30.1 C
Bhubaneswar
Monday, July 8, 2024
Homeଦେଶ ବିଦେଶପ୍ଲେୟର୍ ଅଫ୍ ଦ ମନ୍ଥ ପୁରସ୍କାର ଦୌଡ଼ରେ ରୋହିତ, ବୁମ୍‌ରା

ପ୍ଲେୟର୍ ଅଫ୍ ଦ ମନ୍ଥ ପୁରସ୍କାର ଦୌଡ଼ରେ ରୋହିତ, ବୁମ୍‌ରା

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଜୁନ୍ ମାସ ପାଇଁ ପ୍ଲେୟର୍ ଅଫ୍ ଦ ମନ୍ଥ ପୁରସ୍କାର ପାଇଁ ନୋମିନେସ୍ ଜାରୀ କରାଯାଇଛି । ଏଥିରେ ରୋହିତ ଶର୍ମାଙ୍କ ବ୍ୟତୀତ ଜସ୍‌ପ୍ରୀତ୍ ବୁମ୍‌ରା ଏବଂ ଆଫଗାନିସ୍ତାନ ୱିକେଟ୍‌କିପର୍ ବ୍ୟାଟର୍ ରହମନୁଲ୍ଲାହ ଗୁରବାଜ୍‌ଙ୍କ ନାମ ମଧ୍ୟ ରହିଛି । ଟିମ୍ ଇଣ୍ଡିଆକୁ ୧୧ ବର୍ଷ ପରେ ଆଇସିସି ଟ୍ରଫି ଜିତାଇଥିବା କ୍ୟାପ୍‌ଟେନ୍ ରୋହିତ ଶର୍ମା ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍‌ରେ କମାଲ ବ୍ୟାଟିଂ କରିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ରେ ସେ ଦ୍ୱିତୀୟ ସର୍ବାଧିକ ସ୍କୋରର୍ । ୩୬.୭୧ ହାରାହାରି ଏବଂ ଚମତ୍କାର ୧୫୬.୭ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ ୨୫୭ ରନ୍ କରିଛନ୍ତି । ଭାରତର ଅନ୍ତିମ ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୧ ବଲ୍‌ରେ ୯୨ ରନ୍ ଆକ୍ରମଣାତ୍ମକ ଇନିଂସ୍ ଖେଳିଥିଲେ । ଏହାପରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍‌ରେ ସେ ୨୭ ବଲ୍‌ରେ ୫୨ ରନ୍‌ର ଚମତ୍କାର ଇନିଂସ୍ ଖେଳି ଟିମ୍‌ର ଫାଇନାଲ୍ ପ୍ରବେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଫାଇନାଲ୍‌ରେ ଏହି ଦୁଇ ମ୍ୟାଚ୍ ପରି ତାଙ୍କ ବ୍ୟାଟ୍ ଚାଲିନଥିଲେ ମଧ୍ୟ ନିଜ ପରିପକ୍ୱ ନେତୃତ୍ୱ ବଳରେ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଟିମ୍ ଇଣ୍ଡିଆ ଆଉ ଏକ ଆଇସିସି ଟ୍ରଫି ନିଜ ନାମରେ କରିବାରେ ସଫଳ ହୋଇଛି । ସେହିପରି ଜସ୍‌ପ୍ରୀତ୍ ବୁମ୍‌ରା ପୂରା ଟୁର୍ଣ୍ଣାମେଣ୍ଟ୍‌ରେ ଘାତକ ବୋଲିଂ କରିଛନ୍ତି । ଆଠଟି ମ୍ୟାଚ୍‌ରେ ବୁମ୍‌ରା ୮.୨୬ ହାରାହାରି ଏବଂ ମାତ୍ର ୪.୧୭ ଇକୋନୋମିରେ ୧୫ ୱିକେଟ୍ ଅକ୍ତିଆର କରିଛନ୍ତି । ଏହି ପ୍ରଦର୍ଶନ କାରଣରୁ ତାଙ୍କୁ ଟି-୨୦ ବିଶ୍ୱକପ୍‌ର ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ପୁରସ୍କାର ମିଳିଛି । ଏହି ତାଲିକାରେ ସାମିଲ ଆଫଗାନ୍ ଓପ୍ନର୍ ରମନୁଲ୍ଲାହ ଗୁରବାଜ୍ ଟିମ୍‌କୁ ବିଶ୍ୱକପ୍ ସେମିଫାଇନାଲ୍‌ରେ ପହଞ୍ଚାଇବାରେ ବହୁ ସହାୟତା କରିଛନ୍ତି । ସେ ୨୮୧ ରନ୍ କରି ଟୁର୍ଣ୍ଣାମେଣ୍ଟ୍‌ର ସର୍ବଶ୍ରେଷ୍ଠ ସ୍କୋରର୍ ହୋଇଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ସେ ପ୍ରଥମ ଆଫଗାନ୍ ବ୍ୟାଟର୍ । ଗୁରବାଜ୍ ୩୫.୧୨ ହାରାହାରି ଏବଂ ୧୨୪.୩୩ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking