21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଶେଷ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ!

ଶେଷ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ!

ମସ୍କୋ: ଆଗାମୀ ଦିନରେ ରୁଷ୍ ଏବଂ ଆମେରିକା ମଧ୍ୟରେ ଏକ ଭଲ ସମ୍ପର୍କର ମୂଳଦୁଆ ସ୍ଥାପନ ହୋଇପାରେ। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଏପରି କିଛି ଆଭାସ ମିଳିଛି। ରିପୋର୍ଟ ଅନୁସାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ରୁଷ୍ କହିଛି। ପୁତିନ୍‌ଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ପୁତିନ୍‌, ଟ୍ରମ୍ପ୍‌ଙ୍କ ସହ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ମସ୍କୋ ତା’ର ପୂର୍ବ ଦାବି ପରିବର୍ତ୍ତନ କରିବ।

ଅର୍ଥାତ୍ ରୁଷ୍ ନିଜ ପୁରୁଣା ଦାବିରେ ଅଟଳ ରହିବା ସହ ୟୁକ୍ରେନ୍ ବିପକ୍ଷ ଯୁଦ୍ଧ ଶେଷ କରିବାକୁ ଚାହୁଁଛି। ଅନ୍ୟପକ୍ଷେ ଏସବୁ ପାଇଁ ଆମେରିକାର ସ୍ପଷ୍ଟ ଆଭିମୁଖ୍ୟ ମଧ୍ୟ ଜାଣିବା ଜରୁରୀ। ପେସ୍କୋଭ୍ କହିଛନ୍ତି, ସ୍ୱତନ୍ତ୍ର ସାମରିକ ଅଭିଯାନର ଲକ୍ଷ୍ୟ ବଦଳୁଛି ବୋଲି ରାଷ୍ଟ୍ରପତି ପୁତିନ୍ କେବେ କହିନାହାନ୍ତି। ଅପରପକ୍ଷେରେ ମସ୍କୋ କଦାପି ନିଜ ଦାବି ପରିବର୍ତ୍ତନ କରିବ ନାହିଁ ବୋଲି ପୁତିନ୍ ବାରମ୍ବାର କହିସାରିଛନ୍ତି। କାରଣ ରୁଷ୍‌ର ସୁରକ୍ଷା ସ୍ୱାର୍ଥ, ସେଠାରେ ରହୁଥିବା ରୁଷୀୟ ଲୋକଙ୍କ ସୁରକ୍ଷା ସ୍ୱାର୍ଥ ସହ ଜଡିତ। ତେବେ ଯୁଦ୍ଧ ଶେଷ କରିବା ପାଇଁ ପୁତିନ୍ ଜୁନ୍ ୧୪ରେ ତାଙ୍କର ସର୍ତ୍ତ ଧାର୍ଯ୍ୟ କରିଛନ୍ତି। ପ୍ରଥମଟି ହେଲା, ୟୁକ୍ରେନ୍ ତା’ର ନାଟୋ ଅଭିଳାଷ ତ୍ୟାଗ କରି ରୁଷ୍ ଦାବି କରୁଥିବା ୪ଟି ଯାକ ଜୋନ୍‌ରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବା ଦରକାର। କିନ୍ତୁ ୟୁକ୍ରେନ୍ ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଛି। ଯୁଦ୍ଧ ସମାପ୍ତ ପାଇଁ ସର୍ବପ୍ରଥମେ ୟୁକ୍ରେନ୍‌କୁ ରୁଷ୍‌ର ଏହି ଦାବିକୁ ସ୍ୱୀକାର କରିବାକୁ ହେବ।

୨୦୨୪ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି। ଆଗାମୀ ବର୍ଷ ଜାନୁଆରୀ ୨୦ରେ ସେ ଶପଥ ନେବେ ଏବଂ ଆମେରିକାର ରାଷ୍ଟ୍ରପତି ଭାବେ ଶାସନ ଭାର ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ବିଶ୍ୱର ପ୍ରାୟ ସମସ୍ତ ଦେଶ (ଉତ୍ତରକୋରିଆ ବ୍ୟତୀତ) ଟ୍ରମ୍ପ୍‌ଙ୍କୁ ଶୁଭେଚ୍ଛା ଜଣାଇସାରିଛନ୍ତି। କିନ୍ତୁ ରୁଷ୍ ରାଷ୍ଟ୍ରପତି ପୁତିନ୍ ଟ୍ରମ୍ପ୍‌ଙ୍କୁ କଦାପି ଶୁଭେଚ୍ଛା ଜଣାଇବେ ନାହିଁ ବୋଲି ଖୋଲାଖୋଲି ଭାବେ କହିଥିଲେ। ପୁତିନ୍ କହିଥିଲେ, ଟ୍ରମ୍ପ ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ କହିଛନ୍ତି ଯେ, ସେ ନିର୍ବାଚନ ଜିତିବା ପରେ ସର୍ବପ୍ରଥମେ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବେ। ସୁତରାଂ ଟ୍ରମ୍ପ୍ ସର୍ବପ୍ରଥମେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରନ୍ତୁ ଏହାପରେ ରୁଷ୍ ପକ୍ଷରୁ ସେ (ପୁତିନ୍‌) ନିଜେ ତାଙ୍କୁ (ଟ୍ରମ୍ପ୍‌) ଶୁଭେଚ୍ଛା ଜଣାଇବେ। ତେବେ ଏପରି କହିବାର ୩ଦିନ ମଧ୍ୟରେ ପୁତିନ୍ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନ ବିଜୟୀର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ମସ୍କୋ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ ଅଛି।

ଏଥିରୁ ସଙ୍କେତ ମିଳୁଛି ଯେ, ଟ୍ରମ୍ପ ଆସିବା ପରେ ମସ୍କୋ-ୱାଶିଂଟନ୍ ମଧ୍ୟରେ ସମ୍ପର୍କ ବଦଳିପାରେ। ଇଣ୍ଟରନାସନାଲ ଡିଶକଶ୍‌ନ କ୍ଲବର ଏକ ଅଧିବେଶନକୁ ସମ୍ଭୋଧିତ କରି ପୁତିନ୍ କହିଛନ୍ତି, ‘ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟୀ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ଆମେରିକାବାସୀ ଟ୍ରମ୍ପଙ୍କ ଉପରେ ଭରସା କରିଥିବାରୁ ତାଙ୍କ ସହ ମିଶି ଆମେ କାମ କରିବାକୁ ପ୍ରସ୍ତୁତ ଅଛୁ।’ ଜୁଲାଇରେ ଟ୍ରମ୍ପ୍‌ଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ସମୟରେ ଟ୍ରମ୍ପଙ୍କ ସାହାସିକତାକୁ ମଧ୍ୟ ପୁତିନ୍ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ରୁଷ୍‌-ୟୁକ୍ରେନ ଯୁଦ୍ଧ ହେତୁ ଆମେରିକା ଏବଂ ରୁଷ୍ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ତିକ୍ତତା ଦେଖାଦେଇଛି। ୟୁକ୍ରେନ୍‌କୁ ସମର୍ଥନ ଆଳରେ ଆମେରିକା ରୁଷ୍ ବିରୋଧରେ ଅନେକ ଅନ୍ତର୍ଜାତୀୟ ପ୍ରତିବନ୍ଧକ ଲଗାଇଛି। ଏପରିସ୍ଥିତିରେ ପୁତିନ୍ ଟ୍ରମ୍ପ୍‌ଙ୍କୁ ଶୁଭେଚ୍ଛା ଜଣାଇବା ଏବଂ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିବା ଅନେକ ଦିଗକୁ ସୂଚୀତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking