ନୂଆଦିଲ୍ଲୀ: କ୍ରମାଗତ ୮ମ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍କୁ ୬.୫%ରେ ଅପରିବର୍ତ୍ତିତ ରଖାଯାଇଛି । ଶୁକ୍ରବାର ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି । ଶ୍ରୀ ଦାସଙ୍କ କହିବାନୁସାରେ ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି (ଏମ୍ପିସି) ବୈଠକରେ ରେପୋ ରେଟ୍ ତଥା ରିଭର୍ସ ରେପୋ ରେଟ୍ ବର୍ତ୍ତମାନ ସମୟରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏତଦ୍ବ୍ୟତୀତ ଦେଶରେ ଦରଦାମ ହାର ମଧ୍ୟ ଆରବିଆଇ ଦ୍ୱାରା ଧାର୍ଯ୍ୟ ୨-୬% ମଧ୍ୟରେ ରହିଛି । ଗତ ଜୁନ୍ ମାସରେ ଖୁଚୁରା ମହଙ୍ଗା ହାର ଚାରି ମାସରେ ସର୍ବାଧିକ ଉଚ୍ଚସ୍ତର ୫.୦୮ %ରେ ରହିଥିଲା । ପ୍ରକାଶ, ଦେଶରେ ମହଙ୍ଗା ହାର ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ କିମ୍ବା ଏଥିରେ କୌଣସି ସୁଧାର ନଆସିବା ପର୍ଯ୍ୟନ୍ତ ଆରବିଆଇ ରେପୋ ରେଟ୍ କରିନଥାଏ । ସୂଚନାଯୋଗ୍ୟ ଆରବିଆଇ ପକ୍ଷରୁ ଶେଷ ଥର ପାଇଁ ଗତବର୍ଷ ୨୦୨୩ ଫେବ୍ରୁଆରୀରେ ରେପୋ ରେଟ୍ ପରିବର୍ତ୍ତନ କରାଯାଇ ଏହାକୁ ୬.୫%କୁ ବୃଦ୍ଧି କରାଯାଇଥିଲା । ସେହିପରି ଦେଶର ଅଭିବୃଦ୍ଧି ହାର ସନ୍ତୁଳିତ ରହିଛି ଏବଂ ଆଗାମୀ ଦିନରେ ଜିଡିପିରେ ୭.୨% ଅଭିବୃଦ୍ଧି ହାର ଆକଳନ କରାଯାଉଛି । ଏହାର ଅର୍ଥ ହେଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ଆକଳନକୁ ମଧ୍ୟ ପରିବର୍ତ୍ତନ କରିନାହିଁ । ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଜୁନ୍ ମାସର ମୁଦ୍ରା ନୀତିରେ ଅଭିବୃଦ୍ଧି ହାର ପ୍ରଥମ ତ୍ରୈମାସରେ ୭.୧%, ଦ୍ୱିତୀୟ ତ୍ରୈମାସରେ ୭.୨%, ତୃତୀୟ ତ୍ରୈମାସରେ ୭.୩% ଏବଂ ଚତୁର୍ଥ ତ୍ରୈମାସରେ ୭.୨% ହେବ ବୋଲି ଆକଳନ କରାଯାଉଛି । ପ୍ରକାଶ, ଜୁନ୍ ମାସର ମୁଦ୍ରା ନୀତିରେ, କେନ୍ଦ୍ରୀୟ ବ୍ୟାଙ୍କ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ଜିଡିପି ଆକଳନକୁ ୭ ପ୍ରତିଶତର ପୂର୍ବ ଆକଳନରୁ ୭.୨ ପ୍ରତିଶତକୁ ବୃଦ୍ଧି କରିଥିଲା ।