14.1 C
Bhubaneswar
Saturday, January 17, 2026
Homeଓଡିଶାଖପୁରିଆପଦା ଘାଟରୁ ବେଧଡ଼କ ଚାଲିଛି ବାଲି ଲୁଟ୍

ଖପୁରିଆପଦା ଘାଟରୁ ବେଧଡ଼କ ଚାଲିଛି ବାଲି ଲୁଟ୍

ଯାଜପୁରରୋଡ: ଯାଜପୁର ଜିଲ୍ଲା ଦାନଗଦି ତହସିଲ୍ ଅଧିନରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି। ଯାହାକି ବ୍ରାହ୍ମଣୀ ନଦୀର ଖପୁରିଆପଦା ଘାଟରୁ ବେଧଡ଼କ ବାଲି ଲୁଟ୍ ଚାଲିଛି। କିନ୍ତୁ ପ୍ରଶାସନ ଜାଣି ଅଜଣା ହୋଇ ଚୁପ୍ ବସୁଛି। ଏହି ଘାଟରୁ ପ୍ରତିଦିନ ଶତାଧିକ ଟ୍ରାକଟର ବାଲି ଚୋରା ଚାଲାଣ ହେଉଛି। କିଛି ମାସର ନୀରବତା ପରେ ଭଦ୍ର ଗ୍ୟାଙ୍ଗ୍ ଏଠାରେ ପୁଣି ଥରେ ଅହୋରାତ୍ର ବାଲି ଲୁଟ କାରବାର ଚଳାଇଥିବା କୁହାଯାଉଛି। ଲଘୁ ଖଣିଜ ସମ୍ପଦର ସୁରକ୍ଷା ଭାର ଖଣି ବିଭାଗକୁ ହସ୍ତାନ୍ତର ହେବା ପରଠାରୁ ତହସିଲ କର୍ତ୍ତୃପକ୍ଷଙ୍କ ପାଇଁ ଏହା ବ୍ୟାପକ ସୁଯୋଗ ସୃଷ୍ଟି କରିଥିବା ଦେଖିବାକୁ ମିଳୁଛି। ଲଘୁ ଖଣିଜ ବିଭାଗ ନିଜ ଦାୟିତ୍ୱ ସମ୍ପାଦନରେ ପଛଘୁଞ୍ଚା ଦେଉଥିବା ବେଳେ ରାଜସ୍ୱ ବିଭାଗର କର୍ମଚାରୀମାନେ ଲଘୁ ଖଣିଜ ମାଫିଆଙ୍କ ସହିତ ସନ୍ଧି କରି ଖଣିଜ ଦ୍ରବ୍ୟ ଲୁଟ୍‌କୁ ଅଭୟ ଦେଉଥିବା ଦେଖିବାକୁ ମିଳୁଛି। ବ୍ରାହ୍ମଣୀ ନଦୀର ଖପୁରିଆପଦା ଘାଟରୁ ନିର୍ମାଣରେ ବ୍ୟବହାର ପାଇଁ ବେଶ୍ ଚାହିଦା ଥିବା ମୋଟା ବାଲି ମିଳୁଥିବାରୁ ଏଠାରେ ମାଫିଆ ଗୋଷ୍ଠି ବେଶ୍ ସକ୍ରିୟ ହୋଇ ଉଠିଛନ୍ତି। ସ୍ଥାନୀୟ ମାଫିଆ ଗୋଷ୍ଠୀ ପ୍ରତ୍ୟେକ ବାଲି ଟ୍ରାକଟର ଠାରୁ ବେଆଇନ ଭାବେ ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରୁଛନ୍ତି ।

ପ୍ରତିଦିନ ଶହେରୁ ଅଧିକ ଟ୍ରାକ୍ଟର ଏଠାରୁ ବାଲି ଲୋଡ୍ ହେଉଥିବାରୁ ଏ ବାବଦରେ ପ୍ରତ୍ୟହ ଅନ୍ୟୁନ ହଜାର ହଜାର ଟଙ୍କା ବାଲି ମାଫିଆଙ୍କ ପକେଟ ଗରମ କରୁଛନ୍ତି। ଲଘୁ ଖଣିଜ ବିଭାଗ ଓ ଦାନଗଦି ତହସିଲ୍ ମଧ୍ୟରେ ସମନ୍ୱୟ ନଥିବାରୁ ପ୍ରଶାସନ ଏହି ବେଆଇନ ବାଲି ଲୁଟ ବନ୍ଦ କରିବାକୁ ଅଦ୍ୟାବଧି ଆଗେଇ ଆସିନାହିଁନ୍ତି। ଅନୁରୂପ ଭାବେ ଚକୁଆ ବାଲିଘାଟରୁ ମଧ୍ୟ ମାଫିଆ ଗୋଷ୍ଠି ରାତି ଅଧିଆ ବାଲି ବିକ୍ରି କରୁଥିବା ଅଭିଯୋଗ ହେଉଛି। ଦାନଗଦି ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଘାଟ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଥିବା ବେଳେ ପ୍ରଶାସନ ପାଖରେ ଏ ବାବଦରେ ଦୈନନ୍ଦିନ ସୂଚନା ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଜିଲ୍ଲାପାଳ ରାଜସ୍ୱ ସୁରକ୍ଷା ପାଇଁ ତୁରନ୍ତ ଏହା ଉପରେ ହସ୍ତକ୍ଷେପ କରିବା ଆବଶ୍ୟକ ହୋଇପଡିଛି। ରାଜସ୍ୱକୁ ଲୁଟ କରୁଥିବା ମାଫିଆଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଗଲେ ରାଜସ୍ୱ ଲୁଟ୍‌କୁ ସହଜମନେ କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲାଗିପାରନ୍ତା। ଏହାକୁ ନେଇ ଦାନଗଦି ତହସିଲଦାରଙ୍କ କହିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ କିନ୍ତୁ ଲଘୁ ଖଣିଜ ବିଭାଗ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ କିଛି ଉତ୍ତର ମିଳି ପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking