ମସ୍କୋ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍ ବିରୋଧରେ ରୁଷିଆ ୬ ଘଣ୍ଟା ଧରି ୨୬୭ ଇରାନୀୟ ଡ୍ରୋନ୍ ଆକ୍ରମଣ କରିଛି, ଯାହାକି ୟୁକ୍ରେନୀୟ ସହର ଓ ଗ୍ରାମଗୁଡ଼ିକ ଉପରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ସବୁଠୁ ବଡ଼ ଡ୍ରୋନ୍ ଆଟାକ୍ ବୋଲି ଜେଲେନ୍ସ୍କି ପ୍ରକାଶ କରିଛନ୍ତି।
ୟୁକ୍ରେନୀୟ ବାୟୁସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ରୁଷିଆର ୧୩୮ ଡ୍ରୋନ୍କୁ ଖସାଇ ଦିଆଯାଇଥିବାବେଳେ ଇଲେକ୍ଟ୍ରୋନିକ୍ ଯୁଦ୍ଧାସ୍ତ୍ରର ଉପଯୋଗ ଯୋଗୁ ଅନ୍ୟ ୧୧୯ଟି ରାଡାର ବାହାରକୁ ଚାଲିଯାଇଥିଲା। ରୁଷିଆ ୩ଟି ବାଲିଷ୍ଟିକ୍ ମିଶାଇଲ୍ ମଧ୍ୟ ଛାଡ଼ିଥିଲା। ଏଥିରେ ରାଜଧାନୀ କିଭ୍ ସମେତ ୫ଟି ଅଞ୍ଚଳର କୋଠାବାଡ଼ି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ କ୍ରିଭିୟି ରିହ୍?ରେ ଜଣେ ବ୍ୟକ୍ତି ନିହତ ହୋଇଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେହିପରି ଓଡେସା ଅଞ୍ଚଳରେ ଏକ ଘରେ ନିଆଁ ଲାଗିଯିବାରୁ ୩ ଜଣ ଆହତ ହୋଇଛନ୍ତି। ତେବେ ଦେଶକୁ ବଡ଼ଧରଣର କ୍ଷତିରୁ ସୁରକ୍ଷା ଦେବାରେ ସଫଳତା ପାଇଁ ନିଜ ସେନାକୁ ଜେଲେନ୍ସ୍କି ଧନ୍ୟବାଦ ଜଣାଇଛନ୍ତି। ଆମେରିକା ସମେତ ପାଶ୍ଚାତ୍ୟର ସହଯୋଗୀମାନେ ଏକାଠି ହେଲେ ରୁଷିଆ ବିପକ୍ଷରେ ବିଜୟ ସହ ଶାନ୍ତି ପ୍ରତିଷ୍ଠା ସମ୍ଭବ ବୋଲି ଜେଲେନ୍ସ୍କି କହିଛନ୍ତି।
ଯୁଦ୍ଧର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆମେରିକା, ବ୍ରିଟେନ୍ ସମେତ ଅନେକ ଦେଶରେ ପୁଟିନ୍ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ୱାଶିଂଟନ୍ ଡିସିରେ ୟୁକ୍ରେନ୍ ସମର୍ଥକମାନେ ରାଲି କରିଛନ୍ତି। ଜେଲେନ୍ସ୍କି ଓ ଟ୍ରମ୍ପ୍ଙ୍କ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଏକ ଅନ୍ତଃହୀନ ଯୁଦ୍ଧ ପାଇଁ ଜେଲେନ୍ସ୍କି ଆମେରିକୀୟଙ୍କ ଅର୍ଥ ନେଇଯିବାରେ ସକ୍ଷମ ହୋଇଛନ୍ତି ବୋଲି ଟ୍ରମ୍ପ୍ କରିଥିବା ତାଚ୍ଛଲ୍ୟକୁ ଅନେକ ଆମେରିକୀୟ ସମାଲୋଚନା କରିଛନ୍ତି। ଯୁଦ୍ଧରେ ୟୁକ୍ରେନ୍ର ଅନ୍ୟତମ ବୃହତ୍ ସହଯୋଗୀ ବ୍ରିଟେନ୍ ମସ୍କୋ ଉପରେ ଅନେକ କଟକଣା ଜାରି କରିଥିବାବେଳେ କିଭ୍କୁ ନିଜ ସମର୍ଥନ ଦୋହରାଇଛି। ଏଥିସହ ୨.୫ ଲକ୍ଷ ୟୁକ୍ରେନୀୟ ଶରଣାର୍ଥୀଙ୍କ ପାଇଁ ନିଜ ଦ୍ୱାର ଖୋଲିଦେଇଛି। ୱେଷ୍ଟ ଲଣ୍ଡନ୍ରେ ସେଣ୍ଟ ଭୋଲୋଡିମିରଙ୍କ ପ୍ରତିମୂର୍ତ୍ତି ନିକଟରୁ ବିକ୍ଷୋଭକାରୀମାନେ ରୁଷୀୟ ଦୂତାବାସକୁ ଶୋଭାଯାତ୍ରା କରିଛନ୍ତି। ୟୁକ୍ରେନୀୟ ପତାକା ଧରି ସେମାନେ ସ୍ଲୋଗାନ ଦେଇଛନ୍ତି, ‘ୟୁକ୍ରେନ୍ ସମଗ୍ର ୟୁରୋପରେ ଶାନ୍ତି ଚାହୁଁଛି। ଯଦି ୟୁକ୍ରେନ୍ର ପତନ ଘଟେ, ତେବେ ଯୁଦ୍ଧ ତୁମ ଘରକୁ ଆସିବ।









