ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ୧୭ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ଏଥିରୁ ୭ଟିରେ ନିୟମିତ କୁଳପତି ନାହାନ୍ତି । ଏହିସବୁ ବିଶ୍ୱବିଦ୍ୟାଳୟଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଭାଗ ନିୟନ୍ତ୍ରଣରେ ୬୬ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟ, ୧୬ଟି ସରକାରୀ ଶିକ୍ଷକ ଶିକ୍ଷାନୁଷ୍ଠାନ ଓ ୪୮୮ ବର୍ଗର ୨୯୮ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟ ରହିଛି ।
ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ମଧ୍ୟରୁ ବିଜେବି ସ୍ୱୟଂଶାସିତ ଡିଗ୍ରୀ ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ସରକାରୀ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉଛି । ଏହିସବୁ ମହାବିଦ୍ୟାଳୟଗୁଡିକରେ ନିୟମିତ ଅଧ୍ୟକ୍ଷ ପଦବୀ ନାହିଁ । ସେହିଭଳି ୧୭ଟି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ୍ ୨୦୨୭ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଥିବାବେଳେ ସେଥିରୁ ୧୩୫୩ଟିପଦବୀ ଖାଲି ପଡିଛି । ୨୭୮୯ ଅଣଶିକ୍ଷକ କର୍ମଚାରୀ ପଦବୀ ମଧ୍ୟରୁ ୨୦୮୧ ଟି ପଦବୀ ଖାଲି ରହିଛି । ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ୨୪୦୭ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଥିବାବେଳେ ସେଥିରୁ ୪୩୬ଟି ପଦବୀ ଖାଲି ପଡିଛି । ସେହିଭଳି ୧୭୧୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୭୧୩ଟି ପଦବୀ ଖାଲି ପଡିଛି । ରାଜ୍ୟରେ ଥିବା ୪୮୮ ବର୍ଗର ପୂର୍ଣ୍ଣ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ୭୧୧୦ ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଥିବାବେଳେ ସେଥିରୁ ୮୩୨ଟି ଅଧ୍ୟାପକ ପଦବୀ ଖାଲି ରହିଛି । ଏହି ମହାବିଦ୍ୟାଳୟଗୁଡିକରେ ୬୧୨୭ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୩୯୮୨ଟି ଖାଲି ରହିଛି ।