25 C
Bhubaneswar
Sunday, April 13, 2025
Homeଦେଶ ବିଦେଶଆମେରିକାରେ ପ୍ରତିବାଦର ବହ୍ନି: ଟ୍ରମ୍ପ ଓ ମସ୍କଙ୍କ ବିରୋଧରେ ବିଶାଳ ବିକ୍ଷୋଭ

ଆମେରିକାରେ ପ୍ରତିବାଦର ବହ୍ନି: ଟ୍ରମ୍ପ ଓ ମସ୍କଙ୍କ ବିରୋଧରେ ବିଶାଳ ବିକ୍ଷୋଭ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ଘନିଷ୍ଠ ଉପଦେଷ୍ଟା ଏଲନ ମସ୍କଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଟ୍ରମ୍ପ୍ ପ୍ରଶାସନର ଜନମାରଣ ନୀତି ବିରୋଧରେ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ‘ହ୍ୟାଣ୍ଡସ୍ ଅଫ୍ ପ୍ରୋଟେଷ୍ଟ’ ନାମ ଦିଆଯାଇଛି। ସରକାରୀ ସଂସ୍ଥାଗୁଡ଼ିକରେ ଫେଡେରାଲ୍ କାଟ୍‌ଛାଣ୍ଟ୍‌, ସରକାରୀ ସେବା ହ୍ରାସ, ବିବାଦୀୟ ସାମାଜିକ ନୀତି, ଟ୍ରାନ୍ସଜେଣ୍ଡର ଅଧିକାର ଉପରେ କଟକଣା ଏବଂ ଅନ୍ୟାନ୍ୟ ଜନବିରୋଧୀ ନୀତିକୁ ନେଇ ପ୍ରତିବାଦକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଆମେରିକାର ୫୦ରାଜ୍ୟରେ ୧୨୦୦ରୁ ଅଧିକ ସ୍ଥାନରେ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଏଥିରେ ଲକ୍ଷଲକ୍ଷ ଲୋକ ସାମିଲ ହୋଇ ଟ୍ରମ୍ପ୍‌, ମସ୍କଙ୍କ ବିରୋଧରେ ନାରାବାଜି କରିଛନ୍ତି। ସବୁଠୁ ବଡ଼କଥା ହେଉଛି ଏହି ଆନ୍ଦୋଳନରେ ଜନସାଧାରଣଙ୍କ ସମେତ, ଆଇନଜୀବୀ, ଶ୍ରମିକ ସଂଗଠନ, ଏଲଜିବିଟିକ୍ୟୁ ସଂଗଠନ, ବରିଷ୍ଠ ନାଗରିକ ଏବଂ ଅନ୍ୟାନ୍ୟ ସମେତ ପ୍ରାୟ ୧୫୦ରୁ ଅଧିକ ସଂଗଠନଗୁଡ଼ିକ ସାମିଲ ହୋଇଛନ୍ତି। ଏହି ସମୟରେ ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ଲୋକମାନେ ରାସ୍ତାରେ ଟ୍ରମ୍ପ୍ ଏବଂ ମସ୍କଙ୍କ ବିରୋଧରେ ପୋଷ୍ଟର ଲଗାଉଥିବାର ଦେଖାଯାଇଥିଲା। ବୋଷ୍ଟନ୍‌, ଚିକାଗୋ, ଫ୍ଲୋରିଡା, ଓହିଓ, ୱାଶିଂଟନ ଡିସି ଭଳି ପ୍ରାୟ ସହରରେ ଜନସାଧାରଣ ଆନ୍ଦୋଳନ ଚଳାଇଛନ୍ତି। ସରକାର ଆକ୍ରମଣାତ୍ମକ ଢଙ୍ଗରେ ଯେଉଁସବୁ ପଦକ୍ଷେପ ନେଉଛନ୍ତି ତାହାକୁ ତୁରନ୍ତ ସ୍ଥଗିତ ରଖିବାକୁ ଦେଶବାସୀ ଦାବି କରିଛନ୍ତି।

ଏହି ବିରୋଧ ବା ପ୍ରତିବାଦକୁ ‘ହ୍ୟାଣ୍ଡସ୍ ଅଫ୍ ପ୍ରୋଟେଷ୍ଟ’ ନାମ ଦେବାର ପ୍ରଥମ ଉଦ୍ଦେଶ୍ୟ ହେଉଛି ଟ୍ରମ୍ପ୍‌ଙ୍କୁ ଏକ ବାର୍ତ୍ତା ଦେବା ଯେ, ସେ ଲୋକଙ୍କ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରିବା ବନ୍ଦ କରିବା ଉଚିତ୍‌। ହ୍ୟାଣ୍ଡସ୍ ଅଫ୍ ପ୍ରୋଟେଷ୍ଟକୁ ଆମେରିକାରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପ୍ରତିବାଦ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଛି। ଡୋନାଲ୍ଡ ଟ୍ରମ୍ପ୍ ଏବଂ ମସ୍କଙ୍କ ବିରୋଧରେ ହୋଇଥିବା ଏହି ପ୍ରତିବାଦକୁ ୨୦୧୭ର ମହିଳା ମାର୍ଚ୍ଚ ଏବଂ ୨୦୨୦ର ବ୍ଲାକ୍ ଲାଇଭ୍ସ ମ୍ୟାଟର ପ୍ରତିବାଦ ସ୍ତରର ପ୍ରତିବାଦ ଭାବରେ ବିବେଚନା କରାଯାଉଛି। ଆମେରିକୀୟ ବିଶେଷଜ୍ଞଙ୍କ ଅନୁସାରେ ଯଦି ଟ୍ରମ୍ପ୍ ସରକାର ତୁରନ୍ତ ନିଜର ନୀତି ପରିବର୍ତ୍ତନ ନକରନ୍ତି, ତେବେ ପ୍ରତିବାଦକୁ ତୀବ୍ରତର କରିବାକୁ ପ୍ରତିବାଦକାରୀମାନେ ବାଧ୍ୟ ହୋଇପାରନ୍ତି। ଶନିବାର ହ୍ୟାଣ୍ଡସ୍ ଅଫ୍ ପ୍ରୋଟେଷ୍ଟରେ ଯୋଗଦେଇ, ୱାଶିଂଟନ୍ ଡିସିରୁ ମାନହାଟନ୍ ଏବଂ ବୋଷ୍ଟନ୍ କମନ୍ ପର୍ଯ୍ୟନ୍ତ ପ୍ରତିବାଦକାରୀମାନେ ଟ୍ରମ୍ପ୍ ଏବଂ ଏଲନ ମସ୍କଙ୍କ କାର୍ଯ୍ୟ ସହିତ ନିଜର ମତଭେଦ ପ୍ରକାଶ କରିଥିଲେ। ଏହି ସମୟ ମଧ୍ୟରେ, ପ୍ରତିବାଦକାରୀମାନେ ଏଲନ ମସ୍କ ଏବଂ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଏକଛତ୍ରବାଦୀ ବୋଲି କହିଥିଲେ। ପ୍ରତିବାଦକାରୀମାନେ କହିଛନ୍ତି ଯେ, ଟ୍ରମ୍ପ୍ ଏବଂ ମସ୍କ ମିଳିତ ଭାବେ ଏବେ ଆମେରିକାକୁ ଏକ ଘୃଣ୍ୟ ଦେଶରେ ପରିଣତ କରୁଛନ୍ତି, ଦେଶର ସମ୍ବଳର ଅପବ୍ୟବହାର କରିବାର ଅଧିକାର ଏଲନ ମସ୍କଙ୍କୁ ଦିଆଯାଉଛି। ଏସବୁକୁ ସେମାନେ ଗ୍ରହଣ କରିପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking