ଚାନ୍ଦୋଳ: ଡେରାବିଶ ବ୍ଲକ୍ ଛୋଟି ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ସରପଞ୍ଚ ଓ ପିଇଓଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟି ମାମଲା ପହଞ୍ଚିଛି ନିକିରାଇ ଥାନାରେ। ଉଭୟଙ୍କ ପକ୍ଷରୁ ଏ ନେଇ ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀ ବିମଳ କୁମାର ମଲିକ ପ୍ରକାଶ କରିଛନ୍ତି । ଥାନରେ ଛୋଟି ସରପଞ୍ଚ ରଜନୀ ମଲିକଙ୍କ ଅଭିଯୋଗ ଅନୁଯାୟୀ ସରକାରଙ୍କ ନିୟମ ଅନୁସାରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ସିସିଟିଭି ଲଗାଯାଉଥିଲା। ସିସିଟିଭି ଟେକନିସିଆନ୍ ପଞ୍ଚାୟତର ପିଇଓ ସୁଲେଖା ମଳିକଙ୍କ କାର୍ଯ୍ୟାଳୟ ପରିସରକୁ ଯାଇ ସିସିଟିଭି ଲଗାଇଲା ବେଳକୁ ଏହି କାର୍ଯ୍ୟାଳୟ ପରିସରରେ ଥିବା ସୁଲେଖା ଓ ତାଙ୍କ ସ୍ୱାମୀ ସିସିଟିଭି ଲଗାଇବାକୁ ବାରଣ କରିଥିଲେ। ଏ ସମ୍ପର୍କରେ ଟେକନିସିଆନ୍ଙ୍କ ପାଖରୁ ଖବରପାଇ ସେଠାରେ ପହଞ୍ôଚ ସୁଲେଖାଙ୍କୁ ପଚାରିବାରୁ ପିଇଓ ସୁଲେଖା ଓ ତାଙ୍କ ସ୍ୱାମୀ ସରପଞ୍ଚ ରଜନୀଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବକୁ ଉଦ୍ୟମ କରିଥିଲେ। ଏହି ସମୟରେ ସୁଲେଖା ରଜନୀଙ୍କ ବେକକୁ କାମୁଡ଼ିବାକୁ ଯିବାବେଳେ ରଜନୀ ହାତ ଦେଖାଇ ଦେବାକୁ ସୁଲେଖାଙ୍କ କାମୁଡ଼ାରେ ରଜନୀଙ୍କ ହାତ କ୍ଷତାକ୍ତ ହୋଇପଡ଼ିଥିବା ନେଇ ରଜନୀ ଅଭିଯୋଗ କରିଛନ୍ତି ।
ରଜନୀଙ୍କ ଅଭିଯୋଗକୁ ଭତ୍ତିକରି ନିକିରାଇ ଥାନାରେ ୪୧/୨୬ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାଯାଇଛି। ଅପରପକ୍ଷରେ ପିଇଓ ସୁଲେଖା ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ସେ ଆଜି ଦିନ ୧୦ଟା ୩୦ ମିନିଟ୍ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ସରପଞ୍ଚ ରଜନୀ ତାଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ତାଙ୍କ ଠାରୁ ସଭା ଆକ୍ୟୁଟାନ୍ସ ଖାତା ଓ କାର୍ଯ୍ୟାଳୟର ଚାବି ମାଗିଥିଲେ। ସୁଲେଖା ନଦେବାରୁ ସରପଞ୍ଚ ରଜନୀ ତାଙ୍କ ଠାରୁ ଖାତା ଓ ଚାବି ବଳପୂର୍ବକ ଛଡ଼ାଇ ନେବାକୁ ଉଦ୍ୟମ କରିବା ସହ ମାଡ଼ ମାରି ଆକ୍ୟୁଟାନ୍ସ ଖାତା ଛଡ଼ାଇ ନେଇଥିଲେ। ଏହାକୁ ପ୍ରତିରୋଧ କରିବାରୁ ରଜନୀ ସୁଲେଖାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଛିଣ୍ଡାଇ ନେବା ସହ ତାଙ୍କ ନିକଟରେ ଥିବା ୧୦ ହଜାର ଟଙ୍କା ଛଡ଼ାଇ ନେଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାରେ ସୁଲେଖା ଅଭିଯୋଗ କରିଛନ୍ତି । ସୁଲେଖାଙ୍କ ଅଭିଯୋଗ ଅନୁଯାୟୀ ଥାନାରେ ୪୨ /୨୬ରେ ଆଉ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ଶ୍ରୀ ମଲିକ ପ୍ରକାଶ କରିଛନ୍ତି ।










