ଭୁବନେଶ୍ୱର: ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରସିଦ୍ଧି ସାରା ବିଶ୍ୱରେ ରହିଛି I ରାଜ୍ୟ ତଥା ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଓଡ଼ିଶାର ଏହି ସାମଗ୍ରୀ କିଣିବାରେ ବେଶ ଆଗ୍ରହ ଦେଖାଇଥାନ୍ତି I ଓଡିଶାର ଏହି ପ୍ରସିଦ୍ଧିକୁ ବିଶ୍ଵବ୍ୟାପୀ କରାଇବା ତଥା ରାଜ୍ୟରେ ହସ୍ତଶିଳ୍ପ ଓ ହସ୍ତତନ୍ତ ହବ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ଆଗେଇ ନେବା ଲାଗି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ହସ୍ତଶିଳ୍ପ ଓ ହସ୍ତତନ୍ତ ହବ ର ନିର୍ମାଣ ଡିଜାଇନ, ସାଜସଜ୍ଜା, ପାର୍କିଂ ସ୍ଥଳ, ଫୁଡକୋର୍ଟ ସହ ସମ୍ପୂର୍ଣ୍ଣ କୋଠାକୁ ଯେପରି ପୁରାତନ କଳାକୃତି ଆକର୍ଷଣୀୟ କରିହେବ ସେଥିନେଇ ବିସ୍ତୃତ ଆଲୋଚନା ହୋଇଥିଲା I ଏଥି ସହିତ ଏହି କୋଠାରେ ବୟନିକା, ଉତ୍କଳିକା ଏବଂ ସମ୍ବଲପୁରୀ ବସ୍ତ୍ରାଳୟ ସହ ସରକାରୀ କାର୍ଯ୍ୟାଳୟ ରହିବା ନେଇ ଆଲୋଚନା ହୋଇଥିଲା I ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ହସ୍ତଶିଳ୍ପ ନିର୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ନିବେଦିତା ପୃଷ୍ଟି, ଉପନିର୍ଦେଶକ ମାନଗୋବିନ୍ଦ ଜେନା, ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ, ମୁଖ୍ୟଯନ୍ତ୍ରୀ ବିଲଡିଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀ ସଚିନ ସାହୁ ଏବଂ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ I










