ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି। ରତ୍ନସିଂହାସନ ପାଲଟିଥିଲା ସଦ୍ୟ ପଦ୍ମ ପ୍ରସ୍ଫୁଟିତ ପୁଷ୍କରିଣୀ। ସେଥିରେ ହଂସରାଳି ଖେଳୁଥିଲେ। ବିଶାଳ ପଦ୍ମର କେଶର ଭାଗରେ ଶୋଭାପାଉଥିଲା ଦାରୁବ୍ରହ୍ମଙ୍କ ଶ୍ରୀମୁଖ। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହୋଇଥିଲେ। କିମ୍ୱଦନ୍ତି ଅନୁଯାୟୀ ସନ୍ଥ ମନୋହର ଦାସଙ୍କ ପାଇଁ ପ୍ରଭୁ ମାଘ ମାସ ଶ୍ରୀପଞ୍ଚମୀ ପୂର୍ବରୁ ଏହି ବେଶରେ ଦର୍ଶନ ଦେଇଥିଲେ। ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗର ମାନେ ଏହି ବେଶ ପ୍ରସ୍ତୁତି ଶେଷ କରିଥିବା ବେଳେ ବଡ଼ଛତା ମଠ ପକ୍ଷରୁ ମହାପ୍ରଭୁଙ୍କୁ ଆଜି ଏହି ବେଶ କରାଯାଇଥାଏ।
ମାଘ ମାସ ଶ୍ରୀପଞ୍ଚମୀ ପୂର୍ବ ବୁଧବାର କିମ୍ୱା ଶନିବାର ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ତେବେ ଆଜି ଶନିବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଥିଲା। କିମ୍ୱଦନ୍ତୀ ଅନୁଯାୟୀ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାଶ ଶୀତ ଦିନରେ ପୁଷ୍କରଣୀରୁ ପଦ୍ମ ଫୁଲ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କୁ ଲାଗି ପାଇଁ ଆଣିଥିଲେ। ତେବେ ଫୁଲ ଗୁଡ଼ିକ ସବୁ ମଳିନ ପଡ଼ିଯାଇଥିବାରୁ ସେଠାରେ ଥିବା ପଣ୍ତା ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ। ସେହିଦିନ ରାତିରେ ହିଁ ଗଜପତି ମହାରାଜାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱପ୍ନାଦେଶ କରିବା ପରେ ପଦ୍ମବେଶରେ ମହାପ୍ରଭୁ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ବଡ଼ଛତା ମଠ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ଯୋଗାଇ ଆସୁଛି। ତେବେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଆସନ୍ତକାଲି ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ରହିବାକୁ ଥିବାବେଳେ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଚାତକ ଆଖିରେ ଚାହିଁ ବସିଛନ୍ତି ଭକ୍ତ। ସେପଟେ ମହାପ୍ରଭୁଙ୍କ ଏହି ବେଶ ଯୋଗାଉଥିବା ବଡ଼ଛତା ମଠର ମହନ୍ତ ଏବଂ ସଦସ୍ୟ ମାନେ ମଧ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।
ବଡ଼ଛତା ମଠରେ ପଣ୍ତୁ ପୁର୍ଣ୍ଣିମା ଠାରୁ ପଦ୍ମବେଶ ପ୍ରସ୍ତୁତ ଆରମ୍ଭ ହୋଇଥାଏ। କିନ୍ତୁ ମଠରେ ସସ୍ଥାନ ଅଭାବରୁ ବେଶ କାରିଗର ମାନେ ମଠରେ ଏହି ବେଶ ପ୍ରସ୍ତୁତ ନକରି ଅନ୍ୟ ଏକ ମଠରେ ଏହି ବେଶ ପ୍ରସ୍ତୁତ କରୁଛନ୍ତି। ଶ୍ରୀମନ୍ଦିର ପାରମ୍ପରିକ ମୁଖ୍ୟ ବେଶ କାରିଗରଙ୍କ ସହ ସହଯୋଗୀ କାରିଗର ମାନେ ହବିଷ୍ୟାନ ଗ୍ରହଣ କରି ଅତି ନିଷ୍ଠାର ସହିତ ଏହି ବେଶ ନିର୍ମାଣ କରିଥାନ୍ତି। ସୋଲ, ଜରି, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଥାଏ।
ପଦ୍ମବେଶ ନିର୍ମାଣ କାର୍ଯ୍ୟରେ ଦରଜି ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି। ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡ଼ାଯାଇ ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ କରାଯାଏ। ତେବେ ଆଜି ବଡ଼ସିଂହାର ବେଶ ସମୟରେ ଭକ୍ତ ମାନେ ଏହି ବେଶ ଦର୍ଶନରୁ ବଂଚିତ ରହିଲେ ମଧ୍ୟ ଆସନ୍ତାକାଲି ମଙ୍ଗଳ ଆଳତି ପର୍ଯ୍ୟନ୍ତ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ। ଅନ୍ୟପଟେ ମହାପ୍ରଭୁଙ୍କ ଆଜି ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଥିବା ରୁ ଶ୍ରୀକ୍ଷେତ୍ର ଦୟଣା ସେବା ମଣ୍ଡଳୀ ପକ୍ଷରୁ ପାଞ୍ଚଶହ ରୁ ଉର୍ଦ୍ଧ ପଦ୍ମଫୁଲ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆଣିଥିଲେ। ତୁଳସୀ ସେବକ ଶ୍ରୀ ତୁଳସୀ ବାବା ମହାରାଜ ଏହି ପଦ୍ମଫୁଲ ଶ୍ରୀମନ୍ଦିରକୁ ନେଇ ସେବାୟତଙ୍କୁ ପ୍ରଦାନ କରିଥିଲେ। ତେବେ ପଦ୍ମବେଶ ପ୍ରସ୍ତୁତି ଶେଷ ହୋଇ ସଂନ୍ଧ୍ୟାରେ ଏହି ବେଶ ଶ୍ରୀମନ୍ଦିରକୁ ନିଆଯାଇଥିଲା। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହୋଇ ଆସନ୍ତାକାଲି ମଙ୍ଗଳ ଆଳତି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ବେଶ ଦର୍ଶନ ପାଇଁ ଭକ୍ତମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।










