ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଜି ଦୁଇଦିନିଆ ବିତର୍କ ଲୋକସଭାରେ ଆରମ୍ଭ ହୋଇଛି। ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ଏହି ଆଲୋଚନା ଆରମ୍ଭ କରି କଂଗ୍ରେସକୁ ସମାଲୋଚନା କରିଛନ୍ତି। ପ୍ରତିଷ୍ଠାନଗୁଡ଼ିକର ସ୍ବାଧୀନତା ଏବଂ ସ୍ବାୟତ୍ତତାକୁ ସମ୍ମାନ ଦେବାରେ କଂଗ୍ରେସ ସମର୍ଥ ହୋଇନାହିଁ। ସମ୍ବିଧାନର ମୂଳ ନୀତିକୁ କଂଗ୍ରେସ ନିରନ୍ତରଭାବେ ନୀଚା କରି ଦେଖାଇଛି ବୋଲି ରାଜନାଥ କହିଛନ୍ତି। ସମ୍ବିଧାନ ପ୍ରଣୟନରେ ବିଭିନ୍ନ ନେତାଙ୍କ ଅବଦାନକୁ କଂଗ୍ରେସ ଦଳ ଜାଣିଶୁଣି ଅଣଦେଖା କରିଛି। ଲୋକସଭାରେ ଆଜି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କର ପ୍ରଥମ ଭାଷଣ ରଖିଛନ୍ତି। ସମ୍ବିଧାନ ଉପରେ ହେଉଥିବା ବିତର୍କରେ ଭାଗ ନେବା ସମୟରେ ହିମାଚଳପ୍ରଦେଶର ସେଓ ଚାଷୀଙ୍କ ପ୍ରସଙ୍ଗ ସେ ଉଠାଇଥିଲେ। ପ୍ରିୟଙ୍କା କହିଥିଲେ ହିମାଚଳପ୍ରଦେଶରେ ଆଜି ଯେଉଁ ନୀତି ପ୍ରସ୍ତୁତ କରାଯାଉଛି ତାହା ଚାଷୀଙ୍କ ପରିବର୍ତ୍ତେ ବଡ଼ ବ୍ୟବସାୟୀମାନଙ୍କୁ ସୁହାଉଛି। ପ୍ରିୟଙ୍କାଙ୍କ ଏହି ଭାଷଣର ଭିଡିଓ ଭାଇରାଲ ହୋଇଛି। ପ୍ରିୟଙ୍କାଙ୍କୁ ତାଙ୍କ ମନ୍ତବ୍ୟ ପାଇଁ ପ୍ରବଳ ଟ୍ରୋଲ୍ କରାଯାଇଛି। ପପୁଙ୍କ ତୁଳନାରେ ସେ ବଡ଼ ପପୁ ବୋଲି ଜଣେ ବ୍ୟକ୍ତି ଉଲ୍ଲେଖ କରିଛନ୍ତି। ସେହିଭଳି ଅନ୍ୟଜଣେ ଲେଖିଛନ୍ତି ହିମାଚଳପ୍ରଦେଶରେ କଂଗ୍ରେସର କୁଶାସନ ଚାଲିଥିବା ନେଇ ପ୍ରିୟଙ୍କାଙ୍କୁ କିଏ ଜଣେ ମନେ ପକାଇ ଦେବ କି ବୋଲି କହି କଟାକ୍ଷ କରିଛନ୍ତି।










