ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା । ଜୀବନ ନେଲା ବର୍ଷା ଜଳ । ଲଗାଣ ବର୍ଷା ପରେ ହଠାତ୍ କୋଚିଂ ସେଣ୍ଟରର ତଳ ମହଲାରେ ପଶିଲା ଡ୍ରେନ ପାଣି । ଫଳରେ ୩ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପଶ୍ଚିମ ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗରର ରାଓ୍ବାସ ଆଇଏଏସ୍ ଷ୍ଟଡି ସେଣ୍ଟରରେ । ମୃତ ତିନି ଜଣ ଛାତ୍ରୀ ୟୁପିଏସି ପାଇଁ କୋଚିଂ ନେଉଥିଲେ । କୋଚିଂ ସେଣ୍ଟରରେ ଏବେ ବି କିଛି ଛାତ୍ରୀ ଫସି ରହିଥିବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୋଲିସ ପ୍ରଶାସନ, ଆମ୍ବୁଲାନ୍ସ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଏହି ଘଟଣାକୁ ନେଇ ନେଇ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣା ପାଇଁ ସେମାନେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷକୁ ଦାୟୀ କରୁଛନ୍ତି । ଦିଲ୍ଲୀ ପୋଲିସର ସେଣ୍ଟ୍ରାଲ୍ ଜିଲ୍ଲା ଡିସିପି ଏମ୍ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଚାଲିଛି । ଏନଡିଆରଏଫ୍ ନିୟୋଜିତ ଅଛି । ଏହି ଘଟଣା ପରେ ଦିଲ୍ଲୀ ମେୟର ଶାଇଲି ଓବରୋଇ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏନେଇ ଶିକ୍ଷା ଓ ଜଳ ସମ୍ପଦ ମନ୍ତ୍ରୀ ଆତିଶୀ ଟ୍ବିଟ୍ କରି କହିଛନ୍ତି, ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ଏପରି ଅଭାବନୀୟ ଘଟଣା ଘଟିଥିବା ଖବର ଆସିଛି । ରାଜେନ୍ଦ୍ର ନଗରର ଏକ କୋଚିଂ ସେଣ୍ଟରର ତଳ ମହଲାରେ ପାଣି ପଶିଥିବା ଖବର ରହିଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ ଘଟଣାସ୍ଥଳରେ ଅଛନ୍ତି । ଦିଲ୍ଲୀ ମେୟର ଏବଂ ସ୍ଥାନୀୟ ବିଧାୟକ ମଧ୍ୟ ସେଠାରେ ଉପସ୍ଥିତ । ମୁଁ ପ୍ରତି ମିନିଟରେ ଘଟଣାର ଖବର ନେଉଛି । ଏହି ଘଟଣା କିପରି ଘଟିଲା ସେନେଇ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ପାଇଁ ଯିଏ ଦାୟୀ ତାକୁ ଦଣ୍ଡ ମିଳିବ ।