କଟକ: ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପୁଣି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଯାଞ୍ଚ୍ କଡ଼ାକଡ଼ି କରାଯିବ । ଯେଉଁମାନେ ଗାଡ଼ିର ପିୟୁସିସି କରିନଥିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂତ୍ରରୁ ଜଣାପଡ଼ିଛି।ଅପରପକ୍ଷରେ ଯେଉଁମାନଙ୍କ ଗାଡ଼ି ଉପରେ ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଜରିମାନା କରାଯାଇଥିଲା ସେମାନଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଓଟିଏସ୍ (ୱାନ୍ ଟାଇମ୍ ସେଟଲ୍ମେଣ୍ଟ) ସ୍କିମ୍ ଲାଗୁ କରାଯାଇଥିଲା । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଜରିମାନାର ୫୦% ଅର୍ଥ ଦେବେ ସେଥିରେ ମୋଟ ଜରିମାନା ଅର୍ଥ କଟିଯିବ ବୋଲି କୁହାଯାଇଥିଲା । ଏହି ଅବଧି ମଧ୍ୟ ମଙ୍ଗଳବାର ଶେଷ ହୋଇଛି । ତେବେ ୫ମାସ ତଳୁ ଏହ ଓଟିଏସ୍ ସ୍କିମ୍ ଲାଗୁ ହୋଇଥିଲାବେଳେ ଇତିମଧ୍ୟରେ ମାତ୍ର ୨୫% ଜରିମାନା ଅର୍ଥ ଆଦାୟ ହୋଇପାରିଛି । ଅର୍ଥାତ ପ୍ରାୟ ୧୩୦୦ କୋଟି ଟଙ୍କାର ଜରିମାନା ଅର୍ଥରୁ ମାତ୍ର ଦେଢ଼ ଶହ କୋଟି ଟଙ୍କା ଆଦାୟ ହୋଇଛି । ତେଣୁ ଜରିମାନା ଅର୍ଥକୁ ଅଧିକରୁ ଅଧିକ ଆଦାୟ ପାଇଁ ଏସ୍ଟିଏ ପକ୍ଷରୁ ରାଜ୍ୟ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ।










