35.1 C
Bhubaneswar
Thursday, April 2, 2026
Homeଓଡିଶାଦୁଷ୍କର୍ମ ପରେ ହତ୍ୟା: ବିଲରୁ ନାବାଳିକାର କଙ୍କାଳ ଜବତ

ଦୁଷ୍କର୍ମ ପରେ ହତ୍ୟା: ବିଲରୁ ନାବାଳିକାର କଙ୍କାଳ ଜବତ

ପିପିଲି: ପିପିଲି ବାଇପାସ୍‌ର ନାୟାରା ପେଟ୍ରୋଲ୍‌ ପମ୍ପ ନିକଟରୁ ଜଣେ ନାବାଳିକାଙ୍କ ଖଣ୍ତବିଖଣ୍ତିତ ମୃତଦେହ ଜବତ କରାଯାଇଛି। ଭୁବନେଶ୍ବର ୩୧୬ନଂ ଜାତୀୟ ରାଜପଥ ନିକଟ (ଷଣ୍ଢବଟ ଗ୍ରାମ) ବିଲରୁ ପିପିଲି ପୁଲିସ ଗତକାଲି ସନ୍ଧ୍ୟାରେ ଜଣେ ନାବାଳିକାର ଶରୀରର ହାଡ଼, ଖପୁରୀ ଆଦି ଜବତ କରିଥିଲା। ବିଲରେ ମଣିଷ ଶରୀରର ବିଭିନ୍ନ ଅଙ୍ଗକୁ ବୁଲା କୁକୁରମାନେ ଖାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ବିଲର ବିଭିନ୍ନ ସ୍ଥାନରେ ମେରୁଦଣ୍ତ, ମୁଣ୍ତର ଚୁଟି, ଖପୁରୀ, ଗୋଡ଼ ଓ ହାତ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଅନ୍ଧାରରେ ଟର୍ଚ୍ଚ ମାରି ବିଭିନ୍ନ ଅଙ୍ଗର ଗଳିତ ଭାଗକୁ ଠାବ କରିଥିଲେ।

ଏକ ସ୍ଥାନରେ ମହିଳା ପରିଧାନ କରୁଥିବା ଦୁଇଟି  ଅନ୍ତଃବସ୍ତ୍ର ସହ ଯୁବତୀଙ୍କ ଚପଲ ଓ ଏକ ଡେଉଁରିଆ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପିପିଲି ପୁଲିସ ଘଟଣାସ୍ଥଳକୁ ଯାଇ ମୃତକଙ୍କର ଖପୁରୀ, ଦାନ୍ତମାଢ଼ି, ହାତ ହାଡ଼, ମେରୁଦଣ୍ତ ହାଡ଼, ଚୁଟି ଏବଂ ମୃତକଙ୍କର ଅନ୍ତଃବସ୍ତ୍ର, ଓଢ଼ଣୀ ଓ ଚପଲ ଆଦି ଜବତ କରିଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ମୃତକଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଅନ୍ୟ କୌଣସି ଠାରେ ମାରି ଦିଆଯାଇ ଏଠାରେ ଆଣି ଫିଙ୍ଗି ଦିଆଯାଇଥିଲା କି ଗଳିତ ଅଂଶ ମିଳିଥିବା ସ୍ଥାନଠାରୁ ଅନତି ଦୂରରେ ପୋତା ଯାଇଥିବା ଶବକୁ ବୁଲା କୁକୁର ଟାଣି ଆଣି ଝୁଣୁଥିଲେ ସେନେଇ ପୁଲିସ ଅନୁସନ୍ଧାନ କରୁଛି।  ଘଟଣାସ୍ଥଳରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଓ ଅନ୍ୟ ଅଧିକାରୀମାନେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ଜବତ ଶରୀର ଓ ସମସ୍ତ ପଦାର୍ଥକୁ ପୁରୀ ମେଡିକାଲ୍‌ର ଏଫ୍‌ଏମ୍‌ଏମ୍‌ଟି ବିଭାଗକୁ ପଠାଯାଇ ଯାଞ୍ଚ କରାଯିବ ବୋଲି ଆଇଆଇସି ଶ୍ରୀ ତ୍ରିପାଠୀ କହିଛନ୍ତି। ଏ ନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking