27.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଡାଇନିଂ ଟେବୁଲ୍‌ରେ ଏକାଠି ହେଲେ ସିଦ୍ଧରମୈୟା ଓ ଶିବକୁମାର

ଡାଇନିଂ ଟେବୁଲ୍‌ରେ ଏକାଠି ହେଲେ ସିଦ୍ଧରମୈୟା ଓ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶନିବାର ସକାଳେ ଏକାଠି ଜଳଖିଆ କରିଛନ୍ତି। କେବଳ ସେତିକି ନୁହେଁ ଜଳଖିଆ ପର୍ବ ପରେ ପରେ ଉଭୟ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ଏଥିରେ ଉଭୟ ଦର୍ଶାଇଥିଲେ ଯେ, କ୍ଷମତାକୁ ନେଇ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମନୋମାଳିନ୍ୟ ନାହିଁ କିମ୍ବା ଭବିଷ୍ୟତରେ ମଧ୍ୟ ଏପ୍ରକାର ପରିସ୍ଥିତି ସୃଷ୍ଟି ହେବନାହିଁ। ସିଦ୍ଧରମୈୟା କହିଥିଲେ ପ୍ରଦେଶରେ କଂଗ୍ରେସ କ୍ଷମତାରେ ରହିଛି। ଏଠି ସମସ୍ତେ ଜଣେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ହିଁ କାମ କରୁଛନ୍ତି। ଦଳରେ କୌଣସି ପ୍ରକାର ଅଶାନ୍ତି କିମ୍ବା ମତଭେଦର ସ୍ଥାନ ନାହିଁ। ଆମେ ସମସ୍ତେ ଏଠାରେ କର୍ଣ୍ଣାଟକର ବିକାଶ ପାଇଁ ମିଳିମିଶି କାମ କରୁଛୁ ଏବଂ ଏହା ଜାରି ରହିବ। ସେହିପରି ଶିବକୁମାର କହିଛନ୍ତି, “ହାଇକମାଣ୍ଡ ଯାହା କହିବେ ତାହା ଆମେ ପାଳନ କରିବୁ। ଦଳ ହିଁ ଗୋଟିଏ ଗୋଷ୍ଠୀ, ଏଠାରେ କୌଣସି ଗୋଷ୍ଠୀ ବିଭାଜନ ନାହିଁ। ସେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହିତ ଛିଡା ହୋଇଛନ୍ତି ଏବଂ ପ୍ରଦେଶ କଂଗ୍ରେସ କର୍ଣ୍ଣାଟକର ବିକାଶକୁ ପ୍ରାଥମିକତା ଦେଉଛି।

ରିପୋର୍ଟ ଅନୁସାରେ ଗତ ୧୫ ଦିନ ଧରି କର୍ଣ୍ଣାଟକ କଂଗ୍ରେସରେ କ୍ଷମତାକୁ ନେଇ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ଏକପ୍ରକାର ଜବରଦସ୍ତ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଆସୁଥିଲା। ଏପରିକି ଶିବକୁମାର ଏକ ବୟାନ୍‌ରେ କହିଥିଲେ ଯେ ଅନେକ ଅସନ୍ତୁଷ୍ଟ ନେତା ଓ ବିଧାୟକ ଅଛନ୍ତି ଯେଉଁମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଚାହୁଁଛନ୍ତି। ତାଙ୍କର ଏପ୍ରକାର ବିବୃତ୍ତି ପ୍ରଦେଶରେ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବା ସମ୍ଭାବନାକୁ ଉଜାଗର କରିଥିବା ବେଳେ ସେ (ଶିବକୁମାର) ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗକୁ ମଧ୍ୟ ଜୋରଦାର କରିଥିଲା। ଅନ୍ୟପକ୍ଷେ ସିଦ୍ଧରମୈୟାଙ୍କୁୂ ମଧ୍ୟ ବାରମ୍ବାର ସ୍ପଷ୍ଟୀକରଣ ଦେବାକୁ ପଡିଥିଲା ଯେ, ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଯାହା କିଛି ହେବ। ସେ ଏହା ମଧ୍ୟ କହିଥିଲେ ଯେ କର୍ଣ୍ଣାଟକରେ ୨.୫ ବର୍ଷୀୟା ଫର୍ମୁଲା ଲାଗୁ ହେବନାହିଁ। ସେ ହିଁ ୫ ବର୍ଷର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ଶେଷ କରିବେ। ଏହାକୁ ନେଇ ଉଭୟ ଗୋଷ୍ଠୀର କର୍ମୀମାନେ ନିଜ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଦାବି କରିଆସୁଥିଲେ। ତେବେ ଦଳର ଏପ୍ରକାର ସ୍ଥିତିକୁ ଦୃଷ୍ଟିରେ ରଖି ଦଳୀୟ ହାଇକମାଣ୍ଡ ଉଭୟ ନେତାଙ୍କୁ କିଛି ନିର୍ଦ୍ଦେଶ ଦେଇଥିବା ଅନୁମାନ କରାଯାଉଛି। ଯାହା ଫଳରେ ଆଜି ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି। ପ୍ରକାଶ, ୨୦୨୩ ମସିହାରେ କଂଗ୍ରେସ ସରକାର ଗଠନ ହେବା ପରେ, ୨.୫ ବର୍ଷର ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକ ଚୁକ୍ତି ହୋଇଥିଲା, କିନ୍ତୁ ସିଦ୍ଧରମୈୟା ସମର୍ଥକମାନେ ଏହାକୁ ଅସ୍ୱୀକାର କରିଛନ୍ତି। ଦଳ ମଧ୍ୟ ଏହାକୁ ନିଶ୍ଚିତ କରିନାହିଁ।

ଶନିବାରର ଜଳଖିଆ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୨୦୨୮ ବିଧାନସଭା ନିର୍ବାଚନ ପାଇଁ ଏଜେଣ୍ଡା ଅଛି। ନିର୍ବାଚନ ସମ୍ପର୍କରେ ଆଜିର ବୈଠକରେ ଆଲୋଚନା ହୋଇଛି। ୨୦୨୮ ନିର୍ବାଚନରେ କଂଗ୍ରେସକୁ ପୁଣି କ୍ଷମତାକୁ ଆଣିବା ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଆମେ ଏକାଠି ନିର୍ବାଚନ ଲଢିବୁ। ସେହିପରି ତାଙ୍କୁ ନଜଣାଇ କିଛି ବିଧାୟକ ନୂଆଦିଲ୍ଲୀରେ ଡେରା ପକାଇବାକୁ ସେ କିପରି ଦେଖୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସିଦ୍ଧରମୈୟା କହିଛନ୍ତି, ଯେହେତୁ କିଛି ବିଧାୟକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି ତେଣୁ ସେମାନେ ହାଇକମାଣ୍ଡଙ୍କୁ ଭେଟିବାକୁ ଯାଇଥିବେ, ଏହାର ଅର୍ଥ ନୁହେଁ ଯେ ସେମାନେ ନେତୃତ୍ୱ ବିରୋଧରେ । ସେମାନଙ୍କ ମଧ୍ୟରେ କେତେକ ମୋ ସହିତ କଥା ହୋଇଥିଲେ ଏବଂ ଦିଲ୍ଲୀ କାହିଁକି ଯାଇଥିଲେ ତାହାର ବ୍ୟାଖ୍ୟା କରିଥିଲେ। ହାଇକମାଣ୍ଡ ଯାହା କହିବେ ତାହା ଆମେ ଗ୍ରହଣ କରିବୁ। ଶିବକୁମାର ମଧ୍ୟ କହିଛନ୍ତି ଯେ, କର୍ଣ୍ଣାଟକର ଜନତା ଆମକୁ ଏକ ବିପୁଳ ଜନାଦେଶ ଦେଇଛନ୍ତି। କର୍ଣ୍ଣାଟକର ଲୋକମାନଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ଆମର ଦାୟିତ୍ୱ। କର୍ଣ୍ଣାଟକ ବିକାଶ ଆମର ଦାୟିତ୍ୱ। ଆଜି ଆମେ ୨୦୨୮ ବିଧାନସଭା ନିର୍ବାଚନ ପାଇଁ ଆମର ରଣନୀତି ଏବଂ ବିରୋଧୀଙ୍କ ସହିତ କିପରି ମୁକାବିଲା କରାଯିବ ସେ ବିଷୟରେ ଆଲୋଚନା କରିଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking