ଶ୍ରୀନଗର : ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନର ତୃତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସକାଳ ୭ ଟାରୁ ସନ୍ଧ୍ୟା ୫ଟା ଯାଏ ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ଭୋଟରମାନେ ଧାଡିରେ ଛିଡା ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ଏଠାରେ ମୋଟ୍ ୬୫.୬୫% ଭୋଟିଂ ହୋଇଛି । ଏଥିମଧ୍ୟରେ ସାମ୍ବା ଜିଲ୍ଲାରେ ସର୍ବାଧିକ ୭୩.୪୫% ଭୋଟ୍ ହାର ରହିଥିବା ବେଳେ ବାରାମୁୂଲ୍ଲା ଜିଲ୍ଲାରେ ସର୍ବନିମ୍ନ ୫୫.୭୩% ଭୋଟିଂ ହୋଇଛି । ପ୍ରକାଶ, ଜମ୍ମୁ କାଶ୍ମୀର ପାଇଁ ୩ୟ ତଥା ଅନ୍ତିମ ପର୍ଯ୍ୟାୟରେ ସମୁଦାୟ ୪୦ ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି । ୩ୟ ପର୍ଯ୍ୟାୟରେ ମୋଟ୍ ୪୧୫ ଜଣ ପ୍ରାର୍ଥୀ ୪୦ଟି ଆସନ ପାଇଁ ଲଢୁଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି ।
ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରରେ ଦୀର୍ଘ ଏକ ଦଶନ୍ଧି ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ୨୦୧୯ରେ ଏଠାରୁ ଧାରା ୩୭୦ ହଟାଯିବା ଏବଂ ରାଜ୍ୟ ମାନ୍ୟତା ରଦ୍ଦ ହେବା ପରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରିଛି । ନିର୍ବାଚନ ଆୟୋଗ ଏଠାରେ ବିଧାନସଭା ନିର୍ବାଚନ କରାଇବା ପାଇଁ ମୋଟ୍ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ପ୍ରକ୍ରିୟାର ବନ୍ଦୋବସ୍ତ କରିଥିଲେ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ଭୋଟ୍ ଗଣତି ଅକ୍ଟୋବର ୮ରେ ହେବ ଏବଂ ସେହି ଦିନ ହିଁ ଫଳାଫଳ ଘୋଷଣା କରାଯିବ ।