ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ରୋହିତ ଶର୍ମା ଏବେ ନିଜ ମନର କଥା ଖୋଲି କହିଛନ୍ତି । ରୋହିତ୍ଙ୍କ କହିବାନୁସାରେ ତାଙ୍କୁ ଆଉ କିଛି ଦିନ ପାଇଁ ଭାରତ ପକ୍ଷରୁ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍ ଖେଳିବାର ଦେଖିବାକୁ ମିଳିବ । ତାଙ୍କର ଏପ୍ରକାର ବିବୃତିରୁ ସେ ଆଗାମୀ ଦିନରେ ଉଭୟ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ୍ ଫର୍ମାଟ୍ରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରକାଶ, ଆଗକୁ ଚାମ୍ପିଅନ୍ସ ଟ୍ରଫି ଏବଂ ଟେଷ୍ଟ ଚାମ୍ପିଅନ୍ସ ଟ୍ରଫି ଭଳି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତ । ଅନ୍ୟପକ୍ଷେ ବିସିସିଆଇ ସମ୍ପାଦକ ଜୟ ଶାହା ମଧ୍ୟ ରୋହିତଙ୍କ ନେତୃତ୍ୱରେ ଭାରତ ଏହି ଦୁଇ ଟୁର୍ଣ୍ଣାମେଣ୍ଟ ଖେଳିବ ଏବଂ ଟାଇଟଲ୍ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିସାରିଛନ୍ତି । ଏବେ ଯେତେବେଳେ ରୋହିତ୍ଙ୍କ ଏପ୍ରକାର ବିବୃତି ସାମ୍ନାକୁ ଆସିଛି ସେତେବେଳେ ରୋହିତ ଅନ୍ତତଃ ଏହି ଦୁଇ ଟୁର୍ଣ୍ଣାମେଣ୍ଟ ଖେଳିବା ନିଶ୍ଚିତ ହୋଇଯାଇଛି ।
ପ୍ରକାଶ, ରୋହିତ୍ଙ୍କ ନେତୃତ୍ୱରେ ଭାରତୀୟ ଦଳ ଗତ ମାସରେ ଟି-୨୦ ବିଶ୍ୱକପ୍ ୨୦୨୪ ଟାଇଟଲ ଜିତିଥିଲା । ୨୯ଜୁନ୍ରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୭ରନ୍ରେ ପରାସ୍ତ କରି ଚାମ୍ପିଅନ୍ ଟାଇଟଲ୍ ହାତେଇବାରେ ସଫଳ ହୋଇଛି । ତେବେ ଟି -୨୦ ବିଶ୍ୱକପ ଜିତିବା ପରେ ପରେ ହିଁ ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି -୨୦ କ୍ରିକେଟ୍ ଫର୍ମାଟ୍ରୁ ଅବସର ଘୋଷଣା କରିଥିଲେ । ଏହା ପରେ ରୋହିତ ଉଭୟ ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ମଧ୍ୟ ଅବସର ନେଇନେବେ ବୋଲି ଚର୍ଚ୍ଚା ହେଉଥିଲା । ରବିବାର ଦିନ ଡଲାସରେ ଆୟୋଜିତ ଏକ ଇଭେଣ୍ଟ ସମୟରେ ରୋହିତଙ୍କୁ ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ଅବସର ନେବା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ତେବେ ଏସବୁ ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖି ରୋହିତ ଏପରି କହିଛନ୍ତି । ରୋହିତଙ୍କ ଏଭଳି ବୟାନ ପରେ ସେ ଅବସର ନେବା ଚର୍ଚ୍ଚାର ଏବେ ଅବସାନ ଘଟିଛି ।