-୧୦ ରାଜ୍ୟର ୩୭ ଆସନ ପାଇଁ ହେବ ନିର୍ବାଚନ
-ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି
-ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ
-ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ
-ମାର୍ଚ୍ଚ ୧୬ରେ ଭୋଟ୍ ଗ୍ରହଣ ସହ ହେବ ଗଣତି
ନୂଆଦିଲ୍ଲୀ: ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ବିଧିବଦ୍ଧ ତାରିଖ। ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ (ଇସିଆଇ)। ଆସନ୍ତା ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚ। ଓଡ଼ିଶାର ୪ଟି ଆସନ ସହ ୧୦ ରାଜ୍ୟର ୩୭ ଆସନରେ ନିର୍ବାଚନ ପାଇଁ ତାରିଖଘୋଷଣା ହୋଇଛି। ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭାରେ ୧୦ଟି ରାଜ୍ୟର ୩୭ଟି ଆସନ ଖାଲି ହେବାକୁ ଯାଉଛି। ସେଥି ମଧ୍ୟରୁ ଓଡ଼ିଶାର ୪ଟି ଆସନ ରହିଛି। ତେଣୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ଜାତୀୟ ନିର୍ବାଚନ କମିଶନ। ଜାତୀୟ ନିର୍ବାଚନ କମିଶନ ଏନେଇ ବୁଧବାର ବିଧିବଦ୍ଧ ତାରିଖ ଘୋଷଣା କରିଛନ୍ତି। ରାଜ୍ୟସଭା ନିର୍ବାଚନ ସୂଚୀ ଅନୁଯାୟୀ ଫେବୃଆରୀ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ହେବ। ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ। ସେହିଦିନ ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣତି।
ପ୍ରକାଶ ଯେ ଓଡ଼ିଶା, ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, ବିହାର, ଛତିଶଗଡ଼, ହରିଆଣା ଓ ହିମାଚଳପ୍ରଦେଶରେ ୩୭ ସିଟ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ଖାଲି ଆସନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାରେ ୪ଟି, ତାମିଲନାଡୁରେ ୬ଟି, ପଶ୍ଚିମବଙ୍ଗରେ ୫ଟି, ତେଲେଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୬ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଆସନ, ହିମାଚଳ ପ୍ରଦେଶର ଗୋଟିଏ ଆସନ ରହିଛି। ଓଡ଼ିଶାର ୪ ଜଣ ରାଜ୍ୟସଭା ସଦସ୍ୟ ମମତା ମହାନ୍ତ, ମୁନ୍ନା ଖାନ୍, ସୁଜିତ କୁମାର ଓ ନିରଞ୍ଜନ ବିଶିଙ୍କ ରାଜ୍ୟସଭା ସଦସ୍ୟତା କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ନିର୍ବାଚନ ପାଇଁ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।
ସେପଟେ ଓଡ଼ିଶାର ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ସଂଖ୍ୟା ଦୃଷ୍ଟିରୁ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଆସନ ସହଜରେ ଜିତି ପାରିବେ। ତେବେ ପ୍ରାର୍ଥୀ କିଏ ହେବେ ସେ ନେଇ ସସପେନ୍ସ ଜାରି ରହିଛି। ସେହିପରି ତୃତୀୟ ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ନାହିଁ। ତେଣୁ ଚତୁର୍ଥ ଆସନ ଗଣିତ ରୋଚକ ହେବ। ସଂଖ୍ୟା ନଥାଇ ମଧ୍ୟ ଚତୁର୍ଥ ଆସନ ଆମେ ନେବୁ ବୋଲି ବିଜେଡି ଓ ବିଜେପି ନେତା ଦାବି କରୁଛନ୍ତି। କଂଗ୍ରେସ ମଧ୍ୟ ଚତୁର୍ଥ ଆସନ ଉପରେ ଆଖେଇଛି। ସଂଖ୍ୟା ନ ଥାଇ କଂଗ୍ରେସ ରାଜ୍ୟସଭା ଲଢେଇରେ ଏଣ୍ଟ୍ରି ମାରିବାକୁ ମନସ୍ଥ କରିଥିବାରୁ ଚତୁର୍ଥ ଆସନ କିଏ ଦଖଲ କରିବ ତାହା ସବୁଠୁ ବଡ଼ ପ୍ରଶ୍ନ। କିନ୍ତୁ ଚତୁର୍ଥ ଆସନ ପାଇଁ ୩ ରାଜନୈତିକ ଦଳର ରଣନୀତି ଉପରେ ସମସ୍ତଙ୍କର ନଜର ରହିବ।










