25.1 C
Bhubaneswar
Saturday, February 14, 2026
Homeଓଡିଶାମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ 

ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ 

ପୁରୀ: ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ ହେଉଛନ୍ତି ମହାବାହୁ ଶ୍ରୀଜଗନ୍ନାଥ। ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ଏଣୁ ଶ୍ରୀବିଗ୍ରହଙ୍କ ରୀତିନୀତି ଓ ବେଶରେ ପରିଲକ୍ଷିତ ହୁଏ ରାଜକୀୟ ଠାଣି। ମହାପ୍ରଭୁଙ୍କ ସୁନାବେଶ ଏହାର ଏକ ନିଦର୍ଶନ। ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ନିମନ୍ତେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁନାବେଶ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା।
ତେବେ ଅପରାହ୍ନ ୪ଟା ୪୫ ରୁ ସୁନାବେଶ ଆରମ୍ଭ ହୋଇ ୬ଟା ରେ ବେଶ ଶେଷ ହୋଇଥିଲା। ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଚିତ୍ତାକର୍ଷକ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ବେଶରେ ମେକାପ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସାହାଯ୍ୟ କରିଥିଲେ। ରଥ ଉପରେ ଏମାନଙ୍କ ସହିତ ଦଇତାପତି ସେବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଜି ଦ୍ୱିପ୍ରହର ଧୂପ (ଖଇ, କୋରା, ଧୁଆମୁଗ, ଆମ୍ବ, ପଣସ, ନଡ଼ିଆ, ଇତ୍ୟାଦି ଶୁଖିଲି ଭୋଗ) ପରେ ଠାକୁର ମାନଙ୍କୁ ମଇଲମ କରାଯାଇଥିଲା। ମଇଲମ ପରେ ଖଣ୍ଡେ ଖଣ୍ଡେ ଶାଢ଼ି ଓ ଖଣ୍ଡୁଆ ଲାଗି ହୋଇଥିଲେ ଚତୁର୍ଦ୍ଧାମୂରତି। ପରେ ଫୁଟାଲାଗି (ଟାଇଟ୍‌ ବସ୍ତ୍ର ପରିଧାନ କରନ୍ତି) ହୋଇଥିଲେ। ଅଧର ବଳା ଓ ଦୁଇ ଭୁଜରେ ବଳା ଲାଗି ହେବା ପରେ ଅଳଙ୍କାରମାନ ଲାଗି ହୋଇଥିଲା। ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ଆଦି ସମ୍ପାଦନା ହୋଇଥିଲା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଠାକୁର ଶ୍ରୀବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା’ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାର ଭୂଷିତ ହୋଇଥିଲେ। ଶ୍ରୀଜଗନ୍ନଥାଙ୍କ ବାଡ଼ରେ ଭିତିରଚ୍ଛ ମହାପାତ୍ର, ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତ ଯଥାକ୍ରାମେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ଉପରେ ଶ୍ରୀବିଗ୍ରହଙ୍କୁ ସୁନାବେଶ ଧାରଣ କରାଇଥିଲେ। ତିନି ଠାକୁର ଧାରଣ କରିଥିଲେ ଭିନ୍ନ ଭିନ୍ନ ଅଳଙ୍କାର। କୁହାଯାଏ ଯେ ଅନେକ ବର୍ଷ ଧରି ପ୍ରାୟ ୧୩୮ ପ୍ରକାର ସ୍ବର୍ଣ୍ଣଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା, କିନ୍ତୁ ସମୟକ୍ରମେ ସେଥିରେ କିଛି ପରିବର୍ତ୍ତନ ଆସିଛି। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଅସ୍ଥାୟୀ ଭଣ୍ଡାର ଗୃହରୁ ବା ଚାଙ୍ଗୁଡ଼ି ଘର ରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ ମାନେ, ମାଜିଷ୍ଟ୍ରେଟ, ପୋଲିସ ଓ ଶ୍ରୀମନ୍ଦିର ଅଧିକାରୀଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥିଲେ।
ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ। ଏଥି ମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉ ମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତ ବର୍ଗର ଭକ୍ତଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାର ଠାରେ ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା। ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତ ମାନେ ଆତ୍ମବିଭୋର ହୋଇପଡୁଥିଲେ। ଚଳିତ ବର୍ଷ ମହାପ୍ରଭୁଙ୍କର ଏହି ମନଲୋଭା ସୁନାବେଶ ‌ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଲକ୍ଷାଧିକ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ସୁନାବେଶ ଦର୍ଶନ ପାଇଁ ଭକ୍ତ ମାନେ ଯେପରିକି ଆଦୌ ଅସୁବିଧାର ସାମ୍ନା ନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।
ଏଥି ସହ ଭକ୍ତ ମାନଙ୍କୁ ସୁବିଧାରେ ସୁନାବେଶ ଦର୍ଶନ କରାଇବା ପାଇଁ ୩ ରଥର ୧୪ ନାହାକାରେ ଲୁହା ବ୍ୟାରିକେଡ ଲଗାଯାଇଥିଲା। ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏହି ବ୍ୟବସ୍ଥା କରାଯାଇଥିଲା। ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ନନ୍ଦିଘୋଷ ରଥ ବାମପାର୍ଶ୍ବରୁ ରଥ ଆଗ ଦେଇ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ଛାଡ଼ି ତାଳଧ୍ୱଜ ରଥ ଡାହାଣ ପାର୍ଶ୍ବରେ ଭକ୍ତଙ୍କ ପ୍ରସ୍ଥାନ ବ୍ୟବସ୍ଥା ହୋଇଥିଲା। ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗ ରାସ୍ତାକୁ ମଧ୍ୟ ପୋଲିସ ପ୍ରଶାସନ ଦ୍ୱାରା ସିଲ୍‌ କରାଯାଇଥିଲା। ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରି ଦିଆଯାଇଥିଲା।
ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯାଇଥିଲା। ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତୀ ମାଳି ଆଦି ଅଳଙ୍କାର ଲାଗି କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି କରାଯାଇଥିଲା।
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking