23.1 C
Bhubaneswar
Monday, February 23, 2026
Homeଓଡିଶାଅନଭିଜ୍ଞ ମୁଖ୍ୟମନ୍ତ୍ରୀ, ବେପରୁଆ ପ୍ରଶାସନଙ୍କ ରିପୋର୍ଟ ପ୍ରହସନ

ଅନଭିଜ୍ଞ ମୁଖ୍ୟମନ୍ତ୍ରୀ, ବେପରୁଆ ପ୍ରଶାସନଙ୍କ ରିପୋର୍ଟ ପ୍ରହସନ

ଭୁବନେଶ୍ୱର:  ଶ୍ରୀମନ୍ଦିର ରଥଯାତ୍ରା ସମୟରେ ଦଳା ଚକଟାରେ ୩ ଭକ୍ତଙ୍କ ପ୍ରାଣହାନୀ ଓ ଶତାଧିକ ଆହତ ହେବା ଅଘଟଣ ଉପରେ ଅନୁସନ୍ଧାନ କମିଟିର ରିପୋର୍ଟ ପ୍ରକାଶକୁ ନେଇ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ ଏବଂ ମୁଖପାତ୍ର ଜୟଶ୍ରୀ ପାତ୍ର ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ଉପସ୍ଥାପିତ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ କହିଲେ, ରଥଯାତ୍ରା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦ । ପ୍ରଶାସନ ରଥଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ୨୭୫ ଗୋଟି ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇ ଥିବାବେଳେ ପ୍ରକୃତପକ୍ଷେ ୧୬୦/୬୫ ଗୋଟି ଲାଗିଥିଲା । ଦାୟିତ୍ୱ କାହିଁକି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦିଆ ଯାଇ ନଥିଲା, ତିରୁପତି ମନ୍ଦିର ଦର୍ଶନ ବ୍ୟବସ୍ଥା ଅନୁସାରେ ଆଇନ ମନ୍ତ୍ରୀ ଧାଡି ବ୍ୟବସ୍ଥା ପାଇଁ ସୁପାରିଶ କରିବା ସତ୍ୱେ କାର୍ଯ୍ୟକାରୀ କାହିଁକି ହୋଇ ପାରିଲା ନାହିଁ । ସରକାର ଦକ୍ଷିଣର ମନ୍ଦିର ବ୍ୟବସ୍ଥା ଅନୁଶୀଳନ କରି ଶ୍ରୀ ମନ୍ଦିରରେ ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ । ବରିଷ୍ଠ ମୁଖପାତ୍ର ଶ୍ରୀ ଦାସ କହିଲେ, ପୁରୀ ରଥଯାତ୍ରା ଦଳାଚକଟା ପ୍ରଶାସନିକ ତଦନ୍ତ ରିପୋର୍ଟ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବାହାସ୍ଫୋଟ ମାରି କହିଥିଲେ ଏଥର ରଥଯାତ୍ରା ତ୍ରୁଟିମୁକ୍ତ ହେବ ଭକ୍ତ ଦିବ୍ୟ ଅନୁଭୂତି ନେଇ ଫେରିବେ ବୋଲି କହିଥିଲେ । କିନ୍ତୁ ୩ ଜଣଙ୍କ ଶବ ଓ ୫୦୦ ଜଣ ଆହତ ହୋଇ ଫେରିଲେ ।

ରଥଯାତ୍ରାରେ ୧୦ ହଜାର ପୋଲିସ ସିପାହୀ, ୨୧ ଏସପି ପାହ୍ୟା ଅଫିସର ଓ ଗୁଡ଼ାଏ ଅଫିସର ଶ୍ରେଣୀର ଅଧିକାରୀଙ୍କୁ ନିଯୁକ୍ତ କରା ଯାଇଥିଲା । ପ୍ରତ୍ୟେକ ରଥ ପାଇଁ ଜଣେ ଉଚ୍ଚ ପଦସ୍ଥ ଅଫିସର ନିଯୁକ୍ତ ହୁଅନ୍ତି ଏବଂ ମହାପ୍ରଭୁଙ୍କ ରଥ ପାଇଁ ପୁରୀ ଜିଲ୍ଲାପାଳ ଖୋଦ ନିଯୁକ୍ତ ଥିଲେ ଏବଂ ଏଠାରେ ଅଘଟଣ ଘଟିଥିଲା । ଅଘଟଣ ଘଟିବାର ମୁଖ୍ୟ କାରଣ, ରାତ୍ର ୧୨ ଟାରେ ପ୍ରଭୁଙ୍କ ପହୁଡ଼ କରାଗଲା ଓ ଦର୍ଶନ ବନ୍ଦ ହେଲା । ଫଳରେ ଲକ୍ଷାଧିକ ଭକ୍ତ ଦର୍ଶନରୁ ବଞ୍ଚିତ ହେଲେ । ତହିଁ ଆରଦିନ ସକାଳୁ ଭକ୍ତଙ୍କ ସୁଅ ଛୁଟି ଲୋକାରଣ୍ୟ ହୋଇଗଲା । ପୁଣି ସେତେବେଳେ ଚାରମାଳ ନେଇ ଟ୍ରକ ଭିତରକୁ ଆସିବାରୁ ଭିଡ଼ ଅଣାୟତ୍ତ ହୋଇ ଅଘଟଣ ଘଟିଲା । ପହୁଡ଼କୁ ଯଦି ୨ ଘଣ୍ଟା ବିଳମ୍ବ କରା ଯାଇଥାନ୍ତା ଅଘଟଣ ଘଟି ନଥାନ୍ତା । ସେତେବେଳେ କେଉଁ ଅଧିକାରୀ ଦାୟିତ୍ୱରେ ଥିଲେ ତାଙ୍କ ନାମ ଉଲ୍ଲେଖ ନାହିଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଥିଲା । କମିଟି କଣ କରୁଥିଲା, କଣ ପରିବାର ସାଥିରେ ହୋଟେଲରେ ଭୋଜି ଆସର କରୁଥିଲେ ନା ପାସ ବଣ୍ଟନରେ ବ୍ୟସ୍ତ ଥିଲେ ? ସେଦିନ ମୁଖ୍ୟ ପ୍ରଶାସକ କେତେବେଳେ ରାତିରେ ଘରକୁ ଫେରିଥିଲେ ତାହା ମଧ୍ୟ ଯାଞ୍ଚ ହେବା କଥା । ମଣିଷ ମାରିବା ଯଦି କ୍ଷମଣୀୟ ତେବେ ମୁଖ୍ୟମନ୍ତ୍ରୀ ନିର୍ଦୋଷ । ଜିଲ୍ଲା ପ୍ରଶାସନ ଓ ଶ୍ରୀ ମନ୍ଦିର ପ୍ରଶାସନର ସମନ୍ୱୟ ଅଭାବ ଏବଂ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ଅନଭିଜ୍ଞତା ଅଘଟଣ ଘଟିବାର ମୁଖ୍ୟ କାରଣ । କଂଗ୍ରେସ ଏହାର ଘୋର ନିନ୍ଦା କରିବା ସହିତ ବିଚାର ବିଭାଗୀୟ ତଦନ୍ତ ଦାବୀ କରୁଛି ବୋଲି ଶ୍ରୀ ଦାସ ଦାବୀ କରିଛନ୍ତି ।

ସେହିପରି ଅନ୍ୟତମ ପ୍ରବକ୍ତା ଶ୍ରୀ ପାତ୍ର କହିଥିଲେ ନୂଆପଡ଼ା ଉପନିର୍ବାଚନ ସମୟ ରେ ସମସ୍ତ ଙ୍କ ନଜର ନୂଆପଡ଼ା ଉପରେ ଥିବା ସମୟରେ ଦଳାଚକଟା ତଦନ୍ତ ରିପୋର୍ଟ କୁ ସାର୍ବଜନୀନ କରିବା ଗୋଟେ ଗୁଳିରେ ୨ ଟି ଶିକାର କରାଯାଇଛି। ପ୍ରଥମତଃ ନୂଆପଡ଼ା ରୁ ନଜର ହଟେଇ ଭୋଟ ଚୋରି ପାଇଁ ବାଟ ବନେଇ ଦିଆଗଲା ଓ ଦ୍ୱିତୀୟତଃ ଏହି ସମୟରେ ହିଁ ପ୍ରକୃତ ଦୋଷୀ କିଏ ନିର୍ଦ୍ଦୋଷ କିଏ ଲୋକଲୋଚନକୁ ନ ଆସିପାରିବ ଏବଂ ତା ସହ ସହ ନିଜେ ଦକ୍ଷ ସତ୍ତାଧାରୀ ଦଳ ବୋଲି ନିଜ ପିଠି ନିଜେ ଥାପୁଡେଇବେ ବୋଲି ଶ୍ରୀମତୀ ଜୟଶ୍ରୀ ପାତ୍ର କହିଛନ୍ତି। ଏହି ତଦନ୍ତ ରିପୋର୍ଟ ରେ ଛୋଟ ମୁଣ୍ଡ କୁ ଧରି ବଡ଼ ମୁଣ୍ଡ ଙ୍କୁ ଖସେଇଦେବାର ଜଳ ଜଳ ହୋଇ ଦିଶିବା ସହ ରଥଯାତ୍ରା ସୁପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ମନ୍ତ୍ରୀ ସ୍ତରୀୟ କମିଟି ର କାର୍ଯ୍ୟକାରିତା ଉପରେ ସନ୍ଦେହ ଓ ପ୍ରଶ୍ନ ସୃଷ୍ଟି କରୁଛି। ଏହି ରିପୋର୍ଟ ରେ ଉଚ୍ଚ ସ୍ତର ର ପୋଲିସ ପ୍ରଶାସନ ଅଧିକାରୀ ଙ୍କୁ କ୍ଲିନ୍ ଚିଟ ଦିଆଯିବା ସହ ଏଇ କ୍ୟାମେରାର ତଥ୍ୟର ସତ୍ୟତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି ବୋଲି ଶ୍ରୀମତୀ ପାତ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking