୍ ବକ୍ସ ଦ୍ୱାରା ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍ କରିବାକୁ ବ୍ୟବହୃତ ହେଉଥିଲା । ସାଇବର ଠକେଇ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହୃତ ହୁଏ । ମାତ୍ର ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ । ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଆଶାଦ୍ଦୁର ଜମାନ, ସେ ଜଣେ ବାଂଲାଦେଶୀ ନାଗରିକ । ବେଙ୍ଗଲର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ବ୍ୟବହାର କରୁଥିଲା । ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦ୍ଦୁର ଜମାନ । ଭୁବନେଶ୍ୱର ଆସି ରାଜୁ ମଣ୍ଡଳ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା । ୫ଟି ଅପରେସନାଲ ସିମ୍ ବକ୍ସ ମିଳିଛି, ସେଥିରୁ ୨୫୫ଟି ସକ୍ରିୟ ରହିଛି । ପ୍ରାୟ ୧ ହଜାର ସିମ୍ ମିଳିଛି । ସେଥିରୁ ୫୮ଟି ଅବ୍ୟବହୃତ ସିମ୍ । କେଶୁରାରେ ଭଡା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ । ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା ବୋଲି ପୁଲିସ କମିଶନର କହିଛନ୍ତି।










