22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶୟୁକ୍ରେନ୍ ଉପରେ ଆକ୍ରମଣକୁ ଜୋରଦାର କଲା ରୁଷ୍‌, ହାଇ ଆଲର୍ଟରେ ଉଭୟ ଦେଶ; ମଧ୍ୟରାତ୍ରରୁ କ୍ଷେପଣାସ୍ତ୍ର,...

ୟୁକ୍ରେନ୍ ଉପରେ ଆକ୍ରମଣକୁ ଜୋରଦାର କଲା ରୁଷ୍‌, ହାଇ ଆଲର୍ଟରେ ଉଭୟ ଦେଶ; ମଧ୍ୟରାତ୍ରରୁ କ୍ଷେପଣାସ୍ତ୍ର, ଡ୍ରୋନ୍ ମାଡ଼

କିଭ୍‌ : ଗୋଟିଏ ପଟେ ହମାସ୍‌-ଇସ୍ରାଏଲ-ହିଜବୁଲ୍ଲାହ ମଧ୍ୟରେ ଘମାସାନ ଲଢ଼େଇ ଚାଲିଥିବା ବେଳେ ଅନ୍ୟପକ୍ଷେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ମଧ୍ୟ ଏବେ ପୁଣିଥରେ ଉଗ୍ରାଭିମୂଖୀ ହେବାରେ ଲାଗିଛି । ପ୍ରାୟ ୩ ବର୍ଷ (୨ବର୍ଷ ୧୦ମାସରୁ ଊର୍ଦ୍ଧ୍ୱ ସମୟ) ଧରି ଚାଲିଆସୁଥିବା ରୁଷ-ୟୁକ୍ରେନ ଯୁଦ୍ଧ ରବିବାର ମଧ୍ୟରାତ୍ରରୁ ପୁଣିଥରେ ତୀବ୍ରତର ହୋଇଛି । ରିପୋର୍ଟ ଅନୁସାରେ ମଧ୍ୟରାତ୍ରରୁ ରୁଷ୍ ସେନା ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣକୁ ଜୋରଦାର୍ କରାଯାଇଛି । ୟୁକ୍ରେନ୍ ରାଜଧାନୀ କିଭ୍ ଏବଂ ୟୁକ୍ରେନ୍‌ର ଅନ୍ୟ ସହର ଯେପରିକି ଖେରନିହିଭ୍‌, ସୁମି, ଖାର୍କିଭ, ଡୋନେଟ୍‌ସ୍କ, ଆଦି ଅଞ୍ଚଳରେ ରୁଷୀୟ ଏୟାରଫୋର୍ସ ପକ୍ଷରୁ ବୋମା ବର୍ଷା କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ ୟୁକ୍ରେନ ବାୟୁସେନା କହିଛି ଯେ, ରୁଷ୍ ପକ୍ଷରୁ ପ୍ରାୟ ୧୦୦ ସଂଖ୍ୟକ ମିସାଇଲ ଏବଂ ସମାନ ସଂଖ୍ୟକ ଡ୍ରୋନ୍ ଆଟାକ୍ କରାଯାଇଛି । ଦେଶର ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରାଯାଇ ଏସବୁ ଆକ୍ରମଣ ହୋଇଛି ।
ୟୁକ୍ରେନ୍ ସେନା କହିଛି ଯେ, ରୁଷ୍ ପକ୍ଷରୁ ଏହି ଆକ୍ରମଣ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା ଏବଂ ମଧ୍ୟାନ୍ତର ପର୍ଯ୍ୟନ୍ତ ଜାରି ରହିଥିଲା । ଆକ୍ରମଣ ହେବା ମାତ୍ରେ ୟୁକ୍ରେନ୍‌ରେ ସାଇରନ୍ ବାଜି ଉଠିଥିଲା । ଲୋକଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଥିଲା । ଫଳରେ ମୃତାହତଙ୍କ ସଂଖ୍ୟାକୁ ସୀମିତ କରାଯାଇପାରିଛି ।  ତେବେ ଅନେକ ସପ୍ତାହ ପରେ ଏଭଳି ଏକ ବଡ଼ ଧରଣର ଆକ୍ରମଣ ହୋଇଛି ଏବଂ ଦେଶର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଉଛି । ରୁଷ୍ ଡ୍ରୋନର ଅନେକ ୟୁନିଟ୍ ୟୁକ୍ରେନର ପୂର୍ବ, ଉତ୍ତର, ଦକ୍ଷିଣ ଏବଂ କେନ୍ଦ୍ରୀୟ ଅଞ୍ଚଳ ଅଭିମୁଖେ ଗତି କରିଥିଲେ । ଏହା ପରେ ଏସବୁ ଅଞ୍ଚଳରେ ଅନେକ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଡ୍ରୋନ୍ ଆକ୍ରମଣ କରାଯାଇଥିଲା । ରୁଷ୍‌ର ଏହି ବୋମାବର୍ଷୀ ଆକ୍ରମଣରେ ୪ ନୀରିହ ଜନସାଧାରଣ ପ୍ରାଣ ହରାଇଥିବା ବେଳେ ୩୭ଜଣ ଗୁରୁତର ହୋଇଥିବା ୟୁକ୍ରେନ୍ ସେନା ଦର୍ଶାଇଛି ।
ଅନ୍ୟପକ୍ଷେ ୟୁକ୍ରେନ୍ ପକ୍ଷରୁ ରୁଷ୍‌ର ସାରାଟୋଭ୍ ସହର ଉପରେ କରାଯାଇଥିବା ଡ୍ରୋନ୍ ଆକ୍ରମଣରେ ମଧ୍ୟ ଏଠାରେ ଥିବା ଏକ ୩୮ ମହଲା ଅଟ୍ଟାଳିକା ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଥିବା ବେଳେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିବା ରୁଷ୍ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ୯/୧୧ ଆକ୍ରମଣ ଭଳି ରୁଷ୍‌ରେ ୟୁକ୍ରେନ୍‌ର ଲଢ଼ୁଆ ଡ୍ରୋନ୍ ଏହି ବିଶାଳ ଅଟ୍ଟାଳିକାକୁ ଧୂଳିସାତ୍ କରିଦେଇଛି । ତେବେ ୟୁକ୍ରେନ୍‌ର ଅନ୍ୟ ଡ୍ରୋନ୍‌ଗୁଡ଼ିକ ରୁଷ୍‌ର ସାରାଟୋଭ୍ ଏବଂ ଏଞ୍ଜେଲ୍ସ ସହରରେ ବ୍ୟାପକ କ୍ଷୟକ୍ଷତି କରିଛି । ରୁଷ୍ ପକ୍ଷରୁ ଦିଆଯାଇଥିବା ବିବୃତି ଅନୁସାରେ ପ୍ରଥମେ ୟୁକ୍ରେନ୍ ଡ୍ରୋନ୍ ସାରାଟୋଭ୍ ଅଞ୍ଚଳରେ ଥିବା ବିଲ୍ଡିଂ ଉପରେ ଆକ୍ରମଣ କରିବା ପରେ ଏହାର ଜବାବରେ ୟୁକ୍ରେନ୍ ପ୍ରତି ଆକ୍ରମଣ କରାଯାଇଛି । ଏହାର ଅର୍ଥ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁକ୍ରେନ୍ ଗସ୍ତ ପରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରିଆସିବା ନେଇ ଯେଉଁ ଆଶା ଟିକକ ସଞ୍ଚାର ହୋଇଥିଲା, ୟୁକ୍ରେନ ପକ୍ଷରୁ ରୁଷ୍ ଉପରେ ଡ୍ରୋନ୍‌୍ ଆକ୍ରମଣ କରାଯିବା ପରିସ୍ଥିତିକୁ ଅଧିକ ବିଷମ କରିଦେଇଛି । ଉଭୟ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଫଳରେ ଆଗାମୀ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ ବ୍ୟାପକ ରୂପ ଧାରଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରୁଷ୍ ନିଶ୍ଚିତ ଭାବେ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ କରିବ ବୋଲି କୁହାଯାଉଛି ।
ରୁଷ୍ ପକ୍ଷରୁ କରାଯାଇଥିବା ଆକ୍ରମଣରେ ୟୁକ୍ରେନ୍‌ର ଆଣବିକ କେନ୍ଦ୍ର, ପାୱାର ପ୍ଲାଣ୍ଟଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ରାଜଧାନୀ କିଭ୍‌ର ଅନେକ ପ୍ରାନ୍ତରେ ବିଦ୍ୟୁତ୍ ସରବରାହ ବନ୍ଦ ରଖାଯାଇଥିଲା ବୋଲି କିଭ୍ ମେୟର ଭିତାଲି କ୍ଲିଚସକୋ କହିଛନ୍ତି । ତାଙ୍କ କହିବାନୁସାରେ ସହରର ଡାହାଣ ପାର୍ଶ୍ୱରେ ଜଳ ଯୋଗାଣ ସମସ୍ୟା ସୃଷ୍ଟି ହୋଇଛି । ଖାର୍କିଭ ମେୟର ଇହୋର ତେରେଖୋଭଙ୍କ ଅନୁଯାୟୀ ସେଠାରେ ମଧ୍ୟ ବିସ୍ଫୋରଣ ଘଟିଛି । ସେହିପରି ଉତ୍ତର-ପଶ୍ଚିମ ୟୁକ୍ରେନର ଲୁତସ୍କର ମେୟର ଇହୋର ପୋଲିଶଚୁକ୍ କହିଛନ୍ତି ଏକ ଆପାର୍ଟମେଣ୍ଟ ବ୍ଲକ୍ କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣରେ ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking