ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ମୁହାଁମୁହିଁ ହୋଇଛନ୍ତି । ଚଳିତ ବଜେଟ୍ ଅଧିବେଶନର ଦ୍ୱିତୀୟ ସପ୍ତାହର ପ୍ରଥମ କାର୍ଯ୍ୟଦିବସ ଅର୍ଥାତ ସୋମବାର ରାହୁଲ, ଅଗ୍ନିପଥ ଯୋଜନା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ଅଗ୍ନିପଥ ଯୋଜନାରେ କିଛି ନଥିବା ଦର୍ଶାଇ ରାହୁଲ, ଏହାକୁ ପ୍ରତ୍ୟାହାର କରିନେବା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଦେଖିବାକୁ ମିଳିଥିଲା । ରାହୁଲ ନିଜ ଭାଷଣରେ କହିଛନ୍ତି, ଅଗ୍ନିପଥ ଯୋଜନା, ଦେଶର ଯୁବପିଢ଼ିଙ୍କୁ ଠକିବା ଭଳି ଏକ ଯୋଜନା । ଏଥିରେ ଦେଶର ସୈନିକ ଭାବେ ସେମାନଙ୍କୁ ଯେତିକି ସମ୍ମାନ ତଥା ଆନୁଷଙ୍ଗିକ ସୁବିଧା ସୁଯୋଗ ମିଳିବା କଥା ବାସ୍ତବରେ ସେମାନଙ୍କୁ ସେପରି କିଛି ମିଳୁନଥିବା ରାହୁଲ ଅଭିଯୋଗ କରୁଛନ୍ତି । ସର୍ବୋପରି ଅଗ୍ନିପଥ ଯୋଜନା ଅନ୍ତର୍ଗତ ଜଣେ ଯବାନ୍ଙ୍କ କାର୍ଯ୍ୟକାଳ ଅବଧି ମଧ୍ୟ କମ୍ ରହୁଥିବା, ସେମାନଙ୍କୁ ଆର୍ଥିକ ସ୍ତରରେ କୌଣସି ସୁରକ୍ଷା ଦିଆଯାଉନଥିବା (ପେନ୍ସନ୍ ଯୋଜନାରୁ ବାଦ୍ ଦିଆଯିବା) ଭଳି ଅଭିଯୋଗ କରିଛନ୍ତି ରାହୁଲ ।
ଅନ୍ୟପକ୍ଷେ ରାହୁଲଙ୍କ ଏପ୍ରକାର ଅଭିଯୋଗ ଉପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିକ୍ରିୟା ରଖିଛନ୍ତି । ରାଜନାଥ କହିଛନ୍ତି, ବିରୋଧୀ ଦଳ ନେତା ରାହୁଲ, ଅଗ୍ନିପଥ ଯୋଜନା ସମ୍ପର୍କରେ କିଛି ନ ଜାଣି କେବଳ ରାଜନୀତି କରୁୂଛନ୍ତି । ଦେଶବାସୀଙ୍କୁ ଭ୍ରମିତ କରିବା ଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ରାହୁଲ ସରକାରଙ୍କ ବିରୋଧରେ ଏକ ଜନଆକ୍ରୋଶ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଥିବା ରାଜନାଥ କହିଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ରାହୁଲ ଆଜି, ସରକାରଙ୍କୁ ସମାଲୋଚନା କରି କହିଛନ୍ତି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ୨୦୨୪-୨୫ ଅର୍ଥବର୍ଷ ପାଇଁ ଉପସ୍ଥାପିତ କରିଥିବା ବଜେଟ୍ ସମ୍ପୂର୍ଣ୍ଣ ଭେଦଭାବପୂର୍ଣ୍ଣ । ବଜେଟ୍ରେ କେବଳ ଦୁଇଟି ରାଜ୍ୟକୁ ଗୁରୁତ୍ୱ ଦିଆଯାଇଛି । ଏହି ବଜେଟ୍ ଆଳରେ ମୋଦୀ ସରକାର ମଧ୍ୟବିତ୍ତବର୍ଗଙ୍କ ପିଠିରେ ଛୁରୀ ଭୁସିଲା ଭଳି କାମ କରିଛନ୍ତି । ଏହି ସମୟରେ ରାହୁଲ ମହାଭାରତର ଅଭିମନ୍ୟୁ, ଚକ୍ରବ୍ୟୁହ, ଶିବଙ୍କ ଶୋଭାଯାତ୍ରା, ଭୟର ବାତାବରଣ ଆଦି ସମ୍ପର୍କରେ ଅବତାରରା ଦେବା ଦେଖିବାକୁ ମିଳିଛି । ରାହୁଲ କହିଛନ୍ତି ଯେ ଦେଶ ଆଜି ‘ଚକ୍ରବ୍ୟୁହ’ରେ ଫଶି ଯାଇଛି । ଦେଶକୁ ଏଭଳି ସ୍ଥିତିରେ ବିଜେପି ସରକାର ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତିରେ ପିନ୍ଧୁଥିବା ପଦ୍ମଫୁଲ (ବିଜେପି) ସରକାର ଦେଶର ଏହି ସ୍ଥିତିର ପ୍ରତିନିଧିତ୍ୱ କରୁଛନ୍ତି । ଯେଉଁଭଳି ଭାବରେ ଅଭିମନ୍ୟୁକୁ ଚକ୍ରବ୍ୟୁହ ଫାଶରେ ପକାଇ ୬ଜଣ ହତ୍ୟା କରିଥିଲେ, ଠିକ୍ ସେହିପରି ଭାରତକୁ ଚକ୍ରବ୍ୟୁହରେ ପକାଯିବା ପାଇଁ ଚେଷ୍ଟା କରାଯାଉଛି । ପ୍ରକାଶ, ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବଜେଟ୍ ଉପରେ ଏବେ ଆଲୋଚନା ଚାଲିଥିବା ବେଳେ ବଜେଟ ଉପରେ ମନ୍ତବ୍ୟ ରଖି ଏପରି କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।