25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଠକେଇ ମାମଲାରେ ଫସିଲେ ଶିଳ୍ପା ସେଟ୍ଟୀ

ଠକେଇ ମାମଲାରେ ଫସିଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଠକେଇ ମାମଲାରେ ଫସିଲେ ଶିଳ୍ପା ସେଟ୍ଟୀ। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ଉଭୟଙ୍କ ବିରୁଦ୍ଧରେ ଜଣେ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜଣେ ବ୍ୟବସାୟୀ ଶିଳ୍ପା ଏବଂ ରାଜଙ୍କ କମ୍ପାନୀରେ ପ୍ରାୟ ୬୦.୪୮ କୋଟି ଟଙ୍କା ନିବେଶ କରିଥିଲେ କିନ୍ତୁ ଅଭିଯୋଗ ହୋଇଛି ଯେ ଏହି ରାଶି ବ୍ୟବସାୟରେ ନିବେଶ କରିବା ପରିବର୍ତ୍ତେ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହୃତ ହୋଇଥିଲା। ଏହି ମାମଲା ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ସହିତ ଜଡିତ, ଯାହା ଏକ ଅନଲାଇନ୍ ସପିଂ ପ୍ଲାଟଫର୍ମ।

ବ୍ୟବସାୟୀ ଦୀପକ କୋଠାରୀ ମୁମ୍ବାଇର ଜୁହୁ ପୋଲିସ ଷ୍ଟେସନରେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି ଯେ ସେ ୨୦୧୫ରୁ ୨୦୨୩ ମଧ୍ୟରେ କମ୍ପାନୀର ବ୍ୟବସାୟ ବିସ୍ତାର କରିବା ପାଇଁ ଏହି ରାଶି ଦେଇଥିଲେ। ସେ ୨୦୧୫ ମସିହାରେ ଜଣେ ଏଜେଣ୍ଟ ରାଜେଶ ଆର୍ଯ୍ୟଙ୍କ ମାଧ୍ୟମରେ ଶିଳ୍ପା ଏବଂ ରାଜଙ୍କ ସମ୍ପର୍କରେ ଆସିଥିଲେ। ସେହି ସମୟରେ ଶିଳ୍ପା ସେଟ୍ଟି ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ ଏବଂ ତାଙ୍କର ୮୭%ରୁ ଅଧିକ ସେୟାର ଥିଲା। ଦୀପକ କୋଠାରୀ ଦାବି କରିଛନ୍ତି ଯେ ରାଜେଶ ଆର୍ଯ୍ୟ ତାଙ୍କୁ ୧୨% ବାର୍ଷିକ ସୁଧରେ କମ୍ପାନୀ ପାଇଁ ୭୫ କୋଟି ଟଙ୍କା ଋଣ ପ୍ରଦାନ କରିଥିଲେ।

ସୁଧ ହାର ଅଧିକ ଥିବାରୁ, ସେ ଏହି ରାଶି ନିବେଶ କରିବାକୁ ପରାମର୍ଶ ଦେଇଥିଲେ। ଏକ ବୈଠକ ପରେ, ଚୁକ୍ତିକୁ ସ୍ୱୀକାର କରି କୋଠାରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ସମୟ ମଧ୍ୟରେ ତାଙ୍କ ଟଙ୍କା ଫେରସ୍ତ କରିଯିବଏହା ପରେ କୋଠାରୀ ଏପ୍ରିଲ ୨୦୧୫ରେ ପ୍ରାୟ ୩୧.୯୫ କୋଟି ଟଙ୍କାର ପ୍ରଥମ କିସ୍ତି ସ୍ଥାନାନ୍ତର କରିଥିଲେ। ଏହା ପରେ, ସେ ଜାନୁଆରୀ ୨୦୧୫ରୁ ମାର୍ଚ୍ଚ ୨୦୧୬ ମଧ୍ୟରେ ଆଉ ୨୮.୫୪ କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ। ଏହିପରି ଭାବରେ, ମୋଟ ୬୦.୪୮ କୋଟି ଟଙ୍କା ନିବେଶ ହୋଇଥିଲା, ଏବଂ ଷ୍ଟାମ୍ପ ଡ୍ୟୁଟି ଭାବରେ ୩.୧୯ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିଲା।

ଦୀପକ କୋଠାରୀ ଅଭିଯୋଗ କରିଛନ୍ତି ଯେ ଶିଳ୍ପା ସେଟ୍ଟୀ ଏପ୍ରିଲ୍ ୨୦୧୬ରେ ଏକ ବ୍ୟକ୍ତିଗତ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ। କିନ୍ତୁ ସେପ୍ଟେମ୍ବର ୨୦୧୬ରେ ସେ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ, କମ୍ପାନୀ ବିରୋଧରେ ୧.୨୮ କୋଟି ଟଙ୍କାର ଏକ ଦେବାଳିଆ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ବିଷୟରେ କୋଠାରୀଙ୍କର କୌଣସି ଜ୍ଞାନ ନଥିଲା। ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଟଙ୍କା ଫେରସ୍ତ ନହେବାରୁ, ଦୀପକ କୋଠାରୀ ପୋଲିସରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ଏହି ମାମଲା ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ତଦନ୍ତ କରାଯାଉଛି।

ଅନ୍ୟପଟେ ଶିଳ୍ପା ଏବଂ ରାଜଙ୍କ ଓକିଲ ପ୍ରଶାନ୍ତ ପାଟିଲ ଅଭିଯୋଗଗୁଡ଼ିକୁ ଅସ୍ବୀକାର କରିଛନ୍ତି। ସେ ଦାବି କରିଛନ୍ତି, ଅକ୍ଟୋବର ୨୦୨୪ରେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି)ରେ ଏ ବିଷୟରେ ନିଷ୍ପତ୍ତି ନିଆଯାଇସାରିଛି। ଏହି ମାମଲାରେ କୌଣସି ଅପରାଧ ନାହିଁ ଏବଂ ସେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଇଓଡବ୍ଲୁ ନିକଟରେ ଦାଖଲ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking