31.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶ‘ଆଇ ଲଭ୍‌ ୟୁ’ କହିବା ଯୌନ ନିର୍ଯାତନା ନୁହେ: ଛତିଶଗଡ଼ ହାଇକୋର୍ଟ

‘ଆଇ ଲଭ୍‌ ୟୁ’ କହିବା ଯୌନ ନିର୍ଯାତନା ନୁହେ: ଛତିଶଗଡ଼ ହାଇକୋର୍ଟ

ନୂଆଦିଲ୍ଲୀ: ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ସ୍ପଷ୍ଟ ଯୌନ ଉଦ୍ଦେଶ୍ୟ ପ୍ରମାଣ ନ ହେଲେ କେବଳ “ଆଇ ଲଭ୍‌ ୟୁ” କହିବା ଯୌନ ନିର୍ଯାତନା ନୁହେ। ଏହି ମାମଲାରେ ଜଣେ ଯୁବକଙ୍କୁ ପୋକ୍ସୋ ଆଇନ ଓ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନ ଅଧୀନରେ ଅଭିଯୁକ୍ତ କରାଯାଇଥିଲା, କିନ୍ତୁ ହାଇକୋର୍ଟର ବିଚାରପତି ସଞ୍ଜୟ ଏସ୍‌ ଅଗ୍ରୱାଲଙ୍କ ଖଣ୍ଡିକିଆ ବେଞ୍ଚ ଟ୍ରାଏଲ କୋର୍ଟଙ୍କ ରାୟକୁ ବଳବତ୍ତର ରଖି ରାଜ୍ୟ ସରକାରଙ୍କ ଆପୀଲକୁ ଖାରଜ କରିଛନ୍ତି। ଘଟଣାଟି ଧମତାରୀ ଜିଲାର କୁରୁଦ ଥାନା ଅଞ୍ଚଳରେ ଘଟିଥିଲା। ଜଣେ ୧୫ ବର୍ଷୀୟା ଛାତ୍ରୀ ଅଭିଯୋଗ କରିଥିଲେ ଯେ, ସ୍କୂଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ଦେଖି “ଆଇ ଲଭ୍‌ ୟୁ” କହିଥିଲେ ଏବଂ ପୂର୍ବରୁ ମଧ୍ୟ ଅନେକ ଥର ନିର୍ଯାତନା ଦେଇଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ଦଣ୍ଡବିଧାନର ଧାରା ୩୫୪ଡି (ପଛରୁ ଲାଗିବା) ଓ ୫୦୯ (ମହିଳାଙ୍କ ସମ୍ମାନକୁ ଆଘାତ) ସହ ପୋକ୍ସୋ ଆଇନର ଧାରା ୮ ଓ ଏସସି/ଏସଟି ଆଇନର ଧାରା ୩(୨)(ଭିଏ) ଅଧୀନରେ ମାମଲା ରୁଜୁ କରିଥିଲା।

କିନ୍ତୁ, ଟ୍ରାଏଲ କୋର୍ଟ ପ୍ରମାଣର ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ରାଜ୍ୟ ସରକାର ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୁଣାଣି ସମୟରେ ହାଇକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଅଭିଯୋଗକାରୀଙ୍କ ବୟସ ପ୍ରମାଣ କରିବାରେ ତଦନ୍ତ ଅସମ୍ପୂର୍ଣ୍ଣ ରହିଥିଲା ଏବଂ ଅଭିଯୁକ୍ତଙ୍କ କାର୍ଯ୍ୟରେ ଯୌନ ଉଦ୍ଦେଶ୍ୟ ଥିବାର କୌଣସି ପ୍ରମାଣ ମିଳିନାହିଁ। ଏହା ସହ, ଅଭିଯୋଗକାରୀଙ୍କ ଜାତି ସମ୍ପର୍କରେ ଅଭିଯୁକ୍ତଙ୍କୁ ଜଣା ନ ଥିବାରୁ ଏସସି/ଏସଟି ଆଇନ ପ୍ରୟୋଗ ଅନୁଚିତ ବୋଲି କୋର୍ଟ ମତ ଦେଇଛନ୍ତି। ବିଚାରପତି ଅଗ୍ରୱାଲ କହିଛନ୍ତି, ଏକ ଏକକ “ଆଇ ଲଭ୍‌ ୟୁ” କହିବା ବା ବାରମ୍ବାର ସମ୍ପର୍କ ବା ଅସଭ୍ୟ ଆଚରଣ ବିନା ପୋକ୍ସୋ ଆଇନର ଧାରା ୭ ଅନୁଯାୟୀ ଯୌନ ନିର୍ଯାତନାର ଆଇନଗତ ମାନଦଣ୍ଡ ପୂରଣ କରେ ନାହିଁ। ସୁପ୍ରିମକୋର୍ଟଙ୍କ ଆଟର୍ଣ୍ଣି ଜେନେରାଲ ଫର ଇଣ୍ଡିଆ ବନାମ ସତୀଶ (୨୦୨୧) ରାୟକୁ ଉଲ୍ଲେଖ କରି କୋର୍ଟ କହିଛନ୍ତି ଯେ, ଯୌନ ଉତ୍ପୀଡ଼ନ ପାଇଁ ସ୍ପଷ୍ଟ ଉଦ୍ଦେଶ୍ୟ ପ୍ରମାଣ ଆବଶ୍ୟକ। ତଦନ୍ତରେ ଅପାରଗତା ଓ ଅସାବଧାନତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦୋଷ ରାୟକୁ ବଳବତ୍ତର ରଖି ରାଜ୍ୟର ଆପୀଲ ଖାରଜ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking