19.1 C
Bhubaneswar
Sunday, February 8, 2026
Homeଓଡିଶାରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ-ମନ୍ତ୍ରୀ 

ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ-ମନ୍ତ୍ରୀ 

ସହଯୋଗ ନେଇ ବିଭିନ୍ନ ସଂଘ ସହ ଆଲୋଚନା

ଭୁବନେଶ୍ୱର:  ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନ କରିବାକୁ ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ପେଟ୍ରୋଲିୟମ୍‌ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ପେଟ୍ରୋଲ ବିକ୍ରୟକୁ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଦ୍ୱାରା ପ୍ରଦତ୍ତ ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ସଂଘଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଏହି ନିୟମର ବ୍ୟକ୍ତିଗତ ତଦାରଖ ପାଇଁ ଜିଲ୍ଲାପାଳମାନଙ୍କୁ ଅବଗତ କରାଯିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ମାତ୍ର ବିଭିନ୍ନ ଅନୁଷ୍ଠାନ, କୃଷକ ଓ ସରକାରୀ କାର୍ଯ୍ୟାଳୟର ବ୍ୟବହାର ପାଇଁ ଖୁଚୁରା ଭାବେ ପେଟ୍ରୋଲ ବିକ୍ରୟ କରାଯିବା ନେଇ ଥିବା ନିୟମ ବଳବତ୍ତର ରହିବ । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ୱ, ବିଭିନ୍ନ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏ କ୍ଷେତ୍ରରେ ଅନୈତିକ ଭାବେ ସହଯୋଗ କରୁଥିବା ପେଟ୍ରୋଲ ପମ୍ପ କିମ୍ବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ବିଭିନ୍ନ ସଂଘର କାର୍ଯ୍ୟକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ ।

ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ଶ୍ରୀଧର ନାୟକ,ବୈଧ ଓଜନ ମାପ ବରିଷ୍ଠ ଯୁଗ୍ମ ନିୟନ୍ତ୍ରକ ଶ୍ରୀ ହରୀଶ ଚନ୍ଦ୍ର ପଟ୍ଟନାୟକ, ବିପ୍ପଣି ଗୁପ୍ତବାର୍ତ୍ତା ଉପନିର୍ଦ୍ଦେଶକ ଶ୍ରୀ ଦୀପକ ଶତପଥୀ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ରାଜ୍ୟ ସ୍ତରୀୟ ସଂଯୋଜକ ଶ୍ରୀ କମଳ ସିଲ,ଉତ୍କଳ ପେଟ୍ରୋଲିୟମ୍‌ ଡିଲର ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ ଲାଠ, କୋଷାଧ୍ୟକ୍ଷ ଶ୍ରୀ ମହିନ୍ଦର୍‌ ସିଂ କଲ୍‌ସି, ଭୁବନେଶ୍ୱର ପେଟ୍ରୋଲିୟମ୍‌ ଡିଲର ଆସୋସିଏସନ୍‌ର ସମ୍ପାଦକ ଏସ୍‌.କେ. ରହମାନ୍‌ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking