ପୁରୀ: ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ମାନବୀୟ ଲୀଳାଖେଳା କଲେ ମହାପ୍ରଭୁ। ସୋମବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ତିନି ରଥ। ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ନୀତିକାନ୍ତି ପରେ ଆଜି ଆଡ଼ପମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ରତ୍ନସିଂହାସନରେ ଦର୍ଶନ ଦେଉଥିବା ମହାବାହୁ ଜନ୍ମବେଦୀରେ ବୁଧବାର ଠାରୁ ଦର୍ଶନ ଦେବେ ଶ୍ରଦ୍ଧାଳୁଙ୍କୁ। ସଂଧ୍ୟାରେ ଚତୁର୍ଦ୍ଧାମୂର୍ତି ଜନ୍ମବେଦୀକୁ ଗୋଟି ପହଣ୍ଡିରେ ବିଜେ କରିଥିଲେ।
ଘୋଷଯାତ୍ରାର ଆଜି ତୃତୀୟ ଦିବସ। ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ। ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ। ସକାଳୁ ରଥାରୂଢ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ସଂଧ୍ୟାଧୂପ ପରେ ପହଣ୍ଡି ଆରମ୍ଭ ହେବ। ଗତ ରବିବାର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି ଦାରୁ ଦେବତା। ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ଠାରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତି କରାଯାଇଥିଲା। ଆଜି ସକାଳେ ତିନି ରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବା ପରେ ମଇଲମ, ତଡପଲାଗି, ଅବକାଶ, ବେଶ ଶେଷ, ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ ଶେଷ ହୋଇଥିଲା।
ସନ୍ଧ୍ୟା ଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା ଓ ମୁଦିରସ୍ତଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତି ଙ୍କୁ ପୁଷ୍ପାଞ୍ଜଳି ଦେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିଥିଲେ। ପ୍ରଥମେ ମଦନ ମୋହନ ଓ କୃଷ୍ଣ ବଳରାମ ଆଡପମଣ୍ଡପକୁ ୭ଟା ୧୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ପରେ ସୁଦର୍ଶନଙ୍କ ପହଣ୍ଡି ୭ଟା ୩୩ରେ ଆରମ୍ଭ ହୋଇଥିଲା। ସେହିପରି ବଳଭଦ୍ରଙ୍କ ପହଣ୍ଡି ୭ଟା ୪୮ରେ ଆରମ୍ଭ ହୋଇଥିଲା। ପରେ ମା ସୁଭଦ୍ରାଙ୍କ ପହଣ୍ଡି ୧୦ଟା ୮ ରେ ଆରମ୍ଭ ହୋଇଥିଲା। ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ୧୦ଟା ୪୨ରେ ଆରମ୍ଭ ହୋଇଥିଲା।
ଗତକାଲି ନୀତିକାନ୍ତି ଶ୍ରୀଘ୍ର ଶେଷ ହେବାରୁ ସଂଧ୍ୟା ପୂର୍ବରୁ ଦର୍ପଦଳନ, ତାଳଧ୍ୱଜ ଓ ନନ୍ଦିଘୋଷ ରଥ ଆସି ଶରଧାବାଲିରେ ପହଞ୍ଚି ଯାଇଥିଲା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ଏହାପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ଟାଣି ଶରଧାବାଲିରେ ପହଞ୍ଚାଇଥିଲେ ଭକ୍ତ। ଶେଷରେ ପହଞ୍ଚିଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ତିନି ରଥ ଉପରେ ହିଁ ତିନି ଦିଅଁ ରାତିରେ ରହିଥିଲେ। ପରେ ରଥ ଉପରେ ତିନି ଦିଅଁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।
ଭକ୍ତ-ଭଗବାନଙ୍କ ଭିତରେ ହୋଇଛି ଅପୂର୍ବ ମିଳନ। ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହୋଇ ଉଠୁଛି ଚତୁର୍ଦିଗ। ଭକ୍ତ ବିନୋଦିଆ କାଳିଆ ଠାକୁରଙ୍କୁ ଦେଖି ନୃତ୍ୟଗୀତରେ ଝୁମିବା ସହ ବଡ଼ଦାଣ୍ଡରେ ଲୋଟିଛନ୍ତି ଭକ୍ତ। ଚର୍ମଚକ୍ଷୁରେ ଦର୍ଶନ ସହ କାଳିଆର ରଥ ଦଉଡ଼ିକୁ ସ୍ପର୍ଶ କରି ଝରାଇଛନ୍ତି ଲୋତକ। ରବିବାର ଦିନ ପବିତ୍ର ଘୋଷଯାତ୍ରାରେ ଲୋକାରଣ୍ୟ ହୋଇଥିଲା ବଡ଼ଦାଣ୍ଡ। ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରଥ ଉପରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଅନ୍ୟପଟେ ମହାପ୍ରଭୁଙ୍କର ଏହି ଅପରୂପ ଦୁର୍ସ୍ୟକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଭକ୍ତ ଗଣ ଅତ୍ୟନ୍ତ ଭାବବିହୁଳ ହୋଇପଡିଥିଲେ। ମହାପ୍ରଭୁଙ୍କ ରଥ ସମୁଖରେ ନର୍ତ୍ତକ ଭକ୍ତ ମହାପ୍ରଭୁଙ୍କ ଭକ୍ତି ଭାବରେ ସବୁକିଛି ଭୁଲି ନୁର୍ତ୍ୟ କରିବାକୁ ଲାଗିଥିଲେ। ଏଥିସହ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ବାହାରିବ। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବଢା ପାଇପାରିବେ।