20.1 C
Bhubaneswar
Monday, November 18, 2024
Homeଓଡିଶାସମୀର ଦେ’ଙ୍କ ପରଲୋକ

ସମୀର ଦେ’ଙ୍କ ପରଲୋକ

କଟକ: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କର ଆଜି ଅପରାହ୍ଣରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଦୁଇବର୍ଷ ପୂର୍ବେ ତାଙ୍କର କିଡ଼ନୀ ପ୍ରତିରୋପଣ କରାଯାଇଥିଲା ବେଳେ ୧୫ଦିନ ତଳେ ସଂକ୍ରମଣ ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ସିଡିଏ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୀର୍ଘଦିନ ତାଙ୍କୁ ଭେଣ୍ଟିଲେଟରରେ ରଖାଯିବା ପରେ ୩ ଦିନ ପୂର୍ବରୁ ତାଙ୍କୁ ବେଡକୁ ଅଣାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପୁଣି ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା। ତେବେ ସ୍ୱାସ୍ଥାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା ବେଳେ ଆଜି ଅପରାହ୍ଣ ୧.୫୦ ମିନିଟରେ ତାଙ୍କର ପରଲୋକ ଘଟିଥିଲା। ସମୀରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତରଖାନା ତଥା ତାଙ୍କ ବାସଗୃହରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଡାକ୍ତର ଦୀପିକା ଦତ୍ତରାୟ, ଝିଅ ଶିଳ୍ପାବୈଷ୍ଣବୀ ଦେ’ଙ୍କ ସମେତ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ।

ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ୧୯୫୭ ମସିହା ଜାନୁଆରୀ ୧୦ତାରିଖରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସମୀର। କଟକରେ ଉଚ୍ଚଶିକ୍ଷା ଲାଭ କରିବା ସହ ଆଇନକୁ ପେଷା ଭାବେ ଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ। କଟକର ବିଭିନ୍ନ ସ୍ଥାନରେ ଆର୍‌ଏସସ୍‌ରୁ ଶାଖା ଖୋଲି ସଂଘକୁ ଏକ ଶକ୍ତିଶାଳୀ ସଂଗଠନ ରୂପେ ଗଢିତୋଳିଥିଲେ। ୧୯୯୦ ମସିହାରେ ପ୍ରଥମଥର ପାଇଁ ବିଜେପି ପ୍ରାର୍ଥୀ ଭାବେ କଟକସହର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ମାତ୍ର୧୯୯୫,୨୦୦୦ ଏବଂ ୨୦୦୪ ସାଧାରଣ ନିର୍ବାଚନରେ ଏହି ଆସନରୁ କ୍ରମାଗତ ଭାବେ ସେ ତିନିଥର ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ନଗର ଉନ୍ନୟନ ମନ୍ତ୍ରୀ ଏବଂ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୦୯ ଏବଂ ୨୦୧୯ କଟକସହର ବିଧାନସଭା ଆସନରୁ ଏବଂ ୨୦୧୪ରେ କଟକ ଲୋକସଭା ଆସନରୁ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ତେବେ ୨୦୨୪ ନିର୍ବାଚନରେ ସେ ଅସୁସ୍ଥତା କାରଣରୁ ପ୍ରତିଦ୍ୱନ୍ଦିତା କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ତାଙ୍କ ପରଲୋକ ଖବର ପାଇ ବହୁବିଶିଷ୍ଠ ବ୍ୟକ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି, ନୟନ ମହାନ୍ତି, ଯୁବମୋର୍ଚ୍ଚା ନେତା ନଳିନୀ ରାୟ ପ୍ରମୁଖ ତାଙ୍କ ସିଡିଏସ୍ଥିତ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ। ତାଙ୍କ ମରଶରୀରକୁ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା। ସିଡିଏରୁ ତାଙ୍କୁ ଝୋଲାସାହି ଦେଇ ନିମସାହି, ୭୨ମଠ, ବାରବାଟୀ ଷ୍ଟାଡିୟମ ଏବଂ ଶେଖବଜାର ସ୍ଥିତ ଆର୍‌ଆର୍‌ଏସଏସ୍ କାର୍ଯ୍ୟାଳୟକୁ ନିଆଯିବା ପରେ ସ୍ଥାନୀୟ ଖାନ୍‌ନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପୂର୍ଣ୍ଣ ସମ୍ପନ୍ନ ହୋଇଥିଲା। ତାଙ୍କର ଏକମାତ୍ର କନ୍ୟା ଶିଳ୍ପାବୈଷ୍ଣବୀ ମୁଖାଗ୍ନୀ ଦେଇଥିଲେ।

ସମୀର ଦେଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ଦେ’ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି ଯେ ଓଡ଼ିଶାରେ ସେ ଜଣେ ଲୋକପ୍ରିୟ ନେତା ଥିଲେ। ମୋ ଅଧିନରେ ସେ ମନ୍ତ୍ରୀ ଥିଲେ। ତାଙ୍କା କାର୍ଯ୍ୟ ଦକ୍ଷତା ଖୁବ ଭଲ ଥିଲା। ତାଙ୍କ ମୃତ୍ୟୁ ଯୋଗୁଁ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମୀର ଦେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ। ତାଙ୍କୁ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରଡ଼ା ‘ଏକ୍ସ’ରେ ଲେଖିଛନ୍ତି ଯେ, “ସମୀର ଦେ, ଆମେ ପ୍ରିୟ ଦାଦା ଇହ ଧାମରେ ନାହାନ୍ତି ଶୁଣି ବିଶ୍ୱାସ ହେଉନି। ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚାଇ ଆମ ଦଳ ପାଇଁ ଏକ ମଡେଲ ଭାବରେ ପ୍ରସ୍ତୁତ କରିଥିଲେ। ୧୯୯୫ରେ ବିଧାନସଭାରେ ପ୍ରବେଶ କରି ଓଡ଼ିଆଙ୍କ ଜନ ଆକାଂକ୍ଷାକୁ ବଡ଼ ରୂପ ଦେଇ ଦଳ ବିକାଶର ଭିତ୍ତି ପ୍ରସ୍ତର ପକାଇଥିଲେ। ୨୦୦୦ ଓ ୨୦୦୪ ରେ ମନ୍ତ୍ରୀ ଭାବରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିଥିଲେ। ତାଙ୍କର ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ‘ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ରାଜନେତା ସମୀର ଦେଙ୍କ ଦେହାନ୍ତ କଥା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମାତ୍ର ୬୭ ବର୍ଷ ବୟସରେ ତାଙ୍କ ପରଲୋକ ହେବା ନିଶ୍ଚିତ ରୂପେ ଦୁଃଖର ବିଷୟ। ଭାରତୀୟ ଜନତା ଦଳକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ। ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଓ ସହୃଦୟ ବ୍ୟକ୍ତି ଥିଲେ। ତାଙ୍କର ଏହି ବିୟୋଗ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking