ନୂଆଦିଲ୍ଲୀ: ପାକିସ୍ତାନ ଫାଷ୍ଟ ବୋଲର୍ ଶାହିନ୍ ଆଫ୍ରିଦି ମୁଖ୍ୟ କୋଚ୍ ଗ୍ୟାରୀ କର୍ଷ୍ଟନ୍ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ବିଶ୍ୱକପ୍ ଏବଂ ଆୟର୍ଲାଣ୍ଡ ଗସ୍ତ ଅବସରରେ ଆଫ୍ରିଦି ମୁଖ୍ୟ କୋଚ୍ କର୍ଷ୍ଟନ୍, ସହାୟକ କୋଚ୍ ଆଝାର ମେହମୁଦ ଏବଂ ଟିମ୍ ଷ୍ଟାଫ୍ଙ୍କ ସହ ଦୁର୍ବ୍ୟବହାର କରିଥିଲେ । କୋଚ୍ ଏବଂ ଟିମ୍ ଷ୍ଟାଫ୍ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିକଟରେ ଏହି ଅଭିଯୋଗ କରିଛନ୍ତି । ଘଟଣା ସମୟରେ ଟିମ୍ ମ୍ୟାନେଜମେଣ୍ଟ୍ ଆଫ୍ରିଦିଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ଏବେ ତାର ଯାଞ୍ଚ୍ ହେବ ।
ପାକିସ୍ତାନୀ ସନା ନ୍ୟୁଜ୍ କହିଛି, ଶାହିନ୍ଙ୍କ ଏହି ବ୍ୟବହାର ସତ୍ତ୍ୱେ ଚୟନ କମିଟି ସଦସ୍ୟ ତଥା ସିନିୟର୍ ମ୍ୟାନେଜର ୱହାବ୍ ରିୟାଜ୍ ଏବଂ ମ୍ୟାନେଜର ମନ୍ସୁର୍ ରାଣା ତାଙ୍କ ସାଥ୍ ଦେଇଥିଲେ । ପାକିସ୍ତାନୀ ଟିମ୍ର କେତେକ ଖେଳାଳି ଲବିଂ କରୁଥିବା ସପୋର୍ଟ ଷ୍ଟାଫ୍ ଅଭିଯୋଗ କରିଛି । ୱହାବ୍ ରିୟାଜ୍ ଏବଂ ମନ୍ସୁର ରାଣାଙ୍କ ସହିତ ଚୟନ କମିଟି ସଦସ୍ୟ ପୂର୍ବତନ ଅଲ୍ରାଉଣ୍ଡର୍ ଅବ୍ଦୁଲ୍ ରଜାକ୍ଙ୍କୁ ପିସିବି ବହିଷ୍କାର କରିଛି । ଟି-୨୦ ବିଶ୍ୱକପ୍ ପରେ କୋଚ୍ ଗ୍ୟାରୀ କର୍ଷ୍ଟନ୍ କହିଥିଲେ, ପାକିସ୍ତାନ ଟିମ୍ରେ ଏକତା ନାହିଁ ଏବଂ ଖେଳାଳିଙ୍କ ମଧ୍ୟରେ ଗୋଷ୍ଠୀବାଦ ରହିଛି । କର୍ଷ୍ଟନ୍ଙ୍କ କୋଚିଂରେ ଭାରତ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ନିଜ ନାମରେ କରିଥିଲା । ଚଳିତ ବର୍ଷର ଆଇପିଏଲ୍ ପରେ କର୍ଷ୍ଟନ୍ଙ୍କୁ ପାକିସ୍ତାନ ଟିମ୍ର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଥିଲା ।
ଚଳିତ ଟି-୨୦ ବିଶ୍ୱକପ୍ ପୂର୍ବରୁ ଶାହିନ୍ ଆଫ୍ରିଦିଙ୍କୁ ଟି-୨୦ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା, ଯେଉଁଥି ପାଇଁ ସେ ପିସିବି ଉପରେ ଅସନ୍ତୁଷ୍ଟ ଥିଲେ । ୨୦୨୨ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାରୁ ବାଦ୍ ପଡ଼ିବା ପରେ ବାବର ଆଜମ୍ ଅଧିନାୟକତ୍ୱରୁ ଓହରିଯାଇଥିଲେ ଏବଂ ଆଫ୍ରିଦିଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା । ଆଫ୍ରିଦିଙ୍କ ନେତୃତ୍ୱରେ ମଧ୍ୟ ଟିମ୍ର ପ୍ରଦର୍ଶନ ଖରାପ ରହିଥିଲା । ଫଳରେ ୨୦୨୪ ବିଶ୍ୱକପ୍ ପୂର୍ବରୁ ତାଙ୍କ ସ୍ଥାନରେ ପୁଣିଥରେ ବାବର୍ଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା । ୱହାବ୍ ରିୟାଜ୍ଙ୍କୁ ଚୟନ କମିଟିରୁ ହଟାଇ ଦିଆଯିବା ପରେ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହାପରେ ଶାହିନ୍ ଆଫ୍ରିଦିଙ୍କ ମାମଲା ପାକିସ୍ତାନୀ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।